କଟ୍‌ନି ଛଟ୍‌ନିରେ ରହୁନି ଲଗାମ୍: ଧାନ ବିକ୍ରି ପାଇଁ ତତ୍ପର ଚାଷୀ, ବିବାଦ ପାଇଁ ଚାଷୀ ମୁଣ୍ତରେ ଚଡ଼କ

Advertisment
କଟ୍‌ନି ଛଟ୍‌ନିରେ ରହୁନି ଲଗାମ୍: ଧାନ ବିକ୍ରି ପାଇଁ ତତ୍ପର ଚାଷୀ, ବିବାଦ ପାଇଁ ଚାଷୀ ମୁଣ୍ତରେ ଚଡ଼କ

ଦଶପଲ୍ଲା: ମଣ୍ତିରୁ ଧାନ କିଣାକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିବାଦୀୟ ପରିସ୍ଥିତି ଉପୁଜିଛି। ମିଲର୍ ଏବଂ ପ୍ରଶାସନ ମଧ୍ୟରେ ଦେଖାଦେଇଥିବା ବିବାଦର ସ୍ଥାୟୀ ସମାଧାନ ହୋଇ ପାରିନଥିବା ବେଳେ ଏହାର ପ୍ରଭାବ ଏବେ ସିଧାସଳଖ ଚାଷୀଙ୍କ ଉପରେ ଦେଖିବାକୁ ମିଳିଛି। ଧୀରେଧୀରେ ବିଭିନ୍ନ ମଣ୍ତିରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ କଟ୍‌ନି ଛଟ୍‌ନି ପ୍ରତି କୈାଣସି ଲଗାମ୍ ରହୁନଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଡିହଗାଁ ସ୍ଥିତ ପ୍ୟାକ୍ସରେ। ମଣ୍ତିରୁ ଧାନ ସଂଗ୍ରହ ପୂର୍ବରୁ ଗତ ୨୨ ତାରିଖ ଦିନ ଚାଷୀ, ମିଲର୍ ଏବଂ ସମ୍ପାଦକଙ୍କୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମଣ୍ତି ସମୟରେ କ୍ବିଣ୍ଟାଲ୍ ପ୍ରତି ୬ କିଲୋ ଧାନ କଟ୍‌ନି କରିବା ପାଇଁ ନିଷ୍ପତି ହୋଇଥିଲା। ହେଲେ ଏହାର ପରଦିନ ମଣ୍ତି ଖୋଲିଥିବା ବେଳେ କ୍ବିଣ୍ଟାଲ୍ ପ୍ରତି ୭ କିଗ୍ରା ଧାନ କଟାଯାଇଥିଲା।

ଏପରିକି କୈାଣସି ଧାନ ଯଦି ମଇଳା କିମ୍ବା ସାମାନ୍ୟ ଓଦା ଥିବ ସେଥିରୁ ପ୍ରାୟ ୧୦ରୁ ୧୫ କିଗ୍ରା ପର୍ଯ୍ୟନ୍ତ ମନଇଛା ଧାନ କଟ୍‌ନି କରାଯାଇଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଏହି କଟ୍‌ନି ଛଟ୍‌ନି ପ୍ରତି ନିର୍ଦ୍ଦିଷ୍ଟ ଭାବେ କୈାଣସି ଲଗାମ୍ ରହୁନଥିବା ହେତୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ବର୍ଷାକୁ ନେଇ ଅଧିକାଂଶ ଚାଷୀଙ୍କ ଧାନର ମାନ ପରିବର୍ତ୍ତନ ହେବା ସହ ଅଧିକାଂଶ ଧାନ ମଇଳା ହୋଇଛି। ହେଲେ ଏହି କଟ୍‌ନି ପ୍ରତି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଚାଷୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe