OnlineKhabar English News
ପୁରୀ : ଆୟୁର୍ବେଦିକ ଡାକ୍ତର ନିଯୁକ୍ତି ପାଇଁ ପରୀକ୍ଷା ଦେଲେ। ଜଣେ ନୁହେଁ, ୧୪୭ଜଣ ଆୟୁର୍ବେଦିକ ମେଡିସିନ୍ ଓ ସର୍ଜରି ଡିଗ୍ରିଧାରୀ(ବିଏଏମ୍ଏସ୍) ଡାକ୍ତର ଏଥିରେ କୃତକାର୍ଯ୍ୟ ହେଲେ। ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବା ପରେ ସରକାରୀ ନିୟମକୁ ମାନି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରୁ ଚାକିରି ଛାଡ଼ିଲେ। ଇତିମଧ୍ୟରେ ଯୋଗ୍ୟ ବିବେଚିତ ହେବା ବର୍ଷେ ବିତିଲାଣି, କିନ୍ତୁ ନିଯୁକ୍ତିପତ୍ର ମିଳିନାହିଁ। ନିଯୁକ୍ତିପତ୍ର ଦେବେ ବୋଲି କହି ସରକାର ଭଣ୍ଡାଇ ଚାଲିଛନ୍ତି। ଫଳରେ ରାଜ୍ୟରୁ ଯୋଗ୍ୟ ବିବେଚିତ ୧୪୭ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।
ଡାକ୍ତରମାନଙ୍କର କହିବା ମୁତାବକ, ୨୦୨୧ ମସିହା ଏପ୍ରିଲ ୨୯ ତାରିଖରେ ୧୭୦ଟି ଆୟୁର୍ବେଦିକ୍ ମେଡିକାଲ୍ ଅଫିସର(ଏଏମ୍ଓ) ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆବେଦନ ପ୍ରକ୍ରିୟା ଶେଷ ପରେ ସେହିବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଛାତ୍ରଛାତ୍ରୀମାନେ ଏହି ପଦବି ପାଇଁ ପରୀକ୍ଷା ଦେଇଥିଲେ। ଏହାର ୫ ମାସ ପରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଶେଷରେ ୧୭୦ ପଦବି ପାଇଁ ୧୪୭ଜଣ ଆୟୁର୍ବେଦିକ୍ ଡାକ୍ତର କୃତକାର୍ଯ୍ୟ ହେଲେ। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ବି ପ୍ରକାଶ ପାଇଲା। ଏହାର ୫ ମାସ ପରେ ଅର୍ଥାତ୍ ଚଳିତବର୍ଷ ଗତ ୧୫ ତାରିଖରେ ସରକାରଙ୍କ ପକ୍ଷରୁ ୬ଶହ ଜଣ ଡାକ୍ତର ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ୧୪୭ ବିଏଏମ୍ଏସ୍ ଡାକ୍ତରଙ୍କ ସହ ୩୪୦ଜଣ ଏମ୍ବିବିଏସ୍(ୟେଲୋପାଥିକ୍) ଡାକ୍ତର, ୧୧୩ଜଣ ବିଏଚ୍ଏମ୍ଏସ୍(ହୋମିଓପାଥିକ୍) ଡାକ୍ତର ଥିଲେ। ରାଜ୍ୟ ସରକାର ଗତ ୨୨ ତାରିଖରେ ଲୋକସେବା ଭବନ ଗୀତଗୋବିନ୍ଦ ସଦନରେ ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ସହ ଏହି ନିଯୁକ୍ତିପତ୍ର ଦେବାକୁ ଗତ ୨୦ ତାରିଖରେ ବିଜ୍ଞପ୍ତି ଜାରି କଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ୧୪୭ଜଣ ଆୟୁର୍ବେଦିକ୍ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଦେବା ସଂପର୍କରେ କିଛି ବି ଉଲ୍ଲେଖ କରାଗଲାନି।
ରାଜ୍ୟ ସରକାର କୋଭିଡ୍ ଆଳରେ ବିଜ୍ଞପ୍ତି ପ୍ରକାଶ ପରେ ପରୀକ୍ଷାରେ ପ୍ରଥମେ ବିଳମ୍ବ କଲେ। ପରେ ଯୋଗ୍ୟ ତାଲିକା ପ୍ରକାଶରେ ବି ବିଳମ୍ବ କଲେ। ଇତିମଧ୍ୟରେ ଆୟୁର୍ବେଦିକ୍ ମେଡିକାଲ୍ ଅଫିସର ନିଯୁକ୍ତି ପ୍ରକ୍ରିୟାକୁ ଦେଢ଼ବର୍ଷ ବିତିଥିଲେ ବି ସରକାର ଯୋଗ୍ୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିପତ୍ର ନ ଦେବା ହତାଦାର ସଦୃଶ ହୋଇଛି। ଏଣୁ ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଯୋଗ୍ୟ ଡାକ୍ତରୀ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।
Follow Us