ଚାଷୀଙ୍କୁ ମିଳୁନି ବିହନ, ସାର

Advertisment
ଜଳସେଚନ ପାଇଁ ପୋଖରୀ ଓ ଗଭୀର କୂଅ: ଉପକୃତ ହେଉଛନ୍ତି ଆଦିବାସୀ ଚାଷୀ

ଅନୁଗୁଳ: ଏଥର ସଅଳ ଆସିଛି ମୌସୁମୀ। ଅନୁଗୁଳରେ ବର୍ଷା ଆରମ୍ଭ ହୋଇ ନଥିଲେ ମଧ୍ୟ ଓଡ଼ିଶାରେ ମୌସୁମୀ ପହଞ୍ଚିଥିବାରୁ କେତେବେଳେ ବି ବର୍ଷା ଆରମ୍ଭ ହୋଇପାରେ। ଆଉ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଚାଷୀ। ମଝିରେ ମଝିରେ ବର୍ଷା ହେଉ ଥିବାରୁ ଚାଷୀ ଜମିକୁ ହଳ କରି ଚାଷ ପାଇଁ ପ୍ରସ୍ତୁତ କଲାଣି। ମୌସୁମୀ ବର୍ଷା ଆରମ୍ଭ ହେଉ ହେଉ ବିଲରେ ଧାନ ତଳି ପକାଇବ। ‌‌ହେଲେ ଆଠମଲ୍ଲିକରେ ଏ ପର୍ଯ୍ୟନ୍ତ ଚାଷୀ ବିହନ ପ‌ାଇ ନାହାନ୍ତି। ପ୍ରାୟ ଅଧା ଚାଷୀଙ୍କ ପାଖରେ ବିହନ ପହଞ୍ଚି ନ ଥିଲାବେଳେ ସାର ଏପର୍ଯ୍ୟନ୍ତ ଆସିନି। ଏହା ଚାଷୀଙ୍କୁ ଅଡ଼ୁଆ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଜି ସୁଦ୍ଧା ଜିଲ୍ଲାର ପ୍ରାୟ ଅଧା ଚାଷୀଙ୍କ ଧାନ ବିହନ ପହଞ୍ଚି ଥିଲାବେଳେ ଆବଶ୍ୟକ ଅନୁସାରେ ରାସାୟନିକ ସାର ଆସିନି। ଫଳରେ ଚାଷ ପାଇଁ ତରବର ହେଉଥିବା ଚାଷୀ ଆରମ୍ଭରୁ ଚିନ୍ତାରେ ପଡ଼ିଲାଣି।

ଅନୁଗୁଳରେ ଚାଷ ପ୍ରାୟତଃ ମୌସୁମୀ ଉପରେ ନିର୍ଭର କରିଥାଏ। ଏଠାରେ ଜଳସେଚିତ ଜମି କମ୍‌ ଥିବାରୁ ରବିରେ ଚାଷବାସ ପ୍ରାୟ ହୁଏନି। ଖରିଫ ଚାଷକୁ ଚାଷୀ ଗୁରୁତ୍ବ ଦେଉଥିଲା ବେଳେ ଏଥର ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଚାଷ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ରଜ ପରେ ପରେ ବୁଣାବୁଣି ଆରମ୍ଭ ହେବ। ଧାନ ସହିତ ଡାଲି ଓ ତୈଳବୀଜ ଜାତୀୟ ଫସଲ ପାଇଁ ବିହନ ପକାଇବେ ଚାଷୀ। ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ ଏହି ଖରିଫ୍‌ରେ ପ୍ରାୟ ୮୦ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବ ବୋଲି ଆକଳନ କରାଯାଇଛି। ପ୍ରାୟ ୨୫ ହଜାର ହେକ୍ଟର ଜମିରେ ଡାଲିଜାତୀୟ ଓ ୧୮ ହଜାର ହେକ୍ଟର ଜମିରେ ତୈଳବୀଜ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ପ୍ରସ୍ତୁତି ସରିଥିଲେ ମଧ୍ୟ ଚାଷୀଙ୍କ ପାଖରେ ବିହନ ପହଞ୍ଚିଛି। ଅନୁଗୁଳ ଓ ପାଳଲହଡ଼ା ଅଞ୍ଚଳରେ ବିହନ ନେଇ ସମସ୍ୟା ନ ଥିଲେ ମଧ୍ୟ ଆଠମଲ୍ଲିକ ଉପଖଣ୍ଡରେ ଏ ପର୍ଯ୍ୟନ୍ତ ବିହନ ପହଞ୍ଚିନି। ସରକାର ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ) ମାଧ୍ୟମରେ ବିହନ ଯୋଗାଇବାକୁ ଯୋଜନା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ଯଥେଷ୍ଟ ପରିମାଣର ବିହନ ପହଞ୍ଚିନି। କିଛି ପ୍ୟାକ୍ସ ବିହନ ନେଇ ନ ଥିବାରୁ ସମସ୍ୟା ହୋଇଛି।

ସୂଚନା ଅନୁସାରେ, ଧାନ ଚାଷ ପାଇଁ ଏଥର ଅନୁଗୁଳ ଜିଲ୍ଲାରେ ୮ ହଜାର କୁଇଣ୍ଟାଲରୁ ଅଧିକ ବିହନ ଆବଶ୍ୟକ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ବିଭିନ୍ନ ପ୍ୟାକ୍ସ ମାତ୍ର ୪ ହଜାର ୭୫ କୁଇଣ୍ଟାଲ ବିହନ ଉଠାଇଛନ୍ତି। ପୁଣି ଏହା ସବୁ ଚାଷୀଙ୍କ ପାଖରେ ପହଞ୍ଚିନି। ଦି‌ନେ ଦୁଇଦିନ ହେଲା ବିହନ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିହନ ନିଗମ ପାଖରେ ଯଥେଷ୍ଟ ବିହନ ମହଜୁଦ ଥିଲେ ମଧ୍ୟ କିଛି ପାକ୍ସ ବିଳମ୍ବରେ ବିହନ ଉଠାଉଥିବାରୁ ସମସ୍ୟା ହୋଇଛି। ଯେଉଁ ପ୍ୟାକ୍ସରେ ବିହନ ମିଳୁଛି ଚାଷୀମାନେ ତାହା ସଂଗ୍ରହ କରୁଛନ୍ତି। ଯେଉଁ ଅଞ୍ଚଳରେ ପ୍ୟାକ୍ସ ବିହନ ନେଇନାହାନ୍ତି, ସେଠାରେ ଚାଷୀମାନେ ଅସୁବିଧାରେ ପଡ଼ିଛନ୍ତି। ତେଣୁ ଜିଲ୍ଲାର ଅଧାଅଧି ଚାଷୀଙ୍କ ପାଖରେ ବିହନ ପହଞ୍ଚିପାରିନି। ଏଥିନେଇ ବିହନ ନିଗମ ପକ୍ଷରୁ କୁହାଯାଇଛି ଯେ, ନିଗମ ପାଖରେ ବିହନ ରହିଛି। କିଛି ପାକ୍ସ ବିହନ ନେଇନାହାନ୍ତି। ଦିନେ ଦୁଇଦିନ ଭିତରେ ବିହନ ସବୁ ଅଂଚଳରେ ପହଞ୍ଚିପାରିବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏପଟେ ଆରମ୍ଭରୁ ରାସାୟନିକ ସାର ଅଭାବ ‌ଦେଖା ଦେଲାଣି। ଜିଲ୍ଲାକୁ ଚଳିତବର୍ଷ ମାତ୍ର ୭୭୫ ‌ମେଟ୍ରିକ ଟନ୍‌ ୟୁରିଆ ଆସିଛି। ଏହାକୁ ୩୨ଟି ପାକ୍ସ ଭିତରେ ବାଣ୍ଟି ଦିଆଯାଇଛି। ଅନୁଗୁଳ ଜିଲ୍ଲାରେ ଖରିଫ ଋତୁରେ ୫୮୫୦ ମେଟ୍ରିକ ଟନ୍‌ ୟୁରିଆ, ୩ ହଜାର ମେଟ୍ରିକ ଟନ୍‌ ଡିଏପି, ୨ ହଜାର ମେଟ୍ରିକ ଟନ୍‌ ଏମ୍‌ଓପି ସାର ଆବଶ୍ୟକତା ରହିଛି। ଜିଲ୍ଲାରେ ଥିବା ଅଧାରୁ ଅଧିକ ପ୍ୟାକ୍ସ କେଜିଏ ହେଲେ ବି ସାର ପାଇନାହାନ୍ତି। ଉଦ୍‌ବେଗର ବିଷୟ, କେତେ ସାର ଦରକାର ସେଥିନେଇ ତାଲିକା ଏୟୁସିସି ବ୍ୟାଙ୍କ ପକ୍ଷରୁ ମାର୍କଫେଡ୍‌କୁ ଦିଆଯାଇନି। ଏଣୁ ଏଥର ସାର ଯୋଗାଣ ବିଳମ୍ବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe