ଚାଷଜମିରେ ନିଆଁ, ସମଗ୍ର ଅଞ୍ଚଳ ଧୂଆଁମୟ

ଚାଷଜମିରେ ନିଆଁ, ସମଗ୍ର ଅଞ୍ଚଳ ଧୂଆଁମୟ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅଞ୍ଚଳର ବିଭିନ୍ନ ଗ୍ରାମରେ ଏବେ ଚାଷଜମିରେ ଅମଳ ପରେ ଅନେକ ଚାଷୀ ନିଆଁ ଲଗେଇ ଦେଉଥିବା ଦେଖିବାକୁ ମିଳୁଛି। ନିଆଁ ଲାଗିବା ଯୋଗୁଁ ସବୁଆଡେ ଧୂଆଁଳିଆ ଦେଖାଯାଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବୀରମହାରାଜପୁର ଅଞ୍ଚଳ ଏକ କୃଷିପ୍ରଧାନ ଅଞ୍ଚଳ। ଡିସେମ୍ବର, ଜାନୁଆରିରେ ଧାନ ଫସଲ ଅମଳ ପରେ ଜମିରେ ପଡ଼ି ରହିଥାଏ ନଡ଼ା (ପୁଆଲ)। ତା’କୁ ଗାଈଗୋରୁ ଖାଦ୍ୟ ଭାବରେ ଗ୍ରହଣ କରିଥା’ନ୍ତି। ସାଧାରଣତଃ ଗ୍ରୀଷ୍ମ ସମୟରେ ଘାସ, ଡାଳପତ୍ର ସବୁ ଶୁଖି ଯାଇଥାଏ। ଫଳରେ ଗାଈଗୋରୁ ଓ ଗୃହପାଳିତ ପ୍ରାଣୀ ଜମିରେ ଥିବା ଶୁଖିଲା ପୁଆଲକୁ ଖାଦ୍ୟ ଭାବରେ ଗ୍ରହଣ କରିଥା’ନ୍ତି। ଏବେ ସଚେତନତାର ଅଭାବ ଯୋଗୁଁ ଲୋକେ ନଡ଼ା ଓ ପୁଆଲକୁ ନିଆଁ ଲଗାଇ ଜାଳି ଦେଉଛନ୍ତି। ନିଆଁଲାଗି ସମଗ୍ର ଚାଷ ଜମି ସହିତ ନିକଟସ୍ଥ ପଡ଼ିଆ ଓ ଗଛଡ଼ାଳ ସବୁ ଜଳି ପାଉଁଶ ହୋଇଯାଉଛି। ନିଆଁ ଲାଗିବା ଫଳରେ ସମଗ୍ର ଅଞ୍ଚଳ ଧୂଆଁଳିଆ ହୋଇଯାଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଅନେକ ସ୍ଥାନରେ ଉକ୍ତ ଜମିର ନିଆଁରୁ ଗାଁ’କୁ ଲାଗି ଧନଜୀବନ ନଷ୍ଟ ହେଉଛି। ବିଭିନ୍ନ ସମୟରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରୁଛନ୍ତି। ତେଣୁ ଦମକଳ ସେବା ମିଳିବା ଜରୁରି ସମୟରେ କଷ୍ଟକର ହେଉଛି।

ପ୍ରାୟତଃ ବିଭିନ୍ନ ଗ୍ରାମର ଚାଷ ଜମିରେ ନିଆଁ ଲାଗୁଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ବ ଦେଉ ନାହାନ୍ତି। ଲୋକଙ୍କୁ ସଚେତନ କରାଯାଉ ନଥିବାରୁ ଜମିରେ ନିଆଁ ଲଗାଇବା ବଢ଼ିବାରେ ଲାଗୁଛି। ଏହାର ପ୍ରଭାବରେ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ଗତ ବର୍ଷ  ତାପମାତ୍ରା ରାଜ୍ୟରେ ସର୍ବାଧିକ ଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରି ନ ସରୁଣୁ ତାପମାତ୍ରା ୩୮ ଡିଗ୍ରିରେ ପହଞ୍ଚିଲାଣି। ଏବେଠୁ ଅସହ୍ୟ ଗରମ ଅନୁଭୂତ ହେଲାଣି। ପରିବେଶବିତ୍‌ମାନେ ଚାଷଜମିରେ ନିଆଁ ଲାଗିବା ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ବୋଲି ମତ ଦେଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe