୨୨ଟି ମଣ୍ଡିରେ ଭିଜୁଛି ୬୭ ହଜାର ବସ୍ତା ଧାନ, ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହ ଆଗରେ ଚାଷୀଙ୍କ ଧାରଣା

Advertisment

ସିଏସ୍‌ଓଙ୍କୁ ତଳେ ବସାଇ କଲେ ଆଲୋଚନା

ସିଏସ୍‌ଓଙ୍କୁ ତଳେ ବସାଇ କଲେ ଆଲୋଚନା

୨୨ଟି ମଣ୍ଡିରେ ଭିଜୁଛି ୬୭ ହଜାର ବସ୍ତା ଧାନ, ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସାରାବଙ୍ଗ ଓ ଧରମବନ୍ଧା ମଣ୍ଡିରେ ଧାନ ପଡ଼ିରହିଛି। ବର୍ତ୍ତମାନ ବର୍ଷା ଯୋଗୁ ଧାନ ଭିଜୁଥିବା ସମୟରେ ଯୋଗାଣ ବିଭାଗ ମଣ୍ଡିରୁ ଧାନ ଉଠାଣ ବନ୍ଦ କରିଦେଇଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଧରମବନ୍ଧା ଓ ସାରାବଙ୍ଗର ଶତାଧିକ ଚାଷୀ ନୂଆପଡ଼ା ପହଞ୍ଚି ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହ ଆଗରେ ଧାରଣାରେ ବସିଯାଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀଙ୍କ ପାଖକୁ ଆସି ଆଲୋଚନା ନକରିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଥିଲେ। ପରେ ଚାଷୀଙ୍କ ପାଖକୁ ନୂଆପଡ଼ା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରୋ ପହଞ୍ଚିଥିଲେ। ଚାଷୀମାନେ ତଳେ ବସିଥିବା ବ‌େଳେ ଯୋଗାଣ ଅଧିକାରୀଙ୍କୁ ମଧ୍ୟ ଚାଷୀମାନେ ତଳେ ବସାଇ ଧାନ କିଣା ଉପରେ ଆଲୋଚନା କରିଥିଲେ।

ଚାଷୀଙ୍କ ଅଭିଯୋଗ ଅନୁସାରେ, ସାରାବଙ୍ଗ ପ୍ୟାକ୍ସରେ ୧୦୪ ଜଣ ଚାଷୀଙ୍କ ୧୪ ହଜାର ୫୯୬ ବସ୍ତା ଓ ଧରମବନ୍ଧା ପ୍ୟାକ୍ସରେ ୧୩୭ ଜଣ ଚାଷୀଙ୍କ ୧୭ ହଜାର ୨୨୩ ବସ୍ତା ଧାନ ପଡ଼ିରହିଥିବା ବେଳେ ଯୋଗାଣ ବିଭାଗ ଏହି ଦୁଇଟି ପ୍ୟାକ୍ସରୁ ଧାନ ଉଠାଣ ବନ୍ଦ କରିଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ପାତ୍ରୋ ତୁରନ୍ତ ଉଭୟ ପ୍ୟାକ୍ସକୁ ଟାର୍ଗେଟ ଦେବା ସହ ମଣ୍ଡିରୁ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଚାଷୀମାନେ ଧାରଣାରୁ ଉଠିଯାଇଥିଲେ। ଏହି ଧାରଣାରେ ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀ, ଜିଲ୍ଲା ପରିଷଦ ସଭସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଚତୁର୍ଭୁଜ ଶର୍ମା, ଦିଲୀପ ନିର୍ମଲକର ସହ ଧରମବନ୍ଧା ଓ ସାରାବଙ୍ଗର ବହୁ ଚାଷୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଜିଲ୍ଲାର ୨୨ଟି ମଣ୍ଡିରେ ୫୩୦ ଜଣ ଚାଷୀଙ୍କ ୬୭ ହଜାର ୪୭୮ ବସ୍ତା ଧାନ ପଡ଼ିରହିଛି। ତାହା ମୌସୁମୀ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳିଛି। ବର୍ଷାରେ ଧାନ ଭିଜିବା ସହ କିଛି ଚାଷୀଙ୍କ ଧାନ ମଣ୍ଡିରେ ଗଜା ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ଆଜି ସୁଦ୍ଧା ୭ ହଜାର ୮୩୩ ଜଣ ଚାଷୀଙ୍କ ଠାରୁ ୪ ଲକ୍ଷ ୨୧ ହଜାର ୪୨୬ କ୍ବିଣ୍ଟାଲ ଧାନ ଯୋଗାଣ ବିଭାଗ କ୍ରୟ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ତୁରନ୍ତ ମଣ୍ଡିରେ ପଡ଼ିଥିବା ଧାନ କ୍ରୟ କରାଯାଉ ବୋଲି ଚାଷୀ ସଂଗଠନ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe