ସାର ପାଇଁ ଗଞ୍ଜାମ ଚାଷୀ ବ୍ୟାକୁଳ, ‌ବେପାରୀ ଲୁଟୁଛନ୍ତି

Advertisment

୨୬୬ ଟଙ୍କାର ବସ୍ତାକୁ କିଣୁଛନ୍ତି ୫୦୦ ଟଙ୍କାରେ

୨୬୬ ଟଙ୍କାର ବସ୍ତାକୁ କିଣୁଛନ୍ତି ୫୦୦ ଟଙ୍କାରେ

ସାର ପାଇଁ ଗଞ୍ଜାମ ଚାଷୀ ବ୍ୟାକୁଳ, ‌ବେପାରୀ ଲୁଟୁଛନ୍ତି

Genetic Literacy Project

ପ୍ରତାପୁର/ବ୍ରହ୍ମପୁର : ଖରିଫ୍‌ ଋତୁ ଆରମ୍ଭ ‌ହୋଇସାରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କୁ ସାର ଚିନ୍ତା ଘାରିଛି। ସରକାରୀ ଭାବେ ସମବାୟ ସମିତିରେ ସାର ଉପଲବ୍ଧ ହୋଇ ପାରୁ ନାହିଁ। ମୁନାଫାଖୋର୍ ବ୍ୟବସାୟୀ ଏହାର ସୁଯୋଗ ନେଇ କଳାବଜାର ଆରମ୍ଭ କରି ଦେଇଛନ୍ତି। ମନଇଚ୍ଛା ଦର କଷୁଛନ୍ତି। ଆଉ ବିଚରା ଚାଷୀଟି ପରିସ୍ଥିତ ସହ ସାଲିସ୍ କରି ଚଢ଼ା ଦରରେ ସାର କିଣି ଏକପ୍ରକାର ଲୁଟି ହେଉଛନ୍ତି। ଜମିରେ ସାର ପ୍ରୟୋଗ କରିବାର ସମୟ ଗଡ଼ିଯାଉଛି। ଏଣୁ ଏମ୍‌ଆର୍‌ପି ଯାହା ତା’ଠାରୁ ପ୍ରାୟ ଦୁଇଗୁଣ ଦରରେ ପ୍ୟାକେଟ୍‌ କିଣିବାକୁ ବାଧ୍ୟ ହେଉଛନ୍ତି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତର କଥାକୁ ବିଚାରରେ ନେ‌ଲେ, ଏଠାରେ ଚାଷୀ ସାର ପାଇଁ ବ୍ୟାକୁଳ ହେଉଛନ୍ତି। କିନ୍ତୁ ସାର କେଉଁଠି ମିଳୁଛି ତାହା ଠିକ୍ ଭାବେ ଜଣାପଡ଼ୁନି। ରାଜ୍ୟ ବାହାରୁ ଆସୁଥିବା ବିଭିନ୍ନ କମ୍ପାନିର ସାର ପ୍ୟାକେଟ୍‌ରେ ମୂଲ୍ୟ ୨୬୬ ଟଙ୍କା ଲେଖାଯାଇଛି। ତେବେ କିଛି ବ୍ୟବସାୟୀ ୪୭୦ ଟଙ୍କାରେ ତ, ଆଉ କିଛି ବ୍ୟବସାୟୀ ୫୦୦ ଟଙ୍କା ଓ ତା’ଠାରୁ ଅଧିକ ଦରରେ ବିକ୍ରି କରୁଛନ୍ତି। ଚାଷୀ ବାଧ୍ୟ ହୋଇ ସାର କିଣୁଥିବା ବେଳେ ବେପାରୀ ମାଲାମାଲ୍ ହେଉଛନ୍ତି। କେବଳ ପ୍ରତାପୁର ପଞ୍ଚାୟତ ନୁହେଁ, ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡ଼ିକରେ ବି ସମାନ ସ୍ଥିତି ଉପୁଜିଛି। ଚାଷୀ ଓ ଚାଷର ବିକାଶ ପାଇଁ ରାଜ୍ୟ ସରକାର ମାଳମାଳ ଯୋଜନା ହାତକୁ ନେଉଛନ୍ତି। କିନ୍ତୁ ସାର, ବିହନ ଯୋଗାଣ ଓ ବ୍ୟବସ୍ଥିତ ଢଙ୍ଗରେ ଧାନ ବିକ୍ରି ପାଇଁ ସରକାରଙ୍କ ଚିନ୍ତା ନାହିଁ ବୋଲି ପ୍ରତାପୁର ଓ କୁଡୁତାଇ ଅଞ୍ଚଳର ଚାଷୀମାନେ କହିଛନ୍ତି।

୭୨ ହଜାରରୁ ୬୮ ହଜାର ଏମ୍‌ଟି ଆସିଛି, ଅଗ୍ରିମ ଦେଇ ସୋସାଇଟି ଉଠାଉନାହାନ୍ତି
ମାର୍କଫେଡ୍ ଯୋଗାଉଛି, ଡିଲର୍‌ ଓ ବେପାରୀଙ୍କ ହାତରେ ଟେକିଦେଇଛି

publive-image kst-transportation.com

ଗଞ୍ଜାମ ଜିଲ୍ଲା ପାଇଁ ଖରିଫ୍‌ ଚାଷରେ ପ୍ରାୟ ୭୨ହଜାର ମେଟ୍ରିକ୍‌ ଟନ୍‌(ଏମ୍‌ଟି) ସାର ଆବଶ୍ୟକ ହୋଇଥା‌ଏ। ତନ୍ମଧ୍ୟରୁ ପ୍ରାୟ ୬୮ହଜାର ଏମ୍‌ଟି ସାର ଜିଲ୍ଲାରେ ପହଞ୍ଚି ସାରିଥିବା କୃଷି ବିଭାଗ କହୁଛି। ମା‌ର୍କଫେଡ୍‌ ଜରିଆରେ ଜିଲ୍ଲାର ସେବା ସମବାୟ ସମିତି ଓ ଘରୋଇ ଡିଲର୍‌ମାନେ ସାର ନେଇଥାନ୍ତି। ସେମାନଙ୍କ ଠାରୁ ଚାଷୀ ସବ୍‌ସିଡିରେ ସାର କ୍ରୟ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଅଗ୍ରିମ ଟଙ୍କା ପୈଠ କରିବା ପରେ ସାର ଦିଆଯାଉଛି। ଏଣୁ ଅଧିକାଂଶ ସମିତି ଟଙ୍କା ପୈଠ କରି ନଥିବାରୁ ସାର ନେଇପାରି ନାହାନ୍ତି। ଏହାର ଫାଇଦା ଉଠାଇ ବେପାରୀମାନେ ସାର କଳାବଜାର ଆରମ୍ଭ କରି ଦେଇଥିବା ଚାଷୀ ମହଲରେ ଅଭିଯୋଗ ହୋଇଛି।

ଜଗନ୍ନାଥପ୍ରସାଦ ବ୍ଲକ୍ କୃଷି ଅଧିକାରୀ ଅଭିଜିତ ପ୍ରଧାନ କହିଛନ୍ତି, ବ୍ଲକ୍‌ର ୧୮ଟି ସମବାୟ ସମିତିରୁ ମାତ୍ର ୫ଟି ସମିତି ସାର ଉଠାଇଛନ୍ତି। ଆଗାମୀ ଦିନରେ ଅନ୍ୟମାନେ ସାର ଉଠାଇବେ। ପ୍ରଥମେ ଟଙ୍କା ବାନ୍ଧି ସାର ଉଠାଉଥିବାରୁ ଓ ଗଚ୍ଛିତ ପାଇଁ ସ୍ଥାନ ଅଭାବରୁ ସମସ୍ୟା ଉପୁଜୁଛି। ପ୍ରତାପୁର, କୁଡୁତାଇ, ଗେରେଡା ଓ କ୍ଷେତମୁଣ୍ଡଳୀ ପଞ୍ଚାୟତରେ କୌଣସି ପ୍ରାଇଭେଟ ଡିଲର ମଧ୍ୟ ନଥିବା ବେଳେ ଚାଷୀ ମାନେ ସାର ନ ପାଇ କଳାବଜାରର ଶିକାର ହେଉଛନ୍ତି। ପ୍ରଶାସନ ସାର ଯୋଗାଣ ଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe