ଚାଷୀଙ୍କୁ ବେଡ଼ି ଉପରେ କରୋଡ଼ା ମାଡ଼

Advertisment

ମଣ୍ଡି ଶିଥିଳ ସାଙ୍ଗକୁ ଧାନ ବିକିଲେ ବି ପ୍ରାପ୍ୟ ମିଳୁନି

ମଣ୍ଡି ଶିଥିଳ ସାଙ୍ଗକୁ ଧାନ ବିକିଲେ ବି ପ୍ରାପ୍ୟ ମିଳୁନି

ଚାଷୀଙ୍କୁ ବେଡ଼ି ଉପରେ କରୋଡ଼ା ମାଡ଼

Gaon Connection English

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରେ ଗତବର୍ଷ ଡିସେମ୍ବର ମାସ ୧୬ ତାରିଖରୁ ସରକାରୀସ୍ତରରେ ଚାଷୀଙ୍କଠୁ ଧାନ କିଣା ଆରମ୍ଭ ହୋଇଛି ସତ। କିନ୍ତୁ ତାହା କେବଳ କାଗଜକଲମରେ ସୀମିତ ହୋଇ ରହିଯାଇଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି। ଗ‌ୋଟିଏ ପଟେ ଟୋକନ୍ ଥାଇ ବି ଚାଷୀଙ୍କୁ ଟାର୍ଗେଟ୍ ମିଳୁ ନଥିବା ବେଳେ ଅନ୍ୟପଟେ ମଣ୍ଡିରେ ଧାନକିଣା ତ୍ବରାନ୍ବିତ ହୋଇପାରୁନି। ଆଉ ଏଭଳି ପରିସ୍ଥିତିରେ ବେଡ଼ି ଉପରେ କରୋଡ଼ା ମାଡ଼ ନ୍ୟାୟରେ ଚାଷୀଙ୍କୁ ଧାନ ବିକିଲେ ବି ଠିକଣା ସମୟରେ ସେମାନେ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି। କିଛି ଚାଷୀ ଧାନ ବିକି ୧୮ ଦିନ ବିତିସାରିଥିଲେ ହେଁ, ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ଏଯାଏ ଟଙ୍କା ଆସିପାରିନି। ଧାନ ବିକ୍ରିର ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଇବାର ସରକାରୀ ବ୍ୟବସ୍ଥା ରହିଥିବା ବେଳେ ଏହା ଯେମିତି ଚାଷୀଙ୍କ ପାଇଁ ମୂଲ୍ୟହୀନ ହୋଇପଡ଼ିଛି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍‌ର ଅନେକ ଚାଷୀ ଏହି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଧାନକିଣା ସଂପୂର୍ଣ୍ଣ ଭାବେ ଅବ୍ୟବସ୍ଥିତ ହୋଇପଡ଼ିଥିବା ମା’କାଳୀ କୃଷକ କ୍ଲବ୍ ସଭାପତି ରବୀନ୍ଦ୍ର ଶତପଥୀ ଅଭିଯୋଗ କରିଛନ୍ତି। ଗତ ୧୦ ତାରିଖରୁ ଚାଷୀଙ୍କ ଆକାଉଣ୍ଟ୍‌କୁ ଆଉ ଟଙ୍କା ଆସୁ ନଥିବା ବେଳ‌େ ଅଧିକାରୀମାନଙ୍କଠୁ ସନ୍ତୋଷଜନକ ଉତ୍ତର ମିଳୁ ନଥିବା ସେ ପ୍ରକାଶ କରିଛନ୍ତି। କେବଳ ଏତିକି ନୁ‌ହେଁ, ମିଲର୍‌ମାନେ କଟ୍‌ନିଛଟ୍‌ନି ନୀତି ଆପଣାଇ କ୍ବିଣ୍ଟାଲ୍ ପିଛା ୭ କେଜି ଲେଖାଏଁ ଅଧିକ ଧାନ ମାଗୁଛନ୍ତି। ଚାଷୀ ପାଖରେ ଧାନ ଜମା ହୋଇ ରହିଥି‌ଲେ ବି ମିଲର୍‌ମାନେ ଏହାକୁ ନେଉନାହାନ୍ତି। କେବଳ ଟାର୍ଗେଟ୍‌ ନାହିଁ ଆଳ ଦେଖାଇ ଚାଷୀମାନଙ୍କୁ ହଇରାଣ କରାଯାଉଥିବା ଶ୍ରୀ ଶତପଥୀ ଅଭିଯୋଗ ଆଣିଛନ୍ତି।

ବର୍ତ୍ତମାନ ଧାନକ୍ରୟ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିବାରୁ ଚାଷୀ ପୁଣି ଅକଳରେ ପଡ଼ିଛି। ଭଞ୍ଜନଗର ଉପଖଣ୍ଡରେ ଚଳିତବର୍ଷ ୧୬୧ଟି ସ୍ଥାନରେ ୪୨ ହଜାର ୦୦୧ ଜଣ ଚା‌ଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଥିଲେ। ତନ୍ମଧ୍ୟରୁ ୪୧ ହଜାର ୯୨୭ ଜଣ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥିମଧ୍ୟରୁ ଉପଖଣ୍ଡର ୮ ଟି ବ୍ଲକ୍‌ରେ ଆଜିସୁଦ୍ଧା ୬୦ ପ୍ରତିଶତ ଧାନ ବିକ୍ରି ହୋଇଥିବା ବିଭାଗୀୟ ସୁତ୍ରରୁ ଜଣାପଡ଼ିଛି। ଏଯାବତ୍ ଉପଖଣ୍ଡକୁ ଧାନକ୍ରୟ ପାଇଁ ୧୩ ଲକ୍ଷ ୭୫ ହଜାର ୩୮୮ କ୍ବିଣ୍ଟାଲ୍‌ ଟାର୍ଗେଟ ଆସିଥିବା ବେଳେ ୧୧ ଲକ୍ଷ ୫୦ ହଜାର ୪୭୦ କ୍ବିଣ୍ଟାଲ୍ ଧାନ କିଣାଯାଇଛି। ଯେଉଁଥିରେ ୨୪ ହଜାର ୮୫୮ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଯାହାକି ଟ‌ାର୍ଗେଟ୍‌ର ୮୩.୬୫ ପ୍ରତିଶତ ବୋଲି ଉପଖଣ୍ଡ ଯୋଗାଣ ଅଧିକାରୀ ଅସିତ୍‌ ମହାନ୍ତି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଆକାଉଣ୍ଟ୍‌କୁ ୧୩ ତାରିଖରୁ ଟଙ୍କା ଆସୁ ନଥିବା ଚାଷୀମାନେ ଅଭିଯୋଗ କରିବା ପରେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। କିଛି ବୈଷୟିକ ତ୍ରୁଟି ଯୋଗୁଁ ଟଙ୍କା ଯାଇପାରିନି। ତ‌େବେ ଉପଖଣ୍ଡରେ କେତେ ଚାଷୀ ଧାନ ବିକ୍ରି କରିବା ପରେ ପ୍ରାପ୍ୟ ପାଇନାହାନ୍ତି ଏନେଇ ତାଙ୍କ ପାଖରେ ତଥ୍ୟ ନଥିବା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe