Royal Sundaram
ଭୁବନେଶ୍ବର : ରାଜ୍ୟରେ ଜଟିଳ ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ବିବାଦ। ପ୍ରିମିୟମ ଆକାରରେ କୋଟି କୋଟି ଟଙ୍କା ନେଇଥିବା ବୀମା କମ୍ପାନି ଏଚଡିଏଫ୍ସି, ଏଆଇସି ଏବଂ ରିଲାଏନ୍ସ ଜିଆଇସି ନିଜ ଭାଗ ବୀମା ଟଙ୍କା ପ୍ରଦାନ କରୁନାହାନ୍ତି। ଏଥିଯୋଗୁଁ ଚାଷୀଙ୍କୁ ହକ୍ ମିଳି ପାରୁନାହିଁ। ଏହାକୁ ନେଇ କେନ୍ଦ୍ର କୃଷି ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ହସ୍ତକ୍ଷେପ ଲୋଡ଼ି ପତ୍ର ଲେଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତରେ ଚଳିତ ବର୍ଷ ୨୦ ଲକ୍ଷ ୫୬ ହଜାର ୮୮୨ ଚାଷୀଙ୍କ ପାଇଁ ୧୩୬୪ କୋଟି ଟଙ୍କା ଦାବି କରାଯାଇଛି। ଫେବ୍ରୁଆରିରେ ଦିଆଯିବା ଟଙ୍କା ଜୁଲାଇ ମାସରେ ଦିଆଯାଇଛି। ସେଥିରୁ ମଧ୍ୟ ୬୧୫ କୋଟି ଟଙ୍କା ବାକି ରହିଛି। କେବଳ ବରଗଡ଼ ଜିଲ୍ଲା ଚାଷୀଙ୍କ ସର୍ବାଧିକ ୩୬୨ କୋଟି ଟଙ୍କା ବକେୟା ଥିବାରୁ ସେଠାରେ ଅନେକ ଦିନ ଧରି ଆନ୍ଦୋଳନ ଚାଲିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଚାଷୀ ଅଶାନ୍ତି ସୃଷ୍ଟି ହୋଇଛି। ଏପରିକି ଏହି ପ୍ରସଙ୍ଗ ନେଇ ବିଧାନସଭା ମଧ୍ୟ ହୁଲସ୍ତୁଲ ହୋଇଛି। କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ପତ୍ରରେ ମନ୍ତ୍ରୀ ଶ୍ରୀ ନାୟକ ଲେଖିଛନ୍ତି, ୨୦୧୬ ମସିହାରୁ ଓଡ଼ିଶା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛି। ଏଥିସହିତ ପ୍ରଥମ ରାଜ୍ୟ ଭାବରେ ଫସଲ କଟା ପରୀକ୍ଷଣ (କ୍ରପ କଟିଂ) ପାଇଁ ପ୍ରଯୁକ୍ତି ଭିତ୍ତିକ ନମୁନା ସଂଗ୍ରହ (ସ୍ମାର୍ଟ ସ୍ୟାମ୍ପଲିଂ ଟେକ୍ନିକ୍) ବ୍ୟବସ୍ଥା କରାଯାଉଛି। ଦ୍ବିତୀୟ ରାଜ୍ୟ ଭାବରେ ଜାତୀୟ ଫସଲ ବୀମା ସହିତ ସମନ୍ବିତ ଭାବରେ ରାଜ୍ୟ ଜମି ରେକର୍ଡ ପୋର୍ଟାଲ ବ୍ୟବସ୍ଥା କରିଛି। ସ୍ବତନ୍ତ୍ର ଅଭିଯାନ କ୍ରମରେ ମୋବାଇଲ ଆପ୍ ଜରିଆରେ ଫସଲ କଟା ନେଇ ଯଥାସମ୍ଭବ ତଥ୍ୟ ସଂଗ୍ରହ କରାଯାଇଛି। ଯୋଜନାକୁ ଉପଯୁକ୍ତ କାର୍ଯ୍ୟକାରୀ ପାଇଁ ଜିଲ୍ଲା, ବ୍ଲକସ୍ତର କମିଟି ଗଠନ ହୋଇଛି। ୨୦୨୧ ମସିହାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ୯୮ ପ୍ରତିଶତ ଫସଲ ପ୍ରଭାବିତ ହୋଇଛି। କିନ୍ତୁ ବୀମା କମ୍ପାନିଗୁଡ଼ିକ ଫସଲ କଟା ରିପୋର୍ଟ ଉପରେ ଆପତ୍ତି ଉଠାଇ ବୀମା ଟଙ୍କା ପ୍ରଦାନ କରୁନାହାନ୍ତି। ଏଥିଯୋଗୁଁ ୨୦୨୨ ମସିହାର ବୀମା ପଞ୍ଜୀକରଣ ପ୍ରଭାବିତ ହୋଇଛି।
ସୂଚନା ଅନୁଯାୟୀ, ବୀମା ଟଙ୍କା ବାକି ଥିବା ଜିଲ୍ଲା ମଧ୍ୟରେ ବଲାଙ୍ଗୀରର ୧୬୪.୭୫ କୋଟି, ଗଞ୍ଜାମ ଜିଲ୍ଲାର ୮.୧୫ କୋଟି, କେନ୍ଦ୍ରାପଡ଼ାର ୫.୭୫ କୋଟି, ଦେବଗଡ଼ର ୭.୦୭ କୋଟି, ଜଗତସିଂହପୁରର ୮.୭୯ କୋଟି, କଳାହାଣ୍ଡିର ୨.୬୫ କୋଟି, ପୁରୀର ୧୮.୬୩ କୋଟି, ବାଲେଶ୍ବରର ୧.୯୮ କୋଟି, ସମ୍ବଲପୁରର ୪୭.୪୪ କୋଟି ଟଙ୍କା ରହିଛି। ରାଜ୍ୟରେ ଯେତେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ସେଥିରୁ କମ ସଂଖ୍ୟକ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ଅଧିକାଂଶ ଚାଷୀଙ୍କୁ ବିଭିନ୍ନ ଆଳରେ କାଟି ଦିଆଯାଇଛି। ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ା ଜିଲ୍ଲାର ଜଣେ ମଧ୍ୟ ଚାଷୀଙ୍କୁ ବୀମା ଟଙ୍କା ଦିଆଯାଇନାହିଁ।
Follow Us