ନୂଆଗଡ ବ୍ଲକରେ ଭୂସ୍ଖଳନ; ଶହଶହ ଏକର ଜମି ଜଳମଗ୍ନ, ମୁଣ୍ଡରେ ହାତଦେଇ ବସିଲେ ଚାଷୀ

ନୂଆଗଡ ବ୍ଲକରେ ଭୂସ୍ଖଳନ; ଶହଶହ ଏକର ଜମି ଜଳମଗ୍ନ, ମୁଣ୍ଡରେ ହାତଦେଇ ବସିଲେ ଚାଷୀ

ରା.ଉଦୟଗିରି:-ଲଗାଣ ବର୍ଷା ସାଧାରଣ ଲୋକଙ୍କ ଧନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କିଛିଦିନ ପୂର୍ବରୁ ଗଜପତି ଜିଲ୍ଲା ନୂଆଗଡ ବ୍ଲକର ପରିମଳ ପଞ୍ଚାୟତସ୍ଥିତ ନୂଆପଲ୍ଲୀ ଅଞ୍ଚଳରେ ଭୂସ୍ଖଳନ ଘଟିଥିଲା। ଗତକାଲି ରାତିରୁ ପୁନର୍ବାର ଭୂସ୍ଖଳନ ଘଟିବା ଫଳରେ ଲୋକେ ଘରଦ୍ୱାର ଛାଡି ଭୟଭୀତ ଅବସ୍ଥାରେ ଅଛନ୍ତି। ଘୋଡାଶାଳ ନିକଟସ୍ଥ ହାତୀନଗା ଠାରେ ପାହାଡ଼ରୁ ପଥର ଖସିବା ଫଳରେ ରାସ୍ତା ଅବରୋଧ ହୋଇଛି।

ଗତକାଲି ରାତିରୁ ଚାଉଳ ସିମେଣ୍ଟ ଧରି ଯାଇଥିବା ଗାଡ଼ିଗୁଡ଼ିକ ସେପଟେ ରହିଯାଇଛନ୍ତି। ସବୁଠାରୁ ବ୍ୟାପକ କ୍ଷତି ଘଟିଛି ଡୁମୁକୁଳି, କାକତବନ୍ଧ ଓ ଅନୂସାହି ଅଞ୍ଚଳରେ। ଗତକାଲି ରାତିରୁ ଏହି ସବୁ ଗ୍ରାମରେ ଥିବା ୫୦/୬୦ ଏକର ଜମିରେ ବାଲି ଓ ପଥର ଭର୍ତ୍ତି ହୋଇଯାଇଛି। ଜମିରେ ଠିଆ ହେଲେ ଆଣ୍ଠେ ଆଣ୍ଠେ ପାଣି ଭର୍ତ୍ତି। ଜମିରେ ବାଲିଚର ଓ ପଥର ପଡିବା ଫଳରେ ଏହି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୫ଶହରୁ ଅଧିକ ଚାଷୀଙ୍କ ଜୀବନ ଜୀବିକା ବିପନ୍ନ ହୋଇଯାଇଛି।

publive-image

ପାହାଡ ଉପରେ ଶହେ ଏକର କାଜୁ ବାଡ଼ ମଧ୍ୟ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ପାଖରେ ଯାହାକିଛି ଖାଦ୍ୟ ଶସ୍ୟ ଥିଲା ତାହା ମଧ୍ୟ ନଷ୍ଟ ହୋଇଯାଇଛି। ରାତି ଖାଇବା ପାଇଁ ପ୍ରଶାସନ ଉପରେ ନିର୍ଭର କରିଛନ୍ତି ଏହି ଗ୍ରାମବାସୀଗଣ। ପରିମଳ ଠାରୁ ଏହି ୩ଟି ଗ୍ରାମର ଦୂରତ୍ୱ କେବଳ ୮/୯କିମି ହୋଇଥିବାବେଳେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଏହି ୩ଟି ଗ୍ରାମ ପାଇଁ ଏପଟୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ରା.ଉଦୟଗିରି, ନୂଆଗଡ ଓ ପାଇକ ଅନ୍ତରଡା଼ ଦେଇ ୬୦କିମି ଗଲେ ଏହି ଗ୍ରାମରେ ପହଞ୍ଚି ହେବ। ଏହି ୩ଟି ଗ୍ରାମର କ୍ଷୟକ୍ଷତି ଆକଳନ ପାଇଁ କୌଣସି ସରକାରୀ ପଦାଧିକାରୀ ପହଞ୍ଚି ନଥିବାବେଳେ ଏମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe