ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି, ଖଡ଼ିଆଳରେ ରାଜପଥ ଅବରୋଧ

ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି, ଖଡ଼ିଆଳରେ ରାଜପଥ ଅବରୋଧ

ଖଡ଼ିଆଳ : ଖଡ଼ିଆଳ ବ୍ଲକ୍‌ ଖାସବାହାଲ ଓ ଦୋହେଲପଡ଼ା ପଞ୍ଚାୟତର ଚାଷୀମାନଙ୍କୁ ଗତ ବର୍ଷର ଫସଲ ବୀମା ରାଶି ମି​ଳିନାହିଁ। ଏଥିପାଇଁ ସୋମବାର ସେମାନେ ରାଜରାସ୍ତାକୁ ଓହ୍ଲାଇ ଖଡ଼ିଆଳ-ଭବାନୀପାଟଣା ରାଜ୍ୟ ରାଜପଥ ୧୬କୁ ଅବରୋଧ କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଧାରଣାରେ ବସିଥିଲେ। ଏହା ବ୍ୟତୀତ ବ୍ଲକ୍‌କୁ ମରୁଡ଼ି ଅଞ୍ଚଳ ଘୋଷଣା, ଇନ୍‌ପୁଟ ସବସିଡ୍‌ ପ୍ରଦାନ, ଲୋୟର ଇନ୍ଦ୍ର ପ୍ରକଳ୍ପ ତିଖାଲି ଜଳ ଭଣ୍ଡାରରୁ ଜଳସେଚନ ବ୍ୟବସ୍ଥା ଓ ଆର୍‌ଆଇ ସର୍କଲ ସରଧାପୁର ବଦଳରେ ପୂର୍ବପରି ତୁକଲା ଆର୍‌ଆଇ ସର୍କଲରେ ରଖିବା ଦାବିରେ ୨ଟି ପଞ୍ଚାୟତର ଚାଷୀମାନେ ରାସ୍ତାରୋକ କରିଥିଲେ।

ସୋମବାର ସକାଳ ସାଢ଼େ ୬ଟାରୁ ଚାଷୀମାନେ ଟେଣ୍ଟ୍‌ ପକାଇ ରାସ୍ତାରୋକ କରିଥିବାରୁ ୨ ପାର୍ଶ୍ବରେ ଯାତାୟାତ ଠପ୍‌ ହୋଇଯାଇଥିଲା। ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ନୂଆପଡ଼ାର ଆବାହକ ଯଦୁମଣି ପାଣିଗ୍ରାହୀ ଓ ଉନ୍ଦେର ନଦୀ ଉପାନ୍ତ ଅଞ୍ଚଳ ଚାଷୀ କ୍ରିୟାନୁଷ୍ଠାନ କମିଟି ଚାନ୍ଦୋତାରା ପକ୍ଷରୁ ସଭାପତି ଉମାକାନ୍ତ ସାହୁ ଓ ସମ୍ପାଦକ ରୂପେଶ ବେହେରା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ। ରାସ୍ତା ଅବରୋଧ ଖବର ପାଇ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୂପିନ୍ଦର ସିଂହ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଜିଲ୍ଲାପାଳ ନଆସିବା ଯାଏ ରାସ୍ତାରୋକ ଜାରିରହିବ ବୋଲି ଚାଷୀମାନେ ଜିଦ୍‌ ଧରିଥିଲେ। ପରେ ଅତିରିକ୍ତ ତହସିଲଦାର ଜିଲ୍ଲା ପ୍ରଶାସନ ସହ କଥା ହୋଇଥିଲେ, ଗତ ତାରିଖ ୨୮.୮.୨୧ ଏନେଇ ଜିଲ୍ଲାପାଳ ବୀମା କମ୍ପାନି ଓ କୃଷି ବିଭାଗକୁ ଚିଠି କରିଥିବା ଜିଲ୍ଲାପାଳ ଅଫିସରୁ ଜଣାଯାଇଥିଲା। ଅତିଶୀଘ୍ର ଚାଷୀଙ୍କ ସମସ୍ୟା ସମାଧାନ କରାଯିବାର ପ୍ରତିଶ୍ରୁତି ମିଳିବା ପରେ ଅବରୋଧ ହଟିଥିଲା। ଚାଷୀଙ୍କ ଅନ୍ୟ ଦାବି ନେଇ ବିଚାର କରାଯିବ ବୋଲି ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ।

ଖଡ଼ିଆଳ ଆଇଆଇସି କୈଳାସ ସେଠୀଙ୍କ ନେତୃତ୍ୱରେ ପୁଲିସ ପ୍ରଶାସନ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ମନୋଜ ବେହେରା, ପ୍ରେମଲାଲ ବାଗ, ମନଧର ମାଝୀ, ଭୀମରାଜ ବେହେରା, କୁନୁ ବେହେରା, ବାଞ୍ଛାନିଧି ବେହେରା, ଚନ୍ଦ୍ରଶେଖର ବେହେରା, ଅରବିନ୍ଦ ବେହେରା, ହରି ଟାହାଣି, ଠାକୁର ଭୋଇ, ବୈଲୋଚନ ବେହେରା, ଟୁନା ବେହେରା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe