ଚାଷୀଙ୍କୁ ମିଳିବ ପରିଚୟପତ୍ର

Advertisment

ଡାଟାବେସ୍ ପ୍ରସ୍ତୁତି ଆରମ୍ଭ, ୭୬ଲକ୍ଷ ଉପକୃତ ହେବେ, କୃଷି ବିଭାଗରେ ୫-ଟି କାର୍ଯ୍ୟକ୍ରମ ଆରମ୍ଭ

ଡାଟାବେସ୍ ପ୍ରସ୍ତୁତି ଆରମ୍ଭ, ୭୬ଲକ୍ଷ ଉପକୃତ ହେବେ, କୃଷି ବିଭାଗରେ ୫-ଟି କାର୍ଯ୍ୟକ୍ରମ ଆରମ୍ଭ

ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର : ୧୦୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ୭୬ଲକ୍ଷ ଚାଷୀଙ୍କୁ କୃଷକ ପରିଚୟ ପତ୍ର ଦିଆଯିବ। ଚାଷୀମାନେ ଏଣିକି ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ ଡାଟାବେସ୍‌ ପ୍ରକ୍ରିୟାର ଆରମ୍ଭ କରିବା ପରିପ୍ରେକ୍ଷୀରେ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ କୃଷି ସାମଗ୍ରୀ ବିକ୍ରେତା ମାନଙ୍କ ପାଇଁ ଇ-ଲାଇସେନ୍‌ସ ପ୍ରଦାନ ସହିତ ୬ଟି ଅନ୍‌ଲାଇନ ସେବା ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍‌ଲାଇନ ସାର୍ଟିଫିକେଟ ଓ ମାର୍କସିଟ୍‌ ଆଦି ୯ଟି ସେବା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୭୬ ଲକ୍ଷ ଚାଷୀ ଭାଇଭଉଣୀ ମାନଙ୍କ ଡାଟାବେସ୍‌ ରଖାଯିବା ବହୁତ ଭଲ ଉଦ୍ୟମ। ଏହାଦ୍ବାରା କୃଷକମାନେ ବିଭିନ୍ନ ଯୋଜନା ଓ ସେବାର ସୁଫଳ ଅତି ଶୀଘ୍ର ପାଇପାରିବେ। ନିଜ କାମ ଛାଡି ବାରମ୍ବାର କେହି ସରକାରୀ କାର୍ଯ୍ୟାଳୟକୁ ନ ଆସି ଘରେ ରହି ଅନ୍‌ଲାଇନ ଜରିଆରେ ସେବା ପାଇପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ ହେଉଥିବା କୃଷକ ଓଡିଶା, ଇନପୁ଼ଟ୍‌ ଡିଲରଙ୍କ ପାଇଁ ଅନ୍‌ଲାଇନ ଲାଇସେନ୍‌ସ, ଓୟୁଏଟି ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ ସାର୍ଟିଫିକେଟ, କୃଷି କ୍ଷେତ୍ର କର୍ମଚାରୀ ମାନଙ୍କ ପାଇଁ ‘ଦକ୍ଷତା’ ଆଦି କାର୍ଯ୍ୟକ୍ରମ ବିଭାଗକୁ ଚାଷୀ ମାନଙ୍କ ସହିତ ସିଧା ଯୋଡିବାରେ ସହାୟକ ହେବ। ସେହିଭଳି ଭଲ କାମ କରୁଥିବା କୃଷି ବିଭାଗର କର୍ମଚାରୀ ମାନଙ୍କୁ ସ୍ବୀକୃତି ଦେବା ପାଇଁ ବି ରାସ୍ତା ଖୋଲିଯିବ।

ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ଲାଗି ସେ ଆହ୍ବାନ ଦେଇ କହିଥିଲେ ଯେ ଚାଷ ଆମ ଅର୍ଥନୀତିର ମେରୁଦଣ୍ଡ। କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା ଭାବରେ ଦେଖାଦେଇଛି। ଚଳିତବର୍ଷ ରାଜ୍ୟରେ ଭଲ ଫସଲ ଆଶା କରାଯାଉଛି। ଏଥିପାଇଁ ଚାଷୀଙ୍କ ଉଦ୍ୟମ ଅଭିନନ୍ଦନୀୟ।

ଏହି କାର୍ଯ୍ୟକ୍ରମରେ ନୂଆପଡା ଓ ଗଞ୍ଜାମ ଜିଲ୍ଲାର ଦକ୍ଷ କର୍ମଚାରୀ ଓ କୃଷକ ସରକାରୀ ଯୋଜନାର ସଫଳ ପରିଚାଳନା ସଂପର୍କରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ।

କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟ କୃଷି ବିଭାଗ କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛି । ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆମ କୃଷି କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ମୋବାଇଲ ଫୋନ ଭିତ୍ତିକ କୃଷି ପରାମର୍ଶ ସେବା ପ୍ରଦାନ କରାଯାଉଛି। ୨୦୧୮ ମସିହାରେ ମାତ୍ର ୫୦ ହଜାର ଚାଷୀଙ୍କୁ ଧାନ ଫସଲ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ୧୦ ଲକ୍ଷ ଚାଷୀଙ୍କୁ ୧୫ ଗୋଟି ଫସଲ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଉଛି। ୫-ଟି କାର୍ଯ୍ୟକ୍ରମକୁ ବିଭାଗ ନିଷ୍ଠାର ସହ ଅନୁପାଳନ କରୁଛି ବୋଲି ସେ କହିଥିଲେ ।

ବିଭାଗୀୟ ପ୍ରମୁଖ ସଚିବ ସୌରଭ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସ୍ବତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, କୃଷି ଉତ୍ପାଦନ କମିସନର, ଓୟୁଏଟି କୁଳପତି, ସମବାୟ ବିଭାଗର କମିସନର ତଥା ଶାସନ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe