ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

Advertisment
ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଧାନକିଣା ଆରମ୍ଭରୁ ଚାଷୀମାନଙ୍କ ସମସ୍ୟା ଦେଖାଦେଇଛି। ମଣ୍ଡିରୁ ଧାନ ଉଠୁ ନଥିବା ଓ ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଚାଷୀମାନେ ବୁଧବାର ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ। ଏହା ସହ ଏକ ୪ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କୁ ପ୍ରଦାନ କରିଥିଲେ।

ଚାଷୀମାନଙ୍କ କହିବା ଅନୁସାରେ, ନୂଆପଡ଼ା ଜିଲ୍ଲାରେ ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ୨୯ ତାରିଖ ଦିନ ମଣ୍ଡି ଆରମ୍ଭ ହୋଇଛି। ହେଲେ ଗତବର୍ଷ ଖରିଫ ଓ ରବି ଧାନ  କିଣା‌ରେ ହୋଇଥିବା ଅବ୍ୟବସ୍ଥାର ପୁନରାବୃତ୍ତି ହେବା ଆଶଙ୍କା ରହିଛି। ଚାଷୀମାନେ ମାସ ମାସ ଧରି ମଣ୍ଡିରେ ପଡ଼ିରହିବା ପରେ ସରକାର ଧାନ ନକିଣିବାରୁ ବାଧ୍ୟ ହୋଇ  ବହୁ କମ ଦରରେ କ୍ବିଣ୍ଟାଲ ପ୍ରତି ୭ଶହ ଟଙ୍କାରେ ଦଲାଲଙ୍କୁ ବିକ୍ରି କରିଦେଇଥିଲେ। ସେହିପରି ମଣ୍ଡିରେ ଚାଷୀଙ୍କୁ ଖାଲି ବସ୍ତା ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ସେମାନଙ୍କୁ କେବେ ବି ବସ୍ତା ଯୋଗାଇ ଦିଆଯାଉ ନାହିଁ ବୋଲି ଅଭି‌‌ଯୋଗ କରିଥିଲେ।

ଦାବିଗୁଡ଼ିକ ମଧ୍ୟରେ ଖୋଲା ବଜାରରେ ଅଖା ବସ୍ତାର ଅଭାବ ଥିବାରୁ ପ୍ଲାଷ୍ଟିକ ବସ୍ତାରେ ଧାନ କିଣାବିକା କରାଯାଉ, କୋଟି କୋଟି ଟଙ୍କା କମିସନ୍‌ ପାଉଥିବା ଆର୍‌ଏମ୍‌ସି ଓ ପେକ୍ସ ମଣ୍ଡିର ଭିତ୍ତିଭୂମି ବିକାଶ କରିବା, ମଣ୍ଡିରେ କଟ୍‌ନି ଛଟ୍‌ନି ବନ୍ଦ କରିବା ଆଦି ଦାବି କରିଥିଲେ। ଏନେଇ ଚାଷୀମାନେ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବିପତ୍ର ଦେଇଥିଲେ। ଏହି ଘେରାଉରେ ଚାଷୀ ଭରତଲାଲ ରାଉତ, ହୋମ ସିଂ ମାଝୀ, ଦିଲୀପ ନିର୍ମଲକର, ଦେବୀପ୍ରସାଦ ମିଶ୍ର, କମଳେଶ ଦୀକ୍ଷିତ, ମୁରଲୀ ଶବର, ଦୁର୍ଗା ପ୍ରସାଦ ସାହୁ, ଠାକୁର ସିଂ ମାଝୀ, ଭଗତରାମ ମାଝୀ, ଧରମବନ୍ଧା ସରପଞ୍ଚ ଓମପ୍ରକାଶ କଲାର, ପ୍ରସନ୍ନ ସାହୁ, ଚନ୍ଦ୍ରଭାନୁ ରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe