ମଣ୍ଡି ଦାବିରେ ଚାଷୀ ତାତିଲେ, ଟାୟାର୍ ଜାଳି ୪ ଘଣ୍ଟା ରାସ୍ତା ଅବରୋଧ

ମଣ୍ଡି ଦାବିରେ ଚାଷୀ ତାତିଲେ, ଟାୟାର୍ ଜାଳି ୪ ଘଣ୍ଟା ରାସ୍ତା ଅବରୋଧ

ଛତ୍ରପୁର : ଗାଁରେ ମଣ୍ଡି ଖୋଲି ଧାନ ସଂଗ୍ରହ କରିବାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ପୋଡ଼ାପଦର ଗ୍ରାମର ଶତାଧିକ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଚାଷୀମାନେ ଛତ୍ରପୁର-ମାଧପୁର ମୁଖ୍ୟରାସ୍ତାରେ ବାଡ଼ ବେଢ଼ାଇ ଦେବା ସହ ଟାୟାର୍ ଜାଳି ୪ ଘଣ୍ଟା କାଳ ଅବରୋଧ କରିଥିଲେ। ଫଳରେ ଯାତାୟାତ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା। ଛତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ହେଁ, ଚାଷୀ ମାନେ ସେମାନଙ୍କ ଜିଦ୍‌ରେ ଅଟଳ ଥିଲେ।

publive-image

ଚାଷୀଙ୍କ ଅଭିଯୋଗ ହେଉଛି, ପୋଡ଼ାପଦର ପଞ୍ଚାୟତ ଅଧୀନ ପୋଡ଼ାପଦର, ହୁମର ଓ କୁମାରବେଗପଲ୍ଲୀ ଗ୍ରାମର ଚାଷୀଙ୍କଠୁ ଧାନ କିଣିବା ଲାଗି ଚଳିତବର୍ଷ କୁମାରବେଗପଲ୍ଲୀ ଗ୍ରାମର ୨ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଧାନ କିଣିବାକୁ ତିନିଟି ରାଇସ୍ ମିଲ୍ ଚୁକ୍ତିବନ୍ଧ ହୋଇଛନ୍ତି। ତେବ‌େ କୁମାରବେଗପଲ୍ଲୀ ଗ୍ରାମରେ ମଣ୍ଡି ଥିବାରୁ ସେମାନଙ୍କ ଲାଗି ସମସ୍ୟା ଉପୁଜୁଛି। ଗତବର୍ଷ ବି ସେମାନେ ଖର୍ଚ୍ଚାନ୍ତ ହୋଇଥିଲେ। ଫଳରେ ପୋଡ଼ାପଦର ଗ୍ରାମରେ ହିଁ ଏଥର ମଣ୍ଡି ଖୋଲିବାକୁ ସରପଞ୍ଚ ଓ ଯୋଗାଣ ବିଭାଗୀୟ ଅଧିକାରୀଙ୍କ ଠାରେ ବାରମ୍ବାର ଦାବି କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିଲାନି। ଫଳରେ ବାଧ୍ୟ ହୋଇ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିଲେ।

ପରିସ୍ଥିତି ଅଣାୟତ୍ତ ହେବାରୁ ଶେଷରେ ଯୋଗାଣ କାର୍ଯ୍ୟାଳୟର ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ ଓ ବ୍ଲକ୍ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା ପ୍ରମୁଖ ପହ‌ଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ପୋଡ଼ାପଦର ଗ୍ରାମର ଚାଷୀଙ୍କ ନିମନ୍ତେ ଗ୍ରାମରେ ହିଁ ମଣ୍ତି ଖୋଲିବା ପାଇଁ ରାଜି ହୋଇଥିଲେ। ଗାଁରେ ମଣ୍ତି ଖୋଲାଯାଇ ପ୍ରାୟ ୪ଜଣ ଚାଷୀଙ୍କ ଧାନ ସଂଗ୍ରହ କରାଯାଇଥିଲା। ଏହାପରେ ଚାଷୀ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe