ଚାଷୀଙ୍କ ଟୋକନ୍‌ ଅବଧି ଶେଷ ହେବା ଘଟଣା: ଅଭିଯୋଗ ପରେ ରାତିଅଧିଆ ଉଠିଲା ଧାନ

Advertisment
ଚାଷୀଙ୍କ ଟୋକନ୍‌ ଅବଧି ଶେଷ ହେବା ଘଟଣା: ଅଭିଯୋଗ ପରେ ରାତିଅଧିଆ ଉଠିଲା ଧାନ

ବୌଦ୍ଧ: ବୌଦ୍ଧ ​ବ୍ଲକ୍‌ ମୁଣ୍ଡାପଡ଼ା ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୫୦ରୁ ଅଧିକ ଚାଷୀ ରବିବାର ରାତିରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ରୁଣ୍ଡ ହୋଇଥିଲେ। ଏକ ମାସ ହେଲା ମଣ୍ଡିରେ ଧାନ ରଖି ବିକ୍ରି କରି ପାରିନଥିଲେ। ରାତି ୧୨ଟାରେ ଟୋକନର ଅବଧି ଶେଷ ହେବାକୁ ଥିବାରୁ ନିରୁପାୟ ହୋଇ ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ ଆସିଥିଲେ। ଟାଉନ ଥାନା ଆଇଆଇସି ମାଧବାନନ୍ଦ ନାୟକ ଓ ପରେ ତହସିଲଦାର ଦେବୀ ପ୍ରସାଦ ଦାଶ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ। ସୋମବାର ସିଏସଓ ମଣ୍ଡିକୁ ଯାଇ ସମସ୍ୟାର ସମାଧାନ କରିବେ ବୋଲି ତହସିଲଦାର ଶ୍ରୀ ଦାଶ କହିଥିଲେ। ପ୍ରତିଶ୍ରୁତି ପାଇ ଚାଷୀମାନେ ଫେରି ଯାଇଥିଲେ। ଦୀର୍ଘ ଏକ ମାସ ଚାଷୀଙ୍କ କଥା କେହି ଶୁଣୁନଥିଲେ। ଦିନର ଖରା ଓ ରାତିର କାକରକୁ ସହି ଚାଷୀମାନେ ନିଜ ଉପାର୍ଜିତ ସମ୍ପଦକୁ ଜଗି ରହିଥିଲେ।

ହେଲେ ଶେଷ ସମୟରେ ଚାଷୀମାନେ ଆଙ୍ଗୁଠି ଟେଢ଼ା କରିବା ପରେ ରାତି ଅଧିଆ ମିଲରୁ ଟ୍ରକ ଆସି ୫୦୦ କୁଇଣ୍ଟାଲ ଧାନ ନେଇଥିଲା। ସୋମବାର ସିଏସଓ ବିଭୂ ପ୍ରସନ୍ନ ଆଚାର୍ଯ୍ୟ ଓ ଏସିଏସଓ ବିଷ୍ଣୁ ପ୍ରସାଦ ପ୍ରଧାନ ମଣ୍ଡିକୁ ଯାଇ ସ୍ଥିତି ତଦାରଖ କରିଥିଲେ। ବଳକା ୧୩୫୦ କୁଇଣ୍ଟାଲ ଧାନ ମିଲକୁ ପଠାଇବା ବ୍ୟବସ୍ଥା କରିଥିବା ସିଏସଓ ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ତେବେ ଏବେ ବି ମଣ୍ଡିରେ ସହସ୍ରାଧିକ ବସ୍ତା ଧାନ ପଡ଼ି ରହିଥିବା ଦେଖାଯାଇଛି। ସୁରୁଖୁରୁରେ ଧାନ ବିକ୍ରି ନହେଲେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଯୋରଦାର ଆନ୍ଦୋଳନ କରିବାକୁ ଚାଷୀମାନେ ସଜବାଜ ହେଉଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe