ନୂଆପଡ଼ା ପେକ୍ସ କର୍ମଚାରୀଙ୍କ ଅବହେଳା ହେତୁ ରବି ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ୨୮୬ ଚାଷୀ

ଚାଷୀଙ୍କ ଯୋଗାଣ ଅଫିସ ଘେରାଉ

ନୂଆପଡ଼ା ପେକ୍ସ କର୍ମଚାରୀଙ୍କ ଅବହେଳା ହେତୁ ରବି ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ୨୮୬ ଚାଷୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ରବି ଧାନକିଣା‌ରେ ଚାଷୀମାନେ ପୁଣି ହଇରାଣ ହେଉଛନ୍ତି। ନୂଆପଡ଼ା ପେକ୍ସ କର୍ମଚାରୀଙ୍କ ଅବହେଳା ହେତୁ ୨୮୬ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ। ଏହାକୁ ନେଇ ସୋମବାର ନୂଆପଡ଼ା ପେକ୍ସର ଚାଷୀ ଜିଲ୍ଲା ଯୋଗାଣ ଅଫିସ ଘେରାଉ କରିଥିଲେ। ଅଧିକାରୀଙ୍କୁ ଭେଟି ଆଲୋଚନା ବି କରିଥିଲେ। ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବଞ୍ଚିତ ହେବାକୁ ଥିବା ଚାଷୀମାନଙ୍କ ଧାନ ସଂଗ୍ରହ କରାଯିବ ବୋଲି କହିବାରୁ ଚାଷୀମାନେ ଫେରିଯାଇଥିଲେ।

ପ୍ରକାଶ ଯେ ଜିଲ୍ଲା ସଦର ପେକ୍ସରେ ଚଳିତ ବର୍ଷ ରବି ଧାନ ସଂଗ୍ରହ କରିବାକୁ ୬୦୦ ଜଣ ଚାଷୀ ଆବେଦନ କରିଥିଲେ। ପେକ୍ସରେ ସଂପାଦକ ଦୟଲାଲ ସାହୁ, ପୁଅ ଦୀନେଶ ସାହୁ, ଅରୁଣ ବାଗ ଏହି ଚାଷୀମାନଙ୍କ ତଦନ୍ତ କରି ୨୩ ମଇ ସୁଦ୍ଧା ନୂଆପଡ଼ା ଯୋଗାଣ ଅଧିକାରୀଙ୍କ ପାଖରେ ତଦନ୍ତ ରିପୋର୍ଟ ଦେବା କଥା। ହେଲେ ତଦନ୍ତ ଦାୟିତ୍ବରେ ଥିବା ପେକ୍ସ ସଂପାଦକଙ୍କ ପୁଅ ନୀଦେଶ ସାହୁ ୨୮୬ ଜଣ ଚାଷୀଙ୍କ ତଦନ୍ତ ରିପୋର୍ଟ ଜିଲ୍ଲା ଯୋଗଅଧିକାରୀଙ୍କ ପାଖରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଜମା କଲେ ନାହିଁ। ଫଳରେ ଚାଷୀମାନଙ୍କ ଟୋକନ୍ ଆସିନାହିଁ। ଟୋକନରୁ ବଞ୍ଚିଥିବା ଚାଷୀମାନେ ଯୋଗାଣ ଅଫିସରୁ ଜାଣିପାରିଥିଲେ ଯେ ସେମାନଙ୍କ ତଦନ୍ତ ରିପୋର୍ଟ ଦିଆଯାଇ ନାହିଁ। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ନୂଆପଡ଼ା ପେକ୍ସରେ ସଂପାଦକ ଦୟଲାଲ ସାହୁ ଥିବା ବେଳେ ଡିଇଓ ଭାବେ ତାଙ୍କ ପୁଅ ରହି ଚାଷୀମାନଙ୍କ ସହିତ ପ୍ରତିବର୍ଷ ଖେଳଖେଳୁଛନ୍ତି। ଏହା ଉପରେ ଜିଲ୍ଲା ଯୋଗାଣ ଅଧିକାରୀ, ଏଆର୍‌ସିଏସ୍‌ ଓ ଜିଲ୍ଲାପାଳ ଧ୍ୟାନ ଦେବା ସହ ବାପା ଓ ପୁଅଙ୍କୁ ପେକ୍ସରୁ ବାହାର କରିବାକୁ ଦାବି କରିଛନ୍ତି। ଏହି ସମସ୍ୟା ଆଜି ଯୋଗାଣ ଅଫିସ ଘେରାଉ କରିବା ସହ ଯୋଗାଣ ଅଧିକାରୀଙ୍କୁ ଚାଷୀ ହୋମ ସିଂ ମାଝୀ, ଦେବୀ ପ୍ରସାଦ ମିଶ୍ର, କୌସିକ ସାହୁ, ଦେବନ ସାହୁ, ଲଳିତ ସାହୁ, ଗଙ୍ଗାଧର ସାହୁ, ତରାଚନ୍ଦ ସାହୁ, ଭଗତ ସିଂ ପ୍ରମୁଖ ଭେଟିଥିଲେ।

ଚାଷୀମାନଙ୍କ ଧାନ ମଣ୍ଡିରେ ବିକ୍ରି ନହେଲେ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe