farmer's market is cheating the farmer! Photograph: (sambad.in)
ରାଉରକେଲା: ପାନପୋଷ ନିୟନ୍ତ୍ରିତ ବଜାର କମିଟି ଦ୍ବାରା ପରିଚାଳିତ ସିଭିଲ ଟାଉନ୍ ସିପ୍ କୃଷକ ବଜାର ଚାଷୀଙ୍କୁ ଧୋକା ଦେଉଥିବା ଅଭିଯୋଗ ହେଉଛି। ମରାମତି ଅଭାବରୁ ବିପଦସଙ୍କୁଳ ସ୍ଥିତିରେ ରହିଛି କୃଷକ ବଜାର। ପିଣ୍ଡିର ଛାତଗୁଡ଼ିକୁ ଏଭଳି ସ୍ଥିତିରେ ଅଛି ଯେ, କେଉଁ ମୂହୂର୍ତ୍ତରେ ଗଳିପଡ଼ିବ।
ଚାଷୀ ଓ ରାଜନୈତିକ ଦଳଗୁଡ଼ିକ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ଫଳ ଶୂନ। ସେମିତି କମିଟି ପକ୍ଷରୁ ମଧ୍ୟ ଧ୍ୟାନ ଦିଆଯାଉନି। ବାଧ୍ୟ ହୋଇ ଚାଷୀମାନେ ପିଣ୍ଡି ସମ୍ମୁଖ ଖୋଲା ଆକାଶ ତଳେ ବସି ପରିବା ବିକୁଛନ୍ତି। ବର୍ଷ ବର୍ଷ ଧରା ଖରାବର୍ଷାରେ ଚାଷୀମାନେ ଏମିତି ହରାଇଣ ହରକତ ହେଉଥିଲେ ହେଁ, ଏମାନଙ୍କ ଦୁଃଖ ଶୁଣିବାକୁ ଯେମିତି କାହାରି ପାଖରେ ସମୟ ନାହିଁ।
କୃଷକ ବଜାରରେ ମୋଟ ୬ଟି ସେଡ୍ରେ ୧୨ ପିଣ୍ଡିର ରହିଛି। ପଣ୍ଡିରେ ୧୫୦ରୁ ଅଧିକ ଚାଷୀ ପନିପରିବାର ବିକିବାର ବ୍ୟବସ୍ଥା କରାଯାଇଛି। ସେମିତି ଏଠାରେ ମିନି ଶୀତଳଭଣ୍ଡାର ନିର୍ମାଣ, କେବଳ ପ୍ରସ୍ତାବରେ ଅଟକ ରହିଛି। ନିକଟରେ ବିଜେପିର ପ୍ରତିନିଧି କୃଷକ ବଜାର ମରାମତି ପାଇଁ ପାନପୋଷ ଉପଜିଲ୍ଲାପାଳଙ୍କୁ ଭେଟିଥିଲେ। ଉପଜିଲ୍ଲାପାଳ ମରାମତି ପାଇଁ ଆଇଟିଡିଏକୁ କୁହାଯାଇଛି ବୋଲି ବିଜେପି ପ୍ରତିନିଧିଙ୍କୁ କହିଥିଲେ। ପରେ ବିଜେପି ନେତାମାନେ ଆଇଟିଡିଏର ଅଧିକାରୀଙ୍କୁ ଭେଟିଥିଲେ।
କନିଷ୍ଠ ଯନ୍ତ୍ରୀ ନଥିବାରୁ ମରାମତି କାମ ବିଳମ୍ବ ହେଉଛି ବୋଲି ଅଧିକାରୀ ନେତାମାନଙ୍କୁ କହିଥିଲେ। ଏକମାତ୍ର କୃଷକ ବଜାରର ଏଭଳି ଦୟନିୟ ସ୍ଥିତି ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଚୁପ୍ ବସିଛନ୍ତି। ସରକାର ବଦଳିବା ପରେ କୃଷକ ବଜାର, ମାର୍କେଟ ୟାର୍ଡଗୁଡ଼ିକର ବିକାଶ ହେବ ବୋଲି ଯେଉଁ ଆଶା କରାଯାଉଥିବା, ତା’ ବିଫଳ ହୋଇଛି। ଆଗାମୀ ଦିନରେ ହେବ କି ନାହିଁ, ନିୟନ୍ତ୍ରିତ ବଜାର କମିଟି କର୍ମକର୍ତ୍ତାମାନେ କହିପାରୁ ନାହାନ୍ତି।
ସେପଟେ ୨୦୧୪ରୁ ବାଲୁଘାଟରେ ହୋଲସେ୍ଲ କୃଷକ ବଜାର ସେମିତି ଶିଳାନ୍ୟାସରେ ଅଟକି ରହିଛି। ସିଭିଲଟାଉନସିପ୍ କୃଷକ ବଜାର ନୁହେଁ, କୁଆରମୁଣ୍ଡା, ଲାଠିକଟା, ବିଶ୍ରା ଓ ନୂଆଗାଁରେ ରହିଥିବା ମାର୍କେଟ ୟାର୍ଡଗୁଡ଼ିକରେ ମଧ୍ୟ ସମାନ ସ୍ଥିତି। ଅନ୍ୟପଟେ କମିଟିର ପଦପଦବୀ ହାତେଇବାକୁ ରାଜନୈତିକ ଦଳର ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲୁଛି। ପଦ ହାତେଇବା ପରେ ଚାଷୀଙ୍କ ବିକାଶକୁ ଏମାନେ ସମ୍ପୂର୍ଣ୍ଣ ପାସୋରି ଯାଉଛନ୍ତି ବୋଲି ଅଭିଯୋଗ ହେଉଛି।
sundargarh
Follow Us