ମଣ୍ଡି ଅବ୍ୟବସ୍ଥା, ଜାତୀୟ ରାଜପଥ ଅବରୋଧ କଲେ ୫ ଗ୍ରାମର ଚାଷୀ

ମଣ୍ଡି ଅବ୍ୟବସ୍ଥା, ଜାତୀୟ ରାଜପଥ ଅବରୋଧ କଲେ ୫ ଗ୍ରାମର ଚାଷୀ

ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଛନ୍ତି। ଧାନ ବିକ୍ରିରେ ସ୍ବଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଟୋକନ୍‌ ବ୍ୟବସ୍ଥା ଆରମ୍ଭ କରିଥିଲେ। ବର୍ତ୍ତମାନ ଜିଲ୍ଲାରେ ବିଭିନ୍ନ ସେବା ସମବାୟ ସମିତିରେ ଟାର୍ଗେଟ୍‌ ନଥିବା ଯୋଗୁଁ ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ଏହା ସହିତ ଚାଷୀମାନଙ୍କ ଟୋକନ୍‌ ମଧ୍ୟ ଲ୍ୟାପ୍‌ସ ହୋଇଯାଇଛି। ତୁରନ୍ତ ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିଗୁଡ଼ିକୁ ଟ‌ାର୍ଗେଟ୍‌ ପ୍ରଦାନ କରାଯିବା ସହିତ ଟୋକନ୍‌ଗୁଡ଼ିକୁ ପୁନଃକାର୍ଯ୍ୟକ୍ଷମ କରାଯାଇ ଚାଷୀମା‌ନଙ୍କଠାରୁ ଧାନ କ୍ରୟ କରିବା ପାଇଁ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀଙ୍କ ଧାନ ସରକାରଙ୍କ ପକ୍ଷରୁ କିଣାଯାଉ ନଥିବାବେଳେ ଚାଷୀ ପାଇଥିବା ଟୋକନ୍‌ର ଅବଧି ସମାପ୍ତ ହୋଇଯାଇଥିବାରୁ ଚାଷୀ ଧାନ ବିକ୍ରି କରି ନପାରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଗୁରୁବାର ତିଲେଇବଣି କୃଷକ ସଂଘ ପକ୍ଷରୁ ଗୁଣ୍ଡେଇମରା ଗ୍ରାମ ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥରେ ଧାନବସ୍ତା ରଖି ଚାଷୀମାନେ ଧାରଣା ଦେଇଥିଲେ। ଏଥିରେ ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ କେନ୍ଦେଇଝୁରି, ପାଳକୁଦର, ସଡ଼ୋ, କଂସର ଓ ଢୋଲପଡ଼ା ଅଞ୍ଚଳର ଶତାଧିକ ଚାଷୀ ସାମିଲ ହୋଇଥିଲେ। ସଂପୃକ୍ତ ଅଂଚଳର ଚାଷୀଙ୍କ ଟୋକନ୍‌ର ପୁନଃ ନବୀକରଣ, ପଞ୍ଜିକୃତ ଚା‌ଷୀଙ୍କ ସମସ୍ତ ଧାନ କିଣିବା ଏବଂ ସେବା ସମବାୟ ସମିତିଗୁଡ଼ିକୁ ଧାନ କ୍ରୟ ପାଇଁ ଆବଶ୍ୟକ ଟାର୍ଗେଟ୍‌ ପ୍ରଦାନ କରିବା ପାଇଁ ଚାଷୀମାନେ ଦାବି କରି ରାସ୍ତାରୋକ କରିଥିଲେ। ଫଳରେ ସମ୍ବଲପୁର- ଦେବଗଡ଼ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଯାନବାହାନ ଅଟକି ରହିଥିଲା। ଏଥିରେ ଜିଲ୍ଲା କୃଷକ ସଂଘର ସଭାପତି ପ୍ରମୋଦ ଝାଙ୍କର, ତିଲେଇବଣି ବ୍ଲକ କୃଷକ ସଂଘର ସଭାପତି ଅଚ୍ୟୁତ ନାୟକ, ସଂପାଦକ ପ୍ରମୋଦ ସାହୁ, ସଂଘର ଉପଦେଷ୍ଟା ଗଙ୍ଗାଧର ନାୟକଙ୍କ ସମେତ ଉକ୍ତ ୫ ଗ୍ରାମର ବହୁ ଚାଷୀ ସାମିଲ ହୋଇଥିଲେ। ଏହାସହିତ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀ ଚାଷୀଙ୍କ ନିକଟକୁ ଆଲୋଚନା ପାଇଁ ପହଂଚି ନଥିବା ଜଣାପଡ଼ିଛି। ସନ୍ଧ୍ୟାରେ ପୁଲିସ ଚାଷୀମାନଙ୍କ ସହିତ ଆଲୋଚନା କରି ରାସ୍ତାରୋକକୁ ଉଠାଇଥିଲା। ଏହାପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe