ଚାରିଦିନ ହେଲା ରାସ୍ତାରେ ଚାଷୀ, ଆନ୍ଦୋଳନ ତୀବ୍ର: ରାସ୍ତା ଉପରେ ହଳଲଙ୍ଗଳ ବୁଲିଲା

Advertisment
ଚାରିଦିନ ହେଲା ରାସ୍ତାରେ ଚାଷୀ, ଆନ୍ଦୋଳନ ତୀବ୍ର: ରାସ୍ତା ଉପରେ ହଳଲଙ୍ଗଳ ବୁଲିଲା

ବେଗୁନିଆପଡ଼ା : କଟ୍‌ନି ଛଟ୍‌ନି ନୀତି ଓ ମିଲର୍‌ମାନଙ୍କ ମନମୁଖି ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ବୁରୁଝରି, ସାଙ୍କୁଡ଼ା ଓ ସୁମଣ୍ଡଳରେ ଚାଲିଥିବା ଚାଷୀ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ୪ ଦିନ ବ୍ୟାପୀ ରାସ୍ତା ଅବରୋଧ ଚାଲିଥିବାବେଳେ ସେହି ରାସ୍ତା ଉପରେ ଶଗଡ଼ ଓ ହଳଲଙ୍ଗଳ ବୁଲିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏଯାଏ କୌଣସି ନିର୍ଯାସ ବାହାରୁ ନଥିବାରୁ ପ୍ରଶାସନ ଓ ଯୋଗାଣ ବିଭାଗ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଏତିକି ନୁହେଁ, ଏହି ଆନ୍ଦୋଳନକୁ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବ୍ୟାପକ କରିବାକୁ ଚାଷୀ ସଂଗଠନମାନେ କଡ଼ା ଚେତାବନୀ ଦେଇଛନ୍ତି। ସେପଟେ ଉତ୍ତମମାନର ଧାନ ନେବାକୁ ମିଲର୍ ମାନେ ବି ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ଏହାକୁ ନେଇ ଅଚଳାବସ୍ଥା ଦେଖାଦେଇଛି।

ସୂଚନା ଅନୁସାରେ, ଗତକାଲି ବୁରୁଝରିରେ ଆନ୍ଦୋଳନରତ ଚାଷୀମାନେ ସାଧାରଣତନ୍ତ୍ର ଦିବସ ପାଇଁ ମହାତ୍ମାଗାନ୍ଧୀଙ୍କ ଫଟୋ ରଖି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାସହ ବିଚ୍‌ରାସ୍ତାରେ ଶଗଡ଼ ଓ ହଳଲଙ୍ଗଲ ବୁଲାଇଥିଲେ। କିଛି ଚାଷୀ ଧାନ ରୋଇବା ବି ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ସାଙ୍କୁଡ଼ାରେ ଚାଷୀ ରାସ୍ତାରୋକ ଅବ୍ୟାହତ ରଖିବା ସହ ବେଲପଡ଼ା ଛକଯାଏ ଗଛ ପକାଇ କେନାଲ୍ ରାସ୍ତାକୁ ଅବରୋଧ କରିଥିଲେ। ଯାହାଫଳରେ ଯାନବାହନ ଚଳାଚଳ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ଠପ୍ ହୋଇଛି। କିଛି ସ୍ଥାନରେ ଗାଡ଼ି ଗଳାବାଟ ଦେଇ ଯାଉଥିବା ଦେଖିବାକୁ ମିଳିଛି। ସୁମଣ୍ଡଳ ଓ ସାଙ୍କୁଡ଼ାରେ ଚାଷୀମାନେ ଅଙ୍ଗାରଗାଁ-ବ୍ରହ୍ମପୁର ଓ ଅଙ୍ଗାରଗାଁ-ଭୁବନେଶ୍ୱର ରାସ୍ତାକୁ ଏଯାଏ ଅବରୋଧ କରି ରଖିଛନ୍ତି। ରାସ୍ତା ଉପରେ ହିଁ ରୋଷେଇ କରିବା ସହ ସେଠାରେ ରାତି କଟାଉଛନ୍ତି।

ଅନ୍ୟପକ୍ଷରେ ପ୍ରଶାସନ ଓ ଯୋଗାଣ ବିଭାଗ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ବାଟ ବାହାର କରୁ ନଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe