ସରକାର ବିରୋଧରେ ଷଡ଼ଯନ୍ତ୍ର କି?

Advertisment
ସରକାର ବିରୋଧରେ ଷଡ଼ଯନ୍ତ୍ର କି?

ଭୁବନେଶ୍ୱର : ଧାନ ବିଲ ପୋଡ଼ିି ଓ ଚାଷୀ ଆତ୍ମହତ୍ୟା ପଛରେ ଷଡ଼ଯନ୍ତ୍ର ସନ୍ଦେହ କରୁଛନ୍ତି ସରକାର। ଏ ନେଇ ଅନୁଧ୍ୟାନ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକସ୍ଥଳେ ପୁଲିସର ସହଯୋଗ ନେବା ଲାଗି ମଧ୍ୟ କୁହାଯାଇଛି।

କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଲେ, ଧାନ ଚାଷ ଓଡ଼ିଶାରେ ନୂଆ ନୁହେଁ। କାହିଁ କେତେ ହଜାର ବର୍ଷ ତଳୁ ଏଠାରେ ଧାନ ଚାଷ ହେଉଛି। ଓଡ଼ିଶାର ଚାଷୀ ବେପାର ପାଇଁ ଏବେ ଚାଷ କରୁନାହାନ୍ତି।

ସରକାରୀ କ୍ଷତିପୂରଣ ବ୍ୟବସ୍ଥା ମଧ୍ୟ ବହୁ ଦିନର ନୁହେଁ। କିନ୍ତୁ ଗୋଟିଏ କଥା ବୁଝାପଡୁନାହିଁ ଯେ ଯେଉଁ ଚାଷ ଜମିକୁ ଚାଷୀ ଲକ୍ଷ୍ମୀ ବୋଲି ବିବେଚନା କରିଥାଏ, ଧାନ ଫଳିବା ବେଳେ ହେଉ କି ଅମଳ ବେଳେ ଦେବତା ଭାବେ ମନେକରି ପୂଜା କରିଥାଏ, ସେହି ଚାଷୀ ଧାନବିଲରେ ନିଆଁ ଲଗାଇବ କେମିତି? ସରକାରଙ୍କୁ ବଦନାମ କରିବା ଲାଗି କେହି ଉଦ୍ୟମ କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।

ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣା ସଂପର୍କରେ ମନ୍ତ୍ରୀ କହିଥିଲେ, ଏହି ମାମଲାଟି ସରକାରଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିଛି। କାରଣ ପୂର୍ବଦିନ ବୃନ୍ଦାବନ ଚାଷ ଜମି ପୋଡି ନିଜ ପ୍ରତିବାଦ ଜଣାଇଥିଲେ। ହେଲେ ପରଦିନ ସକାଳେ ଏମିତି କଣ ଘଟିଲା ଯେ ଲୋକମାନଙ୍କ ଉପସ୍ଥିତିରେ ଆତ୍ମହତ୍ୟା ପାଇଁ ସେ ବିଷପାନ କଲେ, ଅଥଚ କେହି ତାଙ୍କୁ ଏଥିରୁ ନିବୃତ୍ତ ପାଇଁ ଉଦ୍ୟମ କଲେନି? ସେ କହିଥିଲେ, ସାଧାରଣତଃ କେହି ଆତ୍ମହତ୍ୟା ଉଦ୍ୟମ ଲୋକେ ଲୁଚିକରି କରିଥାନ୍ତି। କାଳେ ତାଙ୍କୁ କିଏ ରୋକିଦେବ। ଏ କ୍ଷେତ୍ରରେ ସର୍ବସମ୍ମୁଖରେ ସବୁ କଥା ଘଟିଲା। ବାସ୍ତବରେ କେହି ବୃନ୍ଦାବନଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରବର୍ତାଇ ନାହାନ୍ତି ବା ଉସୁକାଇ ନାହାନ୍ତି ତ? ଏହାର ତଦନ୍ତ ଆରମ୍ଭ ହୋଇଛି। ତେବେ ନିର୍ଦିଷ୍ଟ କିଏ ଏଭଳି ଷଡ଼ଯନ୍ତ୍ର ରଚନା କରିଛି, ପ୍ରତିପକ୍ଷ ରାଜନୈତିକ ଦଳ ନା ଆଉ କିଏ, ଏ ନେଇ ମନ୍ତ୍ରୀ ଠୋସ୍‌ ଭାବେ କିଛି କହିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe