ଆଜିଠାରୁ ଚାଲିବ ଫାଷ୍ଟ୍‌ ପାସେଞ୍ଜର

ଆଜିଠାରୁ ଚାଲିବ ଫାଷ୍ଟ୍‌ ପାସେଞ୍ଜର

ଜଳେଶ୍ବର: କରୋନା କଟକଣା ପାଇଁ ବନ୍ଦ ରହିଥିବା ଫାଷ୍ଟ ପାସେଞ୍ଜର ଆଜିଠାରୁ ଚାଲିବ ବୋଲି ରେଳ ବିଭାଗ ତରଫରୁ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଏହି ଟ୍ରେନ ଦ୍ବାରା ଉପକୃତ ହେଉଥିବା ବାଲେଶ୍ବର ଜିଲ୍ଲା ବିଶେଷ କରି ଉତ୍ତର ବାଲେଶ୍ବର ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ପ୍ରକାଶଯୋଗ୍ୟ ଯେ, ଜଳେଶ୍ବର ଡେଭଲପମେଣ୍ଟ କମିଟି ଆନୁକୂଲ୍ୟରେ ବିଭିନ୍ନ ରାଜନୈତିକ ଦଳ ଓ ଗଣସଂଗଠନର ସମର୍ଥନରେ କୋଭିଡ-୧୯ ପୂର୍ବରୁ ଚାଲୁଥିବା ସମସ୍ତ ପାସେଞ୍ଜର, ଏକ୍ସପ୍ରେସ ଓ ସୁପର ଫାଷ୍ଟ ଟ୍ରେନ୍ ପୂର୍ବବତ ଚାଲିବା ଦାବିରେ ଗତ ଏପ୍ରିଲ ମାସ ୧୨ତାରିଖରେ ଜଳେଶ୍ବର ରେଳ ଷ୍ଟେସନ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେହି ସମାନ ଦାବି ନେଇ ପୁଣି ଗତ ଏପ୍ରିଲ ୧୬ ତାରିଖରେ ରେଳରୋକ ପାଇଁ ଡାକରା ମଧ୍ୟ ଦିଆ ଯାଇଥିଲା। ତେବେ ଆନ୍ଦୋଳନର ୩ ଦିନ ପୂର୍ବରୁ ଅର୍ଥାତ ୧୩ ତାରିଖରେ ଜଳେଶ୍ବର ଡେଭଲପମେଣ୍ଟ କମିଟିର କର୍ମକର୍ତ୍ତାଙ୍କ ସହ ଖଡ଼ଗପୁର ରେଳ ଡିଭିଜନର ଏସିଏମ ଆଶୁତୋଷ ସିଂ, ଏଏସସି. ପ୍ରଭୁନାଥ ତିୱାରୀ, ବାଲେଶ୍ବର ଆରପିଏଫ ଥାନା ଆଇଆଇସି ସଞ୍ଜୀବ କୁମାର ସିହ୍ନା, କମାରସିଆଲ ଇନ୍ସପେକ୍ଟର ଶୁଭଙ୍କର ରାଉଳଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଡେଭଲପମେଣ୍ଟ କମିଟି ସର୍ବନିମ୍ନ ଦୁଇଟି ଦାବି ପୂରଣ କରିବା ପାଇଁ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ଅଡ଼ି ବସିଥିଲା। ଶେଷରେ ରେଳ ବିଭାଗ ଅଧିକାରୀମାନେ ଖଡ଼ଗପୁର ସ୍ଥିତ ଡିଆରଏମ ମନୋରଞ୍ଜନ ପ୍ରଧାନଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା କରିବା ପରେ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ପ୍ରତିଶ୍ରୁତି ମୁତାବକ ଖଡଗପୁର-ଖୋର୍ଦ୍ଧା ରୋଡ ଫାଷ୍ଟ ପାସେଞ୍ଜର ପୂର୍ବବତ ନିର୍ଦ୍ଧାରିତ ସମୟରେ ପୁନଃଚଳାଚଳ କରିବ। ସେହିପରି ଖଡ଼ଗପୁର-ଭଦ୍ରକ ମେମୁ ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟରେ ଚଳାଚଳ କରିବ। ଏହି ଦୁଇ ପ୍ରତିଶ୍ରୁତି ମଧ୍ୟରୁ ପ୍ରଥମ ପ୍ରତିଶ୍ରୁତି ଅନୁଯାୟୀ ଖଡ଼ଗପୁର ଖୋର୍ଦ୍ଧା ରୋଡ ଫାଷ୍ଟ ପାସେଞ୍ଜର ଟ୍ରେନ ପୂର୍ବବତ ନିର୍ଦ୍ଧାରିତ ସମୟରେ ମଙ୍ଗଳବାର ଦିନ ଅର୍ଥାତ୍ ୩ ତାରିଖରୁ ପୁନଃଚଳାଚଳ କରିବ ବୋଲି ସୋମବାର ଦିନ ଘୋଷଣା ହୋଇଛି। ତେବେ ଦ୍ବିତୀୟ ପ୍ରତିଶ୍ରୁତି ଅନୁଯାୟୀ ଖଡ଼ଗପୁର-ଭଦ୍ରକ ମେମୁ ଟ୍ରେନକୁ ପୂର୍ବ ନିର୍ଦ୍ଧାରିତ ସମୟରେ ଚଳାଚଳ କରାଯାଉ ବୋଲି ଡେଭଲପ୍‌ମେଣ୍ଟ କମିଟିର ଯୁଗ୍ମ ଆବାହକ ସୁକୁମାର ରଣା ଓ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ ଡ. ଲଲିତ ରଞ୍ଜନ ସେନାପତି ରେଳ କର୍ତ୍ତୃପକ୍ଷଙ୍କଠାରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe