ଚାଷୀଙ୍କୁ ମିଳୁନି ସବ୍‌ସିଡି ଟଙ୍କା

Advertisment

ଧାନ ବିହନ କ୍ରୟ ସମୟରେ ଦେଇଥିଲେ ପୂରା ଟଙ୍କା

ଧାନ ବିହନ କ୍ରୟ ସମୟରେ ଦେଇଥିଲେ ପୂରା ଟଙ୍କା

ଚାଷୀଙ୍କୁ ମିଳୁନି ସବ୍‌ସିଡି ଟଙ୍କା

The Kathmandu Post

ଅନୁଗୁଳ : ସବ୍‌ସିଡିରେ ଚାଷୀଙ୍କୁ ଧାନ ବିହନ ଯୋଗାଇଥିଲେ ସରକାର। କିନ୍ତୁ, ସେଥିପାଇଁ ଚାଷୀଙ୍କଠୁ ଆଗୁଆ ନେଇଥିଲେ ପୂରା ଟଙ୍କା। କହିଥିଲେ, ଚାଷୀ ପୂରା ଟଙ୍କା ଆଗୁଆ ପୈଠ କଲାପରେ ତାଙ୍କ ଆକାଉଣ୍ଟ୍‌କୁ ସବ୍‌ସିଡି ଟଙ୍କା ଆସିବ। ଏଥିରେ ଦୁର୍ନୀତି ହେବନାହିଁ। ଚାଷୀ ନାଁରେ ସବ୍‌ସିଡି ଟଙ୍କା ବାଟମାରଣା ହେବନାହିଁ। ଦୁର୍ନୀତିରେ ଅଙ୍କୁଶ ଲଗାଇବା ପାଇଁ ସରକାର ଚଳିତ ବର୍ଷ କରିଥିବା ଏପ୍ରକାର ବ୍ୟବସ୍ଥା ଚାଷୀଙ୍କ ପାଇଁ ଏକପ୍ରକାର ବୋଝ ହୋଇଛି। ଇତିମଧ୍ୟରେ ଧାନ ବୁଣା ସରି ଅମଳ ହେବାକୁ ବସିଲାଣି। ଚାଷୀଙ୍କଠାରୁ ସରକାର ଧାନ କିଣିବାକୁ ପ୍ରସ୍ତୁତି ଆରମ୍ଭ ବି କଲେଣି। ହେଲେ, ଚାଷୀଙ୍କୁ ଏଯାବତ୍ ବିହନ ସବ୍‌ସିଡି ଟଙ୍କା ନ ମିଳିବା ଅସନ୍ତୋଷ ସୃଷ୍ଟି କରିଛି।

ସୂଚନା ମୁତାବକ, ଖରିଫ୍ ଋତୁ ପାଇଁ ସରକାର ଗତ ମେ ମାସରୁ ବିହନ ବାଣ୍ଟିବା ଆରମ୍ଭ କରି ଦେଇଥିଲେ। ବିହନ ଦାମ୍‌ ରଖିଥିଲେ କୁଇଣ୍ଟାଲ୍ ପିଛା ୩୫୦୭ଟଙ୍କା। ନୂଆ ଏବଂ ପୁରୁଣା ବିହନ ପାଇଁ ସବ୍‌ସିଡି ନିୟମ ଥିଲା ଭିନ୍ନ ଭିନ୍ନ। ପୂଜା, ସ୍ବର୍ଣ୍ଣ, ୧୦୦୧, ଶାରଳା, ମୃଣାଳିନୀ ଭଳି ୧୦ବର୍ଷର ପୁରୁଣା ବିହନ ପାଇଁ ସରକାର ୧୨୫୭ଟଙ୍କାର ସବ୍‌ସିଡି ଘୋଷଣା କରିଥିଲେ। ସେହିପରି କଳାଚମ୍ପା, ଏମ୍‌ଟିୟୁ-୧୧୫୩, ଏମ୍‌ଟିୟୁ-୧୧୫୬, ମଉଡ଼ମଣି ଭଳି ନୂଆ କିସମ ଧାନ ବିହନ ପାଇଁ ଚାଷୀ ୧୫୫୭ ଟଙ୍କାର ସବ୍‌ସିଡି ଦିଆଯିବାର ବ୍ୟବସ୍ଥା ହୋଇଥିଲା। କିନ୍ତୁ, ଆଗ ପୂରା ଟଙ୍କା ଦେଇ ବିହନ କିଣିଲା ପରେ ଚାଷୀଙ୍କ ଅକାଉଣ୍ଟ୍‌କୁ ପରେ ପୂରା ଟଙ୍କା ଆସିବ ବୋଲି ନିୟମ କରାଗଲା। ତଦନୁସାରେ, ବିହନ ନିଗମ ଅନୁଗୁଳ ଜିଲ୍ଲାରେ ଚଳିତ ଖରିଫ୍‌ ଋତୁରେ ୮୨୦୦ କୁଇଣ୍ଟାଲ ଧାନ ବିକ୍ରି କରାଇଛି। ତନ୍ମଧ୍ୟରୁ ପୂଜା ଧାନ ପ୍ରାୟ ୩ ହଜାର କୁଇଣ୍ଟାଲ୍‌ ବିକ୍ରି କରାଯାଇଥିବା ବେଳେ କଳାଚମ୍ପା ୨୭ଶହ କୁଇଣ୍ଟାଲ୍, ଏମ୍‌ଟିୟୁ-୧୧୫୩ ଓ ଏମ୍‌ଟିୟୁ-୧୧୫୬ ବିହନ ୬୦୦କୁଇଣ୍ଟାଲ୍ ବିକ୍ରି ହୋଇଛି।

ନିଜ ହାତରୁ ପୂରା ଟଙ୍କା ଦେଇ ଚାଷୀକୁଳ ସେବା ସମବାୟ ସମିତିରୁ ବିହନ ଖର୍ଦ୍ଦି କରିଛନ୍ତି। ଇତିମଧ୍ୟରେ ବିହନ ଗଜା ହୋଇ ଧାନ ପାଚିବାକୁ ବସିଲାଣି। ଆଉ କେଇଟା ଦିନ ପରେ ଧାନ କଟା ଆରମ୍ଭ ହେବ। ଅମଳ ଧାନକୁ କିଣିବାକୁ ସରକାର ବି ଅଣ୍ଟା ଭିଡ଼ିଲେଣି। ଅଥଚ ବିହନ ଟଙ୍କା ଏଯାବତ୍‌ ସରକାର ବାଣ୍ଟି ନାହାନ୍ତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ କନ୍ତପଡ଼ାର ଚାଷୀ ସୌମ୍ୟରଞ୍ଜନ ପ୍ରଧାନଙ୍କ କହିବା ଅନୁସାରେ, ଚାଷ ପାଇଁ ସେ ଦୁଇ ପ୍ୟାକେଟ୍ ଧାନ ବିହନ କିଣିଥିଲେ। କିନ୍ତୁ, ଏଯାବତ୍‌ ସବ୍‌ସିଡି ଟଙ୍କା ଆକାଉଣ୍ଟ୍‌କୁ ଆସିନାହିଁ। କେବଳ ସୌମ୍ୟରଞ୍ଜନ ନୁହନ୍ତି, କନ୍ତପଡ଼ା ସେବା ଶତାଧିକ ଚାଷୀଙ୍କ ଅବସ୍ଥା ସେୟା ହୋଇଛି।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମିଲ୍ କୁମାର ସ୍ବାଇଁ କହିଛନ୍ତି, ଜିଲ୍ଲାରେ କେତେ ଚାଷୀ ବିହନ ନେଇଥିଲେ, ସେଥିରୁ କେତେ ଚାଷୀ ସବ୍‌ସିଡି ପାଇଲେ ଓ କେତେଜଣ ପାଇନାହାନ୍ତି, ତାହାର ତଥ୍ୟ ଆମ ପାଖରେ ନାହିଁ। ପ୍ରତି ସୋସାଇଟି ହିଁ ଏହା ଜାଣିଥିବେ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe