ବରଗଡ଼ରେ ଚାଷୀଙ୍କ ହୁଙ୍କାର : ‘କୌଣସି ସ୍ଥିତିରେ କୃଷି ବିଲ୍‌ ଗ୍ରହଣୀୟ ନୁହେଁ’

ବରଗଡ଼ରେ ଚାଷୀଙ୍କ ହୁଙ୍କାର : ‘କୌଣସି ସ୍ଥିତିରେ କୃଷି ବିଲ୍‌ ଗ୍ରହଣୀୟ ନୁହେଁ’

ବରଗଡ଼ : କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍‌ ବିରୋଧରେ ତାତି ଚାରିପଟେ ଖେଳି ଯାଇଛି। ଶନିବାର ବରଗଡ଼ଠାରେ ପଶ୍ଚିମ ଓଡ଼ିଶାର ଚାଷୀମାନେ ସମବେତ ହୋଇ କୃଷି ବିଲ୍‌ ବିରୋଧରେ ହୁଙ୍କାରିଛନ୍ତି। କୌଣସି ବି ସ୍ଥିତିରେ ଏହି ବିଲ୍‌କୁ ଗ୍ରହଣ କରାଯିବନି। କୃଷି ବିଲ୍‌ ନେଇ ଗଠିତ ହୋଇଥିବା କମିଟି କାର୍ଯ୍ୟ କରୁ ବା ନକରୁ, ଏଥିରେ ଚାଷୀଙ୍କ କିଛି ଲେଣଦେଣ ନାହିଁ। ଚାଷୀ କେବଳ କୃଷି ବିଲ୍‌ ପ୍ରତ୍ୟାହାର ଚାହୁଁଛନ୍ତି। ଏଥିପାଇଁ ଅନବରତ ଆନ୍ଦୋଳନ କରିବାକୁ ସଭିଏଁ ବଦ୍ଧ ପରିକର ବୋଲି ସ୍ଥାନୀୟ ଗାନ୍ଧୀ ଛକଠାରେ ଅନୁଷ୍ଠିତ ସମାବେଶରେ ମଂଚାସୀନ ଚାଷୀନେତାମାନେ ଆହ୍ବାନ ଦେଇଛନ୍ତି।

ଅନ୍ୟପକ୍ଷରେ ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ଦେବାକୁ ଦୃଢ଼ ଦାବି ହୋଇଛି। ପଶ୍ଚିମ ଓଡ଼ିଶା ସାରା ଧାନକିଣା ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ସମାବେଶରେ ଦୃଢ଼ ନିନ୍ଦା କରାଯାଇଛି। ଟୋକନ୍‌ ଏବଂ ଟ୍ୟାଗ୍‌ ଆଳ ଦେଖାଇ ଚାଷୀଙ୍କ ଧାନ କିଣାଯାଉନାହିଁ। ତେଣୁ ସରକାର ଟୋକନ୍‌ ଅବଧି ସରିଥିବା ଚାଷୀଙ୍କୁ ଅଗ୍ରାଧିକାର ଦେବା ସହିତ ସମସ୍ତ ଧାନ କିଣିବାକୁ ବ୍ୟବସ୍ଥା କରନ୍ତୁ ବୋଲି ଦାବି ହୋଇଛି। ଅନ୍ୟପକ୍ଷରେ କିଛି ଚାଷୀନେତା ଟୋକନ୍‌ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ କୃଷି ବିଲ୍‌କୁ ବାଣିଜ୍ୟ ଓ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ଆଇନ୍‌ ବୋଲି ବିବେଚନା କରାଯାଇଛି। ଏହି ଆଇନ୍‌ ବଳରେ କୃଷି କ୍ଷେତ୍ରର ବଜାର, ବିତରଣ ଏବଂ ଉତ୍ପାଦନ ବ୍ୟବସ୍ଥାରେ ବଡ଼ କମ୍ପାନି ପ୍ରବେଶ କରିବେ। ଫଳରେ ଚାଷୀ ନିଜ ହକ୍‌ ହରାଇ ବସିବ ବୋଲି ମତପ୍ରକାଶ ପାଇଛି। ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ଶକ୍ତ ଏବଂ ବ୍ୟାପକ କରାଯିବ ବୋଲି ଏହି ‘କୃଷକ ମୁକ୍ତି ସଂଗ୍ରାମ ପାଇଁ ସଂକଳ୍ପ ଦିବସ’ରେ ଚାଷୀମାନେ ଆହ୍ବାନ ଦେଇଛନ୍ତି।

ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ଆବାହକ ଲିଂଗରାଜ ଓ ଅଶୋକ ପ୍ରଧାନ, ସରୋଜ, ନିରଂଜନ ପ୍ରଧାନ, ବିଶ୍ବନାଥ କର, ଦିଲୀପ ପରେଇ, ବିରଂଚି ସାହୁ, ପ୍ରମୋଦ ଝାଙ୍କର, ବୈକୁଣ୍ଠ ଶତପଥୀ, ମୁରାରୀ ପୁରୋହିତ, ହରିଶଂକର ବେହେରା, ଅଶୋକ ସା, ଅଚ୍ୟୁତ ଖମାରୀ, ଲକ୍ଷ୍ମଣ ରଣବୀର, ପଞ୍ଚାନନ ପଧାନ, ଜୟ କିସାନ ଆନ୍ଦୋଳନର ହର ବଣିଆ, ରମେଶ ମହାପାତ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଷୀ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe