ତରବୋଡ଼ : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଧାନ ମଣ୍ଡିରେ ଟାର୍ଗେଟ ନଥିବାରୁ ୨୦ ହଜାର ବସ୍ତା ଧାନ ପଡ଼ିରହିଛି। ୧୦ ଦିନରୁ ଅଧିକ ହେବ ଚାଷୀମାନେ ଶୀତକାକରରେ ନିଜ ଧାନକୁ ଜଗିରହିଛନ୍ତି। ହେଲେ ଏଥିପ୍ରତି କୌଣସି ସରକାରୀ ଅଧିକାରୀଙ୍କ ନଜର ମଧ୍ୟ ପଡୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ବହୁତ ଅଭିଯୋଗ ପରେ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶୁକ୍ରବାର ତରବୋଡ ମଣ୍ଡିରେ ୨୦୦୦ କ୍ବିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଥିଲା। ହେଲେ ବର୍ତମାନ ମଣ୍ଡିରେ ଅଧିକ ଧାନ ପଡ଼ିଥିବାରୁ ଚାଷୀ ଏଥିରେ ରାଜି ହୋଇନଥିଲେ। ସେଥିପାଇଁ ଶୁକ୍ରବାର ଚାଷୀମାନେ ମଣ୍ଡିରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଶାସନ ବିରୋଧୀ ନାରାବାଜି କରି ପ୍ରାୟ ଏକ କିମି ପଦଯାତ୍ରା କରି ତରବୋଡ଼ ପେକ୍ସରେ ପହଞ୍ଚିଥିଲେ। ପେକ୍ସ କାର୍ଯ୍ୟାଳୟରେ ତାଲା ପକାଇ ଚାଷୀଙ୍କ ଧାନ ନ ଉଠିବା ପର୍ଯ୍ୟନ୍ତ ଅଫିସରେ ତାଲା ଖୋଲିବ ନାହିଁ ବୋଲି କହିଥିଲେ। ମଣ୍ଡିରେ ଥିବା ସବୁ ଧାନ କିଣା ନଗଲେ ୩୫୩ ନମ୍ବର ଜାତୀୟ ରାଜପଥରେ ଧାନ ରଖି ଆନ୍ଦୋଳନ କରିବେ ବୋଲି ଧମକ ଦେଇଥିଲେ।
ଏନେଇ ଫାଣ୍ଡି ଅଧିକାରୀ ଲଛିନ୍ଦ୍ର ଚଲାନ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଫୋନରେ ଜଣାଇଥିଲେ। ଦୁଇଘଣ୍ଟା ପରେ ଜିଲ୍ଲା ସହକାରୀ ନିବନ୍ଧକ ଭିକାରି ଚରଣ ସେଠ ମଣ୍ଡରେ ପହଞ୍ଚିଥିଲେ। ସେ ମଧ୍ୟ କହିଲେ, ଆମ ହାତରେ କିଛି ନାହିଁ, ସରକାର ଟାର୍ଗେଟ ବଢ଼ାଇଲେ ଧାନ ଉଠିବ। ଶୁକ୍ରବାର ଦିନ ତିନି ଜଣ ଚାଷୀଙ୍କ ଟୋକନ ଶେଷ ତାରିଖ ଥିଲା। ହେଲେ ଧାନ ନଉଠିବାରୁ ତାଙ୍କ ଟୋକନ ମଧ୍ୟ ଲାପ୍ସ ହୋଇଗଲା। ଆଉ ସେମାନେ ଧାନକୁ ବିକ୍ରି କରିପାରିବେ ନାହିଁ। ଯାହା ଫଳରେ ବାଧ୍ୟ ହୋଇ କମ୍ ଦରରେ ଦଲାଲ ପାଖରେ ଧାନକୁ ବିକିବେ ବୋଲି ସୂଚନା ମିଳିଛି।
Follow Us