୩ ଶହ କୋଟି ଟଙ୍କା ପ୍ରକଳ୍ପର ଭାଗ୍ୟ ଫିଟୁନି: ଅବଧି ସରିଲା, ପ୍ରକଳ୍ପ ସରୁନି

ପାଖାପାଖି ୧୩ ବର୍ଷ ପୂର୍ବେ କୋଏଲ ନଦୀ ଉପରେ ନଦୀବନ୍ଧ ଓ ସେତୁ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା। ଏହାର ନିର୍ମାଣ ଅବଧି ସରିଲାଣି, କିନ୍ତୁ ପ୍ରକଳ୍ପ ଶେଷ ହେବାର ନାଁ ନେଉନି। ବର୍ତ୍ତମାନ ପ୍ରକଳ୍ପ ଅଧପନ୍ତରିଆ ହୋଇଥିବାବେଳେ ଶେଷହେବାକୁ ଆଉ ୧ ବର୍ଷ ଲାଗିବ...

Fate of Rs 300 crore project unsettled: Deadline has passed, project not completed

Fate of Rs 300 crore project unsettled: Deadline has passed, project not completed Photograph: (sambad.in)

ରାଉରକେଲା: ପାଖାପାଖି ୧୩ ବର୍ଷ ପୂର୍ବେ କୋଏଲ ନଦୀ ଉପରେ ନଦୀବନ୍ଧ ଓ ସେତୁ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା। ଏହି ପ୍ରକଳ୍ପ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ତିନୋଟି ବିଧାନସଭା ନିର୍ବାଚନମଣ୍ଡଳି, ଯଥା ରାଉରକେଲା, ରଘୁନାଥପାଲି ଓ ବୀରମିତ୍ରପୁରର ଲୋକଙ୍କ ପାନୀୟ ଜଳ ଓ ଜଳସେଚନ ଆବଶ୍ୟକତାକୁ ପୂରଣ କରିବ। ଏହାର ନିର୍ମାଣ ଅବଧି ସରିଲାଣି, କିନ୍ତୁ ପ୍ରକଳ୍ପ ଶେଷ ହେବାର ନାଁ ନେଉନି।

ବର୍ତ୍ତମାନ ପ୍ରକଳ୍ପ ଅଧପନ୍ତରିଆ ହୋଇଥିବାବେଳେ ଶେଷହେବାକୁ ଆଉ ୧ ବର୍ଷ ଲାଗିବ। କେବଳ ପ୍ରାଶାସନିକ ଅବହେଳା ଯୋଗୁ ଜନସାଧାରଣ ଯାବତୀୟ ସମସ୍ୟା ପୁଣି ଭୋଗିବା ଜଳଜଳ ହୋଇ ଦିଶୁଛି।

କୋଏଲ ନଦୀର ହମିରପୁରଠାରେ ନିର୍ମାଣାଧୀନ ନଦୀବନ୍ଧ ତଥା ସେତୁର ମୋଟ୍‌ ବ୍ୟୟ ଅଟକଳ ହେଉଛି ୩୦୯ କୋଟି ଟଙ୍କା। ଏହି ପ୍ରକଳ୍ପ ନଦୀ ଆରକଡ଼ରେ ଥିବା କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ପସରାକୁ ସଂଯୋଗ କରୁଛି। ଏହି ନଦୀବନ୍ଧ ଓ ସେତୁର ଉଚ୍ଚତା ୪୪୬.୧ ମିଟର ଓ ପ୍ରସ୍ଥ ସାଢେ ୭ ମିଟର। 

ଏହି ପ୍ରକଳ୍ପ ପାଇଁ ୨୦୨୨ ମସିହାରେ ଟେଣ୍ଡର୍‌ ଓ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବାବେଳେ ୨୦୨୩ ମସିହା ପହିଲାରୁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ପ୍ରାୟ ୧୪/୧୫ ମିଟର ଉଚ୍ଚତା ଓ ୧ରୁ ୨.୪ ମିଟର ଚଉଡ଼ା ବିଶିଷ୍ଟ ବିଶିଷ୍ଟ ୩୪ଟି ପିଲର୍‌ ନିର୍ମାଣ ସରିଲାଣି। ତେବେ ଏଯାଏ ସ୍ଲାବ୍‌ ପଡ଼ିପାରିନି।

ବ୍ୟାରେଜ୍‌ର ଉଭୟ ପାର୍ଶ୍ୱରେ ଆପ୍ରୋଚ୍ ରୋଡ୍ ଓ ଗାଡ୍ ୱାଲ୍ ପାଇଁ ପ୍ରାୟ ୬୦ ଏକର ଜମି ଆବଶ୍ୟକ। କିନ୍ତୁ ଏଯାଏ ଆବଶ୍ୟକ ଜମି ଅଧିଗ୍ରହଣ ହୋଇପାରିନଥିବାରୁ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ଆରମ୍ଭ ହୋଇନି। ନିର୍ମାଣକାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାର ଅବହେଳା, ପ୍ରକଳ୍ପର କଚ୍ଛପତି ଗତିର ଅନ୍ୟତମ କାରଣ ପାଲଟିଛି। ଜିପିଏସ୍‌ ସର୍ଭେ, ପ୍ରକଳ୍ପର ଡ୍ରଇଂ ଆଦିରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଥିଲା। 

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଉରକେଲା ମହାନଗର ନିଗମ, ଇସ୍ପାତ ସହରାଞ୍ଚଳ ସମେତ କୁଆରମୁଣ୍ଡା ଓ ନୂଆଗାଁ ବ୍ଲକର ଜଳ ସମସ୍ୟା ସମାଧାନ ହୋଇପାରିବ। ଏହାସହ କୁଆରମୁଣ୍ଡା ଓ ନୂଆଗାଁ ବ୍ଲକ୍‌ର ୧୨ ଶହ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ଏତଦ୍‌ବ୍ୟତୀତ ରାଉରକେଲାରୁ ଏସବୁ ଅଞ୍ଚଳକୁ ସିଧାସଳଖ ଯୋଗାଯୋଗ ସମ୍ଭବ ହେବ। କିନ୍ତୁ ଠିକାସଂସ୍ଥାର କ୍ରମାଗତ ଅବହେଳା ଯୋଗୁ ପ୍ରକଳ୍ପ ବେଗ ଧରିପାରୁନି।

ଉଲ୍ଲେଖଯୋଗ୍ୟ, ପାଖାପାଖି ଦୁଇ ଦଶନ୍ଧିର ଏହି ଦାବିକୁ ପୂରଣ କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୦୧୩ ଜୁଲାଇ ମାସରେ କୋଏଲ ନଦୀର ବୈକୁଣ୍ଠଘାଟରେ ଏକ କମ୍ ଉଚ୍ଚତା ବିଶିଷ୍ଟ ସେତୁ ତଥା ନଦୀବନ୍ଧ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ‌ପରେ ୨୦୧୪ରେ ଜଳସମ୍ପଦ ବିଭାଗ ୪୪୫.୫ କୋଟିଏ ମୂଲ୍ୟର ଏକ ଟେଣ୍ଡର ଜାରି କରାଯାଇଥିଲା, ​​କିନ୍ତୁ ଏହା ବାତିଲ ହୋଇଯାଇଥିଲା। ଦୁଇ ବର୍ଷ ପରେ ପୁନର୍ବାର ନଦୀବନ୍ଧ ପାଇଁ ଟେଣ୍ଡର୍‌ ଆହ୍ବାନ କରାଯାଇଥିବାବେଳେ ଏହା ମଧ୍ୟ ବାତିଲ ହୋଇଥିଲା।

ଏହାପରେ ୨୦୧୮ରେ ୨୬୨ କୋଟି ଟଙ୍କା ମୂଲ୍ୟରେ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର୍‌ ଆହ୍ବାନ କରାଯାଇଥିଲା। ତେବେ ଏଥିପାଇଁ ପାଖାପାଖି ୨ ଶହ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ଥିବାବେଳେ କିଛି ଅଞ୍ଚଳ ବୁଡ଼ିଯିବା ଆଶଙ୍କା ଦେଖାଦେବାରୁ ପ୍ରସ୍ତାବକୁ ଖାରଜ କରାଯାଇଥିଲା। ପରେ ପ୍ରସ୍ତାବିତ ବୈକୁଣ୍ଠଘାଟର ତଳ ଅଞ୍ଚଳର ହମିରପୁରଠାରେ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା।

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe