ଡୁଙ୍ଗୁରିପାଲି ବ୍ଲକ ଚାଷୀ ମୁଣ୍ଡରେ ଚଡ଼କ

ଡୁଙ୍ଗୁରିପାଲି ବ୍ଲକ ଚାଷୀ ମୁଣ୍ଡରେ ଚଡ଼କ

Scroll.in

ଡୁଙ୍ଗୁରିପାଲି: ଚଳିତ ରବିଋତୁରେ ସୁବର୍ଣ୍ଣପୁର ଜିଲ୍ଳା ଡୁଙ୍ଗୁରିପାଲି ବ୍ଳକ୍ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଛି। ରୋଗ ପୋକ ଯୋଗୁଁ ଶହ ଶହ ଏକର ଅମଳକ୍ଷମ ଧାନ ଅଗାଡ଼ି ହୋଇଯାଇଛି। ଚାଷୀ ମୁଣ୍ଡରେ ହାତ ଦେଇ ଧାନ ନ କାଟିବାକୁ ଚିନ୍ତା କରୁଛି। ତେବେ କେଉଁ କାରଣରୁ ଅମଳକ୍ଷମ ଧାନ ଅଗାଡ଼ି ହୋଇଯାଇଛି, ତାହା ଚାଷୀ ବୁଝି ପାରୁନାହାନ୍ତି। ନିକଟରେ ସୁବର୍ଣ୍ଣପୁର ଜିଲ୍ଳା କୃଷିବିଜ୍ଞାନ କେନ୍ଦ୍ରର ରୋଗପୋକ ବିଶେଷଜ୍ଞ ଏଡିଓ ଏବଂ ଏଏଓ ସୁନାପାଲି ଓ ଅମାମୁଣ୍ଡା ଗ୍ରାମର ଧାନ ଫସଲ ବୁଲି ଦେଖିଥିଲେ। ବିଶେଷଜ୍ଞଙ୍କ କହିବା ମୁତାବକ ‘ପାନିକାଲ ବ୍ଳାଷ୍ଟ’ ବା କେଣ୍ଡା ମହିଷା ପୋକ ଯୋଗୁଁ ଅଗାଡ଼ି ହୋଇଯାଇଛି। ବ୍ଳକ ଅଞ୍ଚଳର ପ୍ରାୟ ୧୦୦ ଏକର ଧାନ ଚାଷ କ୍ଷତି ହୋଇଥିବା ବିଭାଗୀୟ ଅଧିକାରୀଙ୍କଠାରୁ ପ୍ରକାଶ।

ଚାଷୀ ଧାନ ଫସଳରେ ୟୁରିଆ ସାର ସିଞ୍ଚନରେ ପରିମାଣ ବେଶୀ ହୋଇଥିବା ବେଳେ ପଟାସ ସାର ଦେବା କମ ହୋଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ତେବେ ପ୍ରାୟ ପ୍ରତ୍ୟେକ ଗାଁ’ରେ ଚାଷୀ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଝଡ଼ ତୋଫାନରେ ଫୁଲ ସବୁ ଝଡ଼ି ଯାଇଥିବା ମଧ୍ୟ ଅନୁମାନ କରାଯାଇଛି। ତା’ଛଡ଼ା ଧାନ ଫସଲରେ ପାଣି ଆବଶ୍ୟକତା ଥିବା ସମୟରେ କେନାଲ ପାଣି ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ହୋଇଯାଇ ଥିଲା। ତାହା ମଧ୍ୟ ଧାନ ଅଗାଡ଼ି ହେବାର ଅନ୍ୟତମ ପ୍ରମୁଖ କାରଣ। ଲରିଆବାହାଲ ଗ୍ରାମର ଚାଷୀ ଗଣେଶ୍ବର ପୋଢ଼ କହିଛନ୍ତି, ‘ଲରିଆବାହାଲ ଗ୍ରାମର ଅଧିକାଂଶ ଚାଷୀଙ୍କ ଅମଳକ୍ଷମ ଧାନ ସବୁ ଅଗାଡ଼ି ହୋଇଯାଇଛି। ପ୍ରାୟ ଅଧିକାଂଶ ଚାଷୀ ରବି ଋତୁରେ କରଜ କରି ଚାଷ କରିଥା’ନ୍ତି। ଏପରି ଅବସ୍ଥାରେ କରଜ ଶୁଝିବା ତ ଦୂରର କଥା ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ିବ।’ ଜଣେ ଚାଷୀ କହିଛନ୍ତି କୀଟନାଶକ ଔଷଧ କିଣିବା ବେଳେ ଏକ୍ସପାୟାର ତାରିଖକୁ ନ ଦେଖି ତାହା ବ୍ୟବହାର କରାଯାଉଥିବାରୁ ରୋଗ ପୋକ ଲାଗିଥିବା ଜମିରେ ଏହା କାମ ଦେଇ ନ ଥାଏ। ଜିଲ୍ଳା କୃଷି ବିଭାଗ କୀଟନାଶକ ଔଷଧ ଦୋକାନଗୁଡ଼ିକ ପ୍ରତି ମାସ ଯାଞ୍ଚ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe