କଟ୍‌ନିଛଟ୍‌ନିକୁ ନେଇ ଚାଷୀ ଅସନ୍ତୋଷ: ଚାଷୀ ବେଶରେ ମଣ୍ଡି ବୁଲିଲେ ଜିଲ୍ଲାପାଳ

ଧାନକିଣା ବେଳେ କଟ୍‌ନିଛଟ୍‌ନି ନେଇ ଭଦ୍ରକ ଜିଲ୍ଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି। ଏପରି ସମୟରେ ସ୍ଥିତି ପରଖିବା ପାଇଁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଚାଷୀ ବେଶରେ ମଣ୍ଡି ବୁଲିଛନ୍ତି।

fhhfbv

ଭଦ୍ରକ/ଅସୁରାଳି: ଧାନକିଣା ବେଳେ କଟ୍‌ନିଛଟ୍‌ନି ନେଇ ଭଦ୍ରକ ଜିଲ୍ଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି। ଏପରି ସମୟରେ ସ୍ଥିତି ପରଖିବା ପାଇଁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଚାଷୀ ବେଶରେ ମଣ୍ଡି ବୁଲିଛନ୍ତି। ହାପ୍‌ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି, ମୁହଁରେ ମାସ୍କ ଓ କାନ୍ଧରେ ଗାମୁଛା ପକାଇ ଜିଲ୍ଲାପାଳ ଶନିବାର ଅପରାହ୍‌ଣ ୩ଟା ବେଳେ ଧାମନଗର ବ୍ଲକ୍‌ ସହିଦନଗର କଟସାହି ସେବା ସମବାୟ ସମିତିରେ ପହଞ୍ଚିଥିଲେ।  ଜିଲ୍ଲାପାଳଙ୍କ ସୁରକ୍ଷା କର୍ମୀ ବି ଚାଷୀ ବେଶରେ ଥିଲେ। ଟୋକନ୍‌ ପାଇବା ପାଇଁ ଅନେକ ଚାଷୀ ଧାଡ଼ିବାନ୍ଧିରେ ଛିଡ଼ା ହୋଇଥିବା ବେଳେ ଛଦ୍ମବେଶୀ ଜିଲ୍ଲାପାଳ ମଧ୍ୟ ସେହି ଧାଡ଼ିରେ ଘଣ୍ଟାଏରୁ ଅଧିକ ସମୟ ଅପେକ୍ଷା କରିଥିଲେ। ପରେ ସେ ସମବାୟ ସମିତି ସମ୍ପାଦକ ବିନମ୍ର ଦଳାଇଙ୍କ ପାଖରେ ପହଞ୍ଚି ପାଖ ଗାଁର ଚାଷୀ ବୋଲି ପରିଚୟ ଦେଇଥିଲେ। ସେ କେବେ ଧାନ ବିକି ପାରିବେ, କଟ୍‌ନିଛଟ୍‌ନି କେତେ ହେଉଛି ବୋଲି ଜିଲ୍ଲାପାଳ ପଚାରିଥିଲେ।

ପିନ୍ଧିଥିଲେ ହାପ୍‌ ପ୍ୟାଣ୍ଟ ଓ ଟି-ସାର୍ଟ
କାନ୍ଧରେ ଗାମୁଛା, ମୁହଁରେ ମାସ୍କ
ସମିତି ସମ୍ପାଦକଙ୍କୁ ଏଆର୍‌ସିଏସ୍‌ର ନୋଟିସ୍‌

ସମିତି ସମ୍ପାଦକ ଖାମଖିଆଲ ଢଙ୍ଗରେ ୮ରୁ ୧୦ କିଲୋ କଟାଯିବ ବୋଲି ଉତ୍ତର ଦେଇଥିଲେ। ଜିଲ୍ଲାପାଳ କହିଥିଲେ, ଏହା ତ ସରକାରଙ୍କ ନିୟମ ବିରୋଧୀ। ଏହାପରେ ସମ୍ପାଦକ କିଛି ନକହି ଚୁପ୍‌ ରହିଥିଲେ। ସମିତିରେ ଛଦ୍ମବେଶୀ ଜିଲ୍ଲାପାଳ ପ୍ରାୟ ୨ ଘଣ୍ଟା ରହିଥିଲେ। ତଥାପି ତାଙ୍କୁ କେହି ବି ଚିହ୍ନି ପାରି ନଥିଲେ। ଜିଲ୍ଲାପାଳ ସ୍ଥିତି ପରଖି ଅଫିସ୍‌ ଫେରିବା ପରେ ସମିତିର ସମ୍ପାଦକ ଶ୍ରୀ ଦଳାଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଆର୍‌ସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏଆର୍‌ସିଏସ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପାଦକ ଶ୍ରୀ ଦଳାଇଙ୍କ ନାମରେ ୧୬୯/୦୧/୦୨/୨୫ ନମ୍ବରର ଏକ ନୋଟିସ୍‌ ଜାରି କରାଯାଇଛି। ଜିଲ୍ଲାପାଳଙ୍କ ଏପରି ପଦକ୍ଷେପକୁ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଶଂସା କରିଛନ୍ତି। ଅନ୍ୟପଟେ ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମଣ୍ଡିର କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଛଦ୍ମବେଶରେ ଜିଲ୍ଲାପାଳ ମଣ୍ଡି ବୁଲିବା ପରେ ଭଦ୍ରକରେ ଧାନକିଣା ବ୍ୟବସ୍ଥାରେ କିଛିଟା ସୁଧାର ଆସିବ ବୋଲି ଚାଷୀମାନେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe