ବିକ୍ରି ଅବ୍ୟବସ୍ଥା: ଧାନ ବସ୍ତା ରଖି ରାଜପଥ ଅବରୋଧ କଲେ ଚାଷୀ

Advertisment
ବିକ୍ରି ଅବ୍ୟବସ୍ଥା: ଧାନ ବସ୍ତା ରଖି ରାଜପଥ ଅବରୋଧ କଲେ ଚାଷୀ

ଦେବଗଡ଼/ରିଆମାଳ : ଜିଲ୍ଲାରେ ବିଭିନ୍ନ ସେବା ସମବାୟ ସମିତିରେ ଟାର୍ଗେଟ୍‌ ନଥିବାରୁ ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ଏହା ସହିତ ଚାଷୀଙ୍କ ଟୋକନ୍‌ ଲ୍ୟାପ୍‌ସ ହୋଇଯାଇଛି। ତୁରନ୍ତ ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିଗୁଡ଼ିକୁ ଟ‌ାର୍ଗେଟ୍‌ ପ୍ରଦାନ କରାଯିବା ସହିତ ଟୋକନ୍‌ଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଇ ଚାଷୀଙ୍କଠାରୁ ଧାନ କ୍ରୟ କରିବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏନେଇ ଶନିବାର ରିଆମାଳ ବ୍ଲକ ଅନ୍ତର୍ଗତ ତାରଙ୍ଗ ସମବାୟ ସମିତି ଚାଷୀମାନେ ଏସଏଚ -୨୪ରେ ଧାନ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ରହିଛି।

ଉକ୍ତ ସେବା ସମବାୟ ସମିତିରେ ଜାନୁଆରି ୧୮ ତାରିଖରୁ ଧାନ କିଣା ବନ୍ଦ ରହିଛି। ଏନେଇ ଚାଷୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ଫଳ ମିଳି ନଥିଲା। ବାଧ୍ୟ ହୋଇ ଆଜି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବର୍ତମାନ ସୁଦ୍ଧା ସେବା ସମବାୟ ସମିତିରେ ମାତ୍ର ୧୩ ହଜାର କ୍ୱିଣ୍ଟାଲ୍‌ ଧାନ କ୍ରୟ ହୋଇଥିଲେ ସୁଦ୍ଧା ପଚାଶ ପ୍ରତିଶତ ଧାନ କ୍ରୟ ହୋଇ ନ ଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଜିଲ୍ଲାରେ ୧୭ ହଜାର ୬୯୮ଜଣ ଚାଷୀ ପଂଜିକୃତ କରିଥିବାବେଳେ ୧୧ ହଜାର ୬୩୫ଜଣ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଥିବା ଯୋଗାଣ ବିଭାଗ ସୂରୁ ପ୍ରକାଶ। ଚଳିତ ବର୍ଷ ଚାଷୀମାନେ ସରକାରଙ୍କ ନିୟମ ଅନୁସାରେ ଧାନ ବିକ୍ରି କରିବା ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ପଂଜିକୃତ କରିଥିଲେ। ସେହି କ୍ରମରେ ରିଆମାଳ ବ୍ଲକ ଅନ୍ତର୍ଗତ ତାରଙ୍ଗ ସେବା ସମବାୟ ସମିତିର ଚାଷୀମାନେ ମଧ୍ୟ ଅନଲାଇନ୍‌ ମାଧ୍ୟମରେ ପଂଜିକୃତ କରିଥିଲେ। ଏହା ସହିତ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ନ ହୋଇ ପଡ଼ି ରହିଛି। ସେହିପରି ଅଦିନିଆ ବର୍ଷା ଏବଂ କୋହଲା ପାଗ ଚାଷୀଙ୍କ ପରିଶ୍ରମର ଫଳକୁ ନଷ୍ଟ କରିବାର ଆଶଙ୍କା ଦେଖାଦେଇଛି।

ଚାଷୀ ନେତା ପଂଚାନନ ବେହେରାଙ୍କ ନେତୃତ୍ବରେ ଭରତ ସାହୁ, ମୋହନ ସାହୁ, ସରୋଜ ପ୍ରଧାନ, ଶ୍ରୀବତ୍ସ ମହାକୁଳ, ଅଶୋକ ବିଶି, ଧରଣୀ ସାହୁ ପ୍ରମୁଖ ଚାଷୀନେତାଙ୍କ ସମେତ ବହୁ ଚାଷୀ ରାସ୍ତାରୋକରେ ସାମିଲ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ ସେବା ସମବାୟ ସମିତିରେ ୬୩୭ ଚାଷୀ ପଂଜିକୃତ କରିଥିବାବେଳେ ସେଥିମଧ୍ୟରୁ ୩୭୫ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ସେଥିମଧ୍ୟରୁ ୨୬୨ଜଣ ଚାଷୀ ବର୍ତ୍ତମାନ ସୁଦ୍ଧା ଧାନ ବିକ୍ରି କରି ନାହାନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe