ବୌଦ୍ଧ : ମହାନଦୀର ବନ୍ୟାପାଣି ଇତିମଧ୍ୟରେ କମିବାରେ ଲାଗିଛି। ହେଲେ ଗତ କିଛିଦିନ ଧରି ପାଣିରେ ବୁଡ଼ି ରହିଥିବା ବୌଦ୍ଧ ଜିଲ୍ଲାର ଅନେକ ଜମିର ଫସଲ ବ୍ୟାପକ କ୍ଷତି ହୋଇଛି। ଧାନଗଛ ସବୁ ପଚିଯାଇଛି। କିଛି ଧାନ ଗଛରେ ପଟୁମାଟି ଜମି ରହିଥିବାରୁ ତାହା ଉଧେଇ ପାରିବ କି ନାହିଁ ବୋଲି ଚାଷୀମାନେ ଚିନ୍ତାରେ ରହିଛନ୍ତି। ଚଳିତ ଖରିଫ ଋତୁ ଆରମ୍ଭରୁ କମ୍ ବର୍ଷା ଯୋଗୁଁ ଚାଷକାମ ହୋଇ ପାରି ନଥିଲା। ଅନେକ ଜମି ପଡ଼ିଆ ବି ପଡ଼ିଲା। ଏବେ ଲଘୁଚାପ ବର୍ଷାରେ ଯାହାକିଛି ବଞ୍ଚିଥିଲା ନଷ୍ଟ ହୋଇଗଲା। ଏଭଳି ସମୟରେ ସରକାର ସହାୟତା ନଦେଲେ ବାହାର ରାଜ୍ୟକୁ ଦାଦନ ଖଟିଯିବା ସାର ହେବ ବୋଲି ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ପାହାଡ଼ିଆ ପାଣିରେ ବୌଦ୍ଧ ଜିଲ୍ଲାର ନଦୀ ନାଳରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା। ପର୍ଯ୍ୟାୟକ୍ରମେ ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟ୍ ଖୋଲିବା ପରେ ମହାନଦୀ ଫୁଲି ଉଠିଥିଲା। ବିଭିନ୍ନ ତଳିଆ ଅଞ୍ଚଳ ସହ ନାଳ ଦେଇ ମହାନଦୀ ପାଣି ଚାଷ ଜମିକୁ ମାଡ଼ିଯାଇଥିଲା। ଫଳରେ ହରଭଙ୍ଗା ବ୍ଲକ୍ର ମହାନଦୀ କୂଳରେ ଥିବା ଅନେକ ଗାଁରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ମହାନଦୀର ଜଳସ୍ତର କମିବା ପରେ ଅନେକ ସ୍ଥାନରେ ରାସ୍ତା ଉପରୁ ପାଣି ଖସି ଯାଇଛି। ପାଞ୍ଚ ଦିନ ପାଣି ତଳେ ରହିବା ପରେ ଅଧିକାଂଶ ସ୍ଥାନର ଧାନଗଛ ପଚି ଯାଇଛି। ବଞ୍ଚିଥିବା ଗଛକୁ ପଟୁ ମାଟିର ଆବରଣ ଢାଙ୍କି ରଖିଛି। ଫଳରେ ଧାନ ଗଛ ବଞ୍ଚିବା ଓ ଉପଯୁକ୍ତ ପରିମାଣରେ ଅମଳ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଖରିଫ ଋତୁର ପ୍ରଥମାର୍ଦ୍ଧରେ ଅନାବୃଷ୍ଟି ଯୋଗୁଁ ଡେରିରେ ଚାଷ ଆରମ୍ଭ ହୋଇଥିଲା। ବର୍ଷା ଅଭାବରେ ସବୁ ମରିଗଲା। ଦେଢ଼ମାସ ପରେ ବର୍ଷା ହେବାରୁ ଅନେକ ଚାଷୀ ଧାର କରଜ କରି ପୁଣି ଚାଷ ଆରମ୍ଭ କରିଥିଲେ। ଅମଳ ହେବା ପୂର୍ବରୁ ସେହି ଧାନ ଗଛ ପଚି ମରିଯିବା ଅବସ୍ଥାରେ ଅଛି। ଏଭଳି ସ୍ଥିତିରେ ଚାଷୀମାନେ ମାନସିକ ଚାପଗ୍ରସ୍ତ ରହିଛନ୍ତି। ଅନାବୃଷ୍ଟି ଓ ବନ୍ୟା ପରିସ୍ଥିତି ବେଳେ ଭଗବାନ ଭରସାରେ ଥିବା ଚାଷୀ ବର୍ତ୍ତମାନ ସରକାରୀ ସହାୟତାକୁ ଭରସା କରି ରହିଛନ୍ତି। ସରକାରୀ ସହାୟତା ନମିଳିଲେ ବାହାର ରାଜ୍ୟକୁ ଦାଦନ ଖଟି ଯିବା ପାଇଁ କିଛି ଚାଷୀ ପ୍ରସ୍ତୁତ ହେଲେଣି। କ୍ଷତିଗ୍ରସ୍ତ ଅଞ୍ଚଳରେ ବିଭାଗ ପକ୍ଷରୁ ସର୍ବେକ୍ଷଣ ଶେଷ ପର୍ଯ୍ୟାୟରେ ରହିଥିବା ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ପ୍ରକାଶ କରିବା ସହ ସୋମବାର କ୍ଷୟକ୍ଷତିର ରିପୋର୍ଟ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି।
Follow Us