ପ୍ରତିଶ୍ରୁତି ଦେଇ ଓହରି ଯିବାରୁ ଉତ୍ତ୍ୟକ୍ତ ଚାଷୀଙ୍କ ବିକ୍ଷୋଭ

ପ୍ରତିଶ୍ରୁତି ଦେଇ ଓହରି ଯିବାରୁ ଉତ୍ତ୍ୟକ୍ତ ଚାଷୀଙ୍କ ବିକ୍ଷୋଭ

ଘଣ୍ଟାପଡ଼ା : ବୀମା ଟଙ୍କା ପ୍ରଦାନ ଦାବିରେ କଣ୍ଟାମାଳ ସେବା ସମବାୟ ସମିତିର ଚାଷୀମାନେ ଶୁକ୍ରବାର କଣ୍ଟାମାଳ ତହସିଲ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ କରିବା ସହିତ ତହିସଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

୨୦୧୫ ମସିହା ଖରିଫ ସମୟରେ ସରକାର ଚାଷୀଙ୍କ ପାଇଁ ବୀମା ଛାଡ଼ କରିଥିଲେ। ଏହା ୨୦୧୬ ମସିହାରେ ସଂପୃକ୍ତ ଚାଷୀଙ୍କୁ ଦିଆଯିବା ପାଇଁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ସେ ସମୟରେ ସମିତି କର୍ତ୍ତୃପକ୍ଷ ଏହାକୁ ଅଣ ଦେଖା କରି ଚାଷୀଙ୍କୁ ଦେଇ ନଥିଲେ। ଚାଷୀ ଏହା ଜାଣିପାରି ସମିତି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲା ପରେ ମଧ୍ୟ କୌଣସି ଲାଭ ନହେବାରୁ ଗତ ଜୁନ୍‌ ୨୧ ତାରିଖରେ ସମିତି ଅଫିସ ଏବଂ ସମବାୟ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏହା ପରେ ସେହିମାସ ୨୫ ତାରିଖରେ ବୈାଦ୍ଧ ଜିଲ୍ଲାର ସହକାରୀ ସମବାୟ ନିବନ୍ଧକ ମଙ୍ଗଲ ସୋରେନ ଏବଂ ଆଡ୍‌ମିନିଷ୍ଟ୍ରେଟର ଗୁରୁଚରଣ ଦାଶ କଡ଼ା ସୁରକ୍ଷା ମଧ୍ୟରେ ତଦନ୍ତ ଆରମ୍ଭ କରି କାଗଜପତ୍ର ଯାଞ୍ଚ ପରେ ବୀମା ଟଙ୍କା ପ୍ରଦାନ ନେଇ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ସମାଧାନ କରିବାରେ ଏବଂ ବୀମା ଟଙ୍କା ପ୍ରଦାନରେ କୌଣସି ପଦକ୍ଷେପ ନେଇ ନଥିବାରୁ ଚାଷୀ ଉତ୍ତ୍ୟକ୍ତ ହୋଇ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ।

କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଖୁବ୍‌ ଶିଘ୍ର ଏହାର ସମାଧାନ କରିବା ପାଇଁ ତହସିଲଦାର ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନଗଲେ ସଂପୃକ୍ତ ଅଫିସ୍‌ମାନଙ୍କରେ ତାଲା ପକାଯିବା ବୋଲି ଚାଷୀମାନେ ଧମକ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe