କବାଟବନ୍ଧ: ଧାନ କିଣିବା ଲାଗି ମଣ୍ତିକୁ ଆସୁନି ଟାର୍ଗେଟ। ଏଣେ ନିର୍ଦ୍ଧାରିତ ସମୟ ଚାଲିଯିବା ପରେ ଚାଷୀ ପାଇଥିବା ଟୋକନ କଟିବାରେ ଲାଗିଛି। ଅର୍ଥାତ ତାହା ରଦ୍ଦ ହୋଇଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରେଖିଦେଈପୁର କୃଷି ସମବାୟ ସମିତି ଓ ଗ୍ରାମ ପଞ୍ଚାୟତ ସ୍ବୟଂସହାୟକ ଗୋଷ୍ଠୀ ପରିଚାଳିତ ମଣ୍ତିରେ ଅନୁରୂପ ଅବସ୍ଥା ଦେଖାଦେଇଛି। ଏହି ଦୁଇ ମଣ୍ତିକୁ ମିଳିଥିବା ଟାର୍ଗେଟ ଅନୁସାରେ ଧାନ କିଣା ସରିଛି। ଅର୍ଥାତ ଜାନୁଆରି ମାସର ଲକ୍ଷ୍ୟ ପୂରଣ ହୋଇସାରିଛି।
ଫେବ୍ରୁଆରି ମାସରେ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ଚାଷୀଙ୍କ ପାଇଁ ନୂଆ ଟାର୍ଗେଟ ମିଳୁନାହିଁ। ଫେବ୍ରୁଆରି ସରିଲାଣି ହେଲେ ଚାଷୀ ଅଦ୍ୟାବଧି ଧାନ ବିକ୍ରି କରି ପାରିନାହାନ୍ତି। ମାର୍ଚ୍ଚ ପାଇଁ ଟୋକନ ପାଇଥିବା ଚାଷୀମାନେ ଧାନ କିପରି ବିକ୍ରି କରିବେ ବୋଲି ପ୍ରଶ୍ନ କରିଛନ୍ତି। ଜିଲ୍ଲାରେ ଟାର୍ଗେଟ ମହଜୁଦ ରହିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। କିନ୍ତୁ ମଣ୍ଡିକୁ ଦିଆଯାଉନି। ମିଲରଙ୍କ ଅସହଯୋଗ ପାଇଁ ଟାର୍ଗେଟ ଦିଆଯାଇପାରୁନାହିଁ ବୋଲି ଶୁଣିବାକୁ ମିଳୁଛି। ଟୋକନ କଟିବା ପୂର୍ବରୁ ରେଖିଦେଈପୁର ସମବାୟ ସମିତି ଓ ଗ୍ରାମ ପଞ୍ଚାୟତ ସ୍ବୟଂସହାୟକ ଗୋଷ୍ଠୀ ମଣ୍ତିକୁ ଆବଶ୍ୟକ ପରିମାଣର ଟାର୍ଗେଟ ଦେଲେ ଚାଷୀମାନେ ଧାନ ବିକିପାରନ୍ତେ। ନଚେତ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେବୋଲି ଚେତାବନୀ ଦେଇଛନ୍ତି।
Follow Us