ମଣ୍ଡିରେ ଅଚଳାବସ୍ଥା: ଉଠିପାରୁନି ଚାଷୀଙ୍କ ଧାନ, ରାସ୍ତା ଅବରୋଧ କଲେ ଚାଷୀ

ମଣ୍ଡିରେ ଅଚଳାବସ୍ଥା: ଉଠିପାରୁନି ଚାଷୀଙ୍କ ଧାନ, ରାସ୍ତା ଅବରୋଧ କଲେ ଚାଷୀ

ତେନ୍ତୁଳିଖୁଣ୍ଟି: ଚଳିତ ବର୍ଷ ମଣ୍ଡି ଖୋଲିବାର ଦୁଇ ସପ୍ତାହରୁ ଊର୍ଦ୍ଧ୍ବ ସମୟ ବିତିଲାଣି। ତଥାପି ଏଯାବତ ଅନେକ ଚାଷୀଙ୍କ ଧାନ ମଣ୍ଡିରୁ ଉଠିପାରୁ ନାହିଁ। ମଣ୍ଡିରେ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡୁନାହିଁ। ଫଳରେ ଏଯାବତ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ଚାଷୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡୁଛି। ବାସନ ଧାନକୁ ମିଲର ଉଠେଇବା ପାଇଁ ଅମଙ୍ଗ ହେଉଥିବା ବେଳେ ଏହାର ସମାଧାନର ବାଟ ଏଯାବତ ନବାହାରିବା ଶାସକ ଓ ପ୍ରଶାସକଙ୍କ ପାରିବା ପଣିଆକୁ ପଦାରେ ପକେଇଛି।

ଅନ୍ୟପଟେ ମିଲର ଆଜି ମଣ୍ଡିକୁ ଆସିନଥିବା ଯୋଗୁଁ ପୂଜାରୀଗୁଡ଼ା ମଣ୍ଡିରୁ ଧାନ ଉଠିପାରିନି, ଯାହାକୁ ନେଇଁ ଆଜି ଅଞ୍ଚଳର ଚାଷୀ ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ। ଦିନ ସାଢ଼େ ଗୋଟାଏରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିଲା। ଏହାପରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ମୁଦୁଲି ଘଟଣାସ୍ଥଳରେ ପହଂଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ରାସ୍ତା ଅବରୋଧ ହଟିବା ସହ ଗୁରୁବାର ମଣ୍ଡିରୁ ଧାନ ଉଠିବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ମଣ୍ଡିରେ ପ୍ରାୟ ୨ ହଜାର କ୍ୟୁଣ୍ଟାଲରୁ ଊର୍ଦ୍ଧ୍ବ ଧାନ ଆସିଥିଲା। ସେଥିରୁ ପ୍ରାୟ ୩ ଶହ କୁଇଣ୍ଟାଲ ବାସନ ଧାନ ରହିଥିବା ସୂଚନା ମିଳିଛି। ଅନ୍ୟପଟେ ବୁଧବାର ପୂର୍ବାହ୍ନ ୧୦ଟାରେ ଆରଏମସି କର୍ମଚାରୀ ଏବଂ ଲ୍ୟାମ୍ପସ କର୍ମଚାରୀ ମଣ୍ଡିରେ ଉପସ୍ଥିତ ଥିଲେ ହେଁ କୌଣସି ମିଲର ମଣ୍ଡିକୁ ଆସିନଥିଲେ। ଫଳରେ ଚାଷୀଙ୍କ ଧାନ ଉଠି ପାରିନଥିଲା। ଏହାକୁ ନେଇଁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାପରେ ଚାଷୀକୁଳ ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ଧାରଣା ପଦର୍ଶନ କରିଥିଲେ।

ତେବେ ତେନ୍ତୁଳିଖୁଣ୍ଟି ତହସିଲଦାର ଶ୍ରୀ ମୁଦୁଲି ମଣ୍ଡିରେ ପହଂଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟର ଆଲୋଚନା ପରେ ନିଷ୍କର୍ଷ ବାହାରିଥିଲା। ଗୁରୁବାର ଚାଷୀଙ୍କ ଧାନ ଉଠିବ ବୋଲି ତହସିଲଦାର ପ୍ରକାଶ କରିବା ସହ ୧୦ ଘଣ୍ଟା ସୁଦ୍ଧା ଟେଗ ହୋଇଥିବା ସମସ୍ତ ମିଲର ମଣ୍ଡିରେ ଉପସ୍ଥିତ ରହି ସହଯୋଗ କରିବାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe