ଧାନ ବିକ୍ରି ନପାରି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment
ଧାନ ବିକ୍ରି ନପାରି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଯୋଗାଣ ଅଫିସ୍‌ ଆଗରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଚାଷୀ ଅଫିସ୍‌ ସମ୍ମୁଖସ୍ଥ ଏକ ଗଛକୁ ଚଢ଼ି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ତେବେ, ଯୋଗାଣ ବିଭାଗ କର୍ମଚାରୀ ସେଠାରେ ତୁରନ୍ତ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ଟୋକନ ଲାପ୍ସ ହୋଇଯିବା ପ୍ରତିବାଦରେ ସେ ଏହିଭଳି ଚରମ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି। ଚାଷୀ ଜଣକ ହେଉଛନ୍ତି, ନୂଆପଡ଼ା ବ୍ଲକ ସାରାବଙ୍ଗ ପେକ୍ସ ଅଧୀନ ସାଧୁପଣ୍ଡରୀପାଣି ଗାଁର ଲିଖିନ ଦାସ। ଅଭିଯୋଗ ଅନୁସାରେ, ମେ ୩୧ତାରିଖରେ ଲିଖିନଙ୍କ ଟୋକନ ଆସିଥିଲା। ଟୋକନ ପାଇବାପରେ ଜୁନ୍‌ ୨ତାରିଖରେ ସେ ପଞ୍ଚମପୁର ମଣ୍ଡିକୁ ଧାନ ଆଣି ରଖିଥିଲେ। ବହୁଦିନ ଧରି ଧାନ ପଡ଼ିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା।

ଏଥିପାଇଁ ସେ ବହୁବାର ନୂଆପଡ଼ା ଯୋଗାଣ ଅଫିସ୍‌କୁ ଯାଇ ଧାନ ଉଠାଣ ପାଇଁ ଯୋଗାଣ ଅଧିକାରୀଙ୍କୁ ନିବେଦନ କରିଥିଲେ। ହେଲେ, ଟାର୍ଗେଟ ଆସିଲେ ଧାନ ଉଠିବ ବୋଲି ଅଧିକାରୀମାନେ ତାଙ୍କୁ କହିଥିଲେ। ଶେଷରେ, ଧାନ ଉଠାଣ ହୋଇନଥିବାବେଳେ ଗତ ୨୪ ତାରିଖ ଦିନ ଟୋକନ ଅବଧି ସରିଯାଇଥିଲା। ଫଳରେ, ଲିଖିନ ଚିନ୍ତାରେ ପଡ଼ିଥିଲେ। ଧାର୍‌ ଟଙ୍କା ମାଗିବାପାଇଁ ପ୍ରତିଦିନ ଲୋକମାନେ ଆସିବା ବି ତାଙ୍କ ଚିନ୍ତାକୁ ବଢ଼ାଇ ଦେଇଥିଲା। ଯେଉଁଥିପାଇଁ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗରୁ ଜଣାପଡ଼ିଛି। ପରେ ଯୋଗାଣ ଅଧିକାରୀ ପି. ପ୍ରଭାକର ପାତ୍ରୋ ପହଞ୍ଚି ଚାଷୀଙ୍କ ସହ  ଆଲୋଚନା କରିଥିଲେ। ତେବେ, ୨୪ ଘଣ୍ଟା ଭିତରେ ଚାଷୀଙ୍କ ଧାନ ଉଠାଣ କରିବାକୁ ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏଥିସହିତ, ଜିଲ୍ଲାରେ ଲାପ୍ସ ଟୋକନ ଉପରେ ରାଜ୍ୟସରକାରଙ୍କୁ ଜଣାଇ ଦିଆଯାଇଛି। ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ ବୋଲି ଶ୍ରୀ ପାତ୍ରୋ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe