ଗଞ୍ଜାମରେ ବ୍ୟାପିଲା ଚାଷୀ ଆନ୍ଦୋଳନ ନିଆଁ: ବୁରୁଝରି ପରେ ସୁମଣ୍ଡଳ, ଶାଙ୍କୁଡ଼ାରେ ରାସ୍ତା ଅବରୋଧ

ଶୀତ ରାତି ରାସ୍ତାରେ ରୋଷେଇ, ସେଇଠି ଶୋଇଲେ

ଗଞ୍ଜାମରେ ବ୍ୟାପିଲା ଚାଷୀ ଆନ୍ଦୋଳନ ନିଆଁ: ବୁରୁଝରି ପରେ ସୁମଣ୍ଡଳ, ଶାଙ୍କୁଡ଼ାରେ ରାସ୍ତା ଅବରୋଧ

ବେଗୁନିଆପଡ଼ା: ମଣ୍ଡିରେ ଅବ୍ୟବସ୍ଥା, ମିଲର୍‌ଙ୍କ ମନମୁଖି ଓ କଟ୍‌ନି ଛଟ୍‌ନି ନୀତି ପ୍ରତିବାଦରେ ଗଞ୍ଜାମ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଉଗ୍ରରୂପ ନେଇଛି। ଗତକାଲି ବେଗୁନିଆପଡ଼ା ବ୍ଲକ୍ ବୁରୁଝରି ସେବା ସମବାୟ ସମିତିରେ ପଞ୍ଜୀକୃତ ୩୦୦ରୁ ଅଧିକ ଚାଷୀ ଧାନବସ୍ତା ରଖି ଅଙ୍ଗାରଗାଁ-ବେଗୁନିଆପଡ଼ା ରାସ୍ତା ଉପରେ ‌ଅହୋରାତ୍ର ଧାରଣା ଆରମ୍ଭ କରିଛନ୍ତି। ଏହାର ୨୪ ଘଣ୍ଟା ନବିତୁଣୁ, ଆଜି ଭୋର୍ ୫ଟାରୁ ସୁମଣ୍ଡଳ ଓ ଭାଲିଆଝରର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସୂଚନା ଅନୁସାରେ, ଶତାଧିକ ଚାଷୀ ସୁମଣ୍ଡଳ ବଜାରରେ ବାଉଁଶ ବ୍ୟାରିକେଡ଼୍ ନିର୍ମାଣ ସହ ଧାନବସ୍ତା ରଖି ଅଙ୍ଗାରଗାଁ-ବ୍ରହ୍ମପୁର ଓ ଅଙ୍ଗାରଗାଁ-ଭୁବନେଶ୍ବର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଅଚଳାବସ୍ଥା ଦେଖାଦେଇଛି। ସେପଟେ ବୁରୁଝରିର ଚାଷୀମାନେ ରାସ୍ତା ଉପରେ ଶୀତ ରାତି ବିତାଇଥିବାବେଳେ ଆଜି ମଧ୍ୟାହ୍ନରେ ରାସ୍ତା ଉପରେ ଭାତଡାଲମା ରୋଷେଇ କରି ଖାଇଛନ୍ତି। ଏହାସହ ସୁମଣ୍ଡଳରେ ବି ଚାଷୀ ଆଜି ମଧ୍ୟାହ୍ନରେ ରୋଷେଇ କରିଛନ୍ତି। ଖାଲି ଏତିକି ନ‌ୁହେଁ, ଶାଙ୍କୁଡ଼ା ପଞ୍ଚାୟତର ଶାଙ୍କୁଡ଼ା‌ରେ ବି ଆଜି ଅପରାହ୍‌ଣରୁ ଚାଷୀମାନେ ଅଙ୍ଗାରଗାଁ-ବେଗୁନିଆପଡ଼ା ରାସ୍ତାକୁ ବନ୍ଦ କରିଦେଇଥିବାରୁ ପ୍ରଶାସନ ଓ ପୁଲିସର ମୁଣ୍ଡବ୍ୟଥା ବଢ଼ିଯାଇଛି। କିନ୍ତୁ ଏଯାଏ କୌଣସି ନିର୍ଯାସ ବାହାରିନି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।

ଚାଷୀଙ୍କ ଅଭିଯୋଗ ଅନୁସା‌ରେ, ଗତ ଲଗାଣ ବର୍ଷାରେ ବେଗୁନିଆପଡ଼ା ବ୍ଲକ୍‌ର ୨୩ଟି ପଞ୍ଚାୟତରୁ କେବଳ ୨ଟି ପଞ୍ଚାୟତକୁ କ୍ଷତିଗ୍ରସ୍ତ ବୋଲି ଘୋଷଣା କରାଯାଇଛି। ବାକି ୨୧ଟି ପଞ୍ଚାୟତକୁ ବାଦ୍ ଦିଆଯାଇଛି। କେଉଁ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହେଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ମିଲର୍‌ମା‌ନେ ୭୫ କିଲୋ ବଦଳରେ ୮୦ କିଲୋ ଧାନ ଦେବାକୁ ବାଧ୍ୟ କରୁଛନ୍ତି। ଯଦି ଅଧିକ ଧାନ କିଣିବା ପାଇଁ ମିଲର୍ କହୁଛନ୍ତି, ତେବେ କାହିଁକି ଧାନର ଗ୍ରେଡ଼ିଂ କରାଯାଉଛି ? ସେହିପରି ୨୧ଟି ପଞ୍ଚାୟତରେ ଯଦି ଧାନ କ୍ଷତି ହୋଇନି, ତା’ହେଲେ ଖରାପ ଧାନ କୁଆଡ଼ୁ ଆସିଲା ବୋଲି ଆନ୍ଦୋଳନକାରୀ କହିଛନ୍ତି। ସେପଟେ ଆସନ୍ତା ୨୮ ତାରିଖରୁ ଟୋକନ୍ ଅବଧି ସରିବାକୁ ବସିଥିବା ବେ‌ଳେ ଚାଷୀ ଧାନ ବିକ୍ରି କରି ନପାରି ଚିନ୍ତାରେ ପଡ଼ିଛନ୍ତି। ଏଣୁ ଟୋକନ୍ ଅବଧି ସରିବା ପୂର୍ବରୁ ତୁରନ୍ତ ଚାଷୀମାନଙ୍କ ଧାନ କିଣିବା ଦିଗରେ ପଦ‌କ୍ଷେପ ନେବାକୁ ଦାବି ଜୋର୍ ଧରିଛି। ଆଉ ବୁରୁଝରି ଓ ସୁମଣ୍ଡଳରେ ଚାଷୀମାନେ ରାସ୍ତାରୋକ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା, ତିନିଟି ସ୍ଥାନରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୌଣସି ପ୍ରାଶାସନିକ ଅଧିକାର ପହଞ୍ଚିନାହାନ୍ତି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe