ଡୁଙ୍ଗୁରିପାଲି: ଗତ ଜୁଲାଇ ୨୬ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅଫିସ ପରିସରରେ ଇଚ୍ଛାପୁର ସରପଞ୍ଚ ପ୍ରଶାନ୍ତ ସାହୁଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଛତିଶଗଡ଼ ରାଜ୍ୟ ଭିଲାଇରୁ ଗିରଫ କରିଛି। ସେମାନେ ହେଲେ ଡୁଙ୍ଗୁରିପାଲି ଥାନା ସାନଫଟାମୁଣ୍ଡା ଗ୍ରାମର ଅରକ୍ଷିତ ମଟାରୀ (୨୬), ତାଙ୍କ ଭାଇ ବିଶ୍ବଜିତ ମଟାରୀ (୨୧) ଓ ମଧ୍ୟପ୍ରଦେଶ ଜଗଲପୁର ଜିଲ୍ଲା ପ୍ରେମସାଗର ଥାନା ରାଧାକୃଷ୍ଣ ୱାର୍ଡ଼ର ଆକାଶ ଭଟ୍ଟ (୨୬)। ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡା ଓ କାର୍କୁ ପୁଲିସ ଜବତ କରିଛି।
ସୂଚନାଯୋଗ୍ୟ ଯେ, ଇଚ୍ଛାପୁର ସରପଞ୍ଚ ଶ୍ରୀ ସାହୁ ଘଟଣା ଦିନ ବ୍ଲକ୍ ଅଫିସକୁ କୌଣସି କାମରେ ଆସିଥିଲେ। ଅପରାହ୍ଣ ୪ ଟାରେ ସରପଞ୍ଚ ଶ୍ରୀ ସାହୁ ନିଜ କାର୍ରୁ ଓହ୍ଲାଇବା ମାତ୍ରେ ତିନି ଅଭିଯୁକ୍ତ ଅତର୍କିତ ଭାବେ ଖଣ୍ଡାରେ ତାଙ୍କୁ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା।
ଜୁଲାଇ ୩୦ ତାରିଖ କୌଣସି ସୂତ୍ରରୁ ଖବର ପାଇ ଡୁଙ୍ଗୁରିପାଲି ପୁଲିସ ଭିଲାଇ ଯାଇଥିଲା। ସେଠାରେ ଅଭିଯୁକ୍ତମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ସେମାନଙ୍କଠାରୁ ପୁଲିସ ୩ଟି ଖଣ୍ଡା, ୨ଟି ମୋବାଇଲ ଫୋନ୍, ଲୁହାଛଡ଼, ଗୋଟିଏ କାର୍ (ଓଡି ୦୩ କ୍ୟୁ ୨୪୪୫)କୁ ଜବତ କରିଥିଲା। ବୁଧବାର ତିନି ଅଭିଯୁକ୍ତଙ୍କୁ ଡୁଙ୍ଗୁରିପାଲି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା।
Follow Us