ଆସନ୍ତା ମାର୍ଚ୍ଚରେ ପୂରିବ କାର୍ଯ୍ୟକାଳ: ବଦଳିଲାନି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଭାଗ୍ୟ

ଆସନ୍ତା ମାର୍ଚ୍ଚରେ ପୂରିବ କାର୍ଯ୍ୟକାଳ: ବଦଳିଲାନି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଭାଗ୍ୟ

ଯାଜପୁର : କୋରେଇ ପଞ୍ଚାୟତ ସମିତିର ଅଧ୍ୟକ୍ଷା ମାଳତୀ ଟୁଡ଼ୁ। ୨୦୧୭ ମସିହାରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଶ୍ରୀମତୀ ଟୁଡ଼ୁଙ୍କର ଆସନ୍ତା ମାର୍ଚରେ ପୂରିବ କାର୍ଯ୍ୟକାଳ। ଅନୁସୂଚିତ ଜନଜାତିର ଏହି ମହିଳା ଜଣକ ସୌଭାଗ୍ୟରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ମଣ୍ଡନ କରିଥିଲେ ମଧ୍ୟ ଗଲା ପାଞ୍ଚବର୍ଷରେ ନିଜ ପରିବାରର ଭାଗ୍ୟ ବଦଳାଇ ପାରିଲେନି। ୨୦୧୭ ମସିହାରେ ଅମୃତିଆ ପଞ୍ଚାୟତରୁ କଂଗ୍ରେସ ସମର୍ଥନରେ ବିଜୟୀ ହୋଇଥିବା ଏହି ମହିଳା ଲୋକପ୍ରତିନିଧି ଜଣକ ସଂରକ୍ଷଣ ସୁବିଧା ନଥିବାରୁ ଚଳିତ ଥର ପଞ୍ଚାୟତ ନିର୍ବାଚନ ଦୌଡ଼ରୁ ବାହାରି ଯାଇଛନ୍ତି। ସେତେବେଳେ ବ୍ଲକ୍‌ ଅଧ୍ୟକ୍ଷା ପଦବି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଫଳରେ ଏହି ସାଧାରଣ ମହିଳା ଜଣକ ପଞ୍ଚାୟତ ସମିତିର ଅଧ୍ୟକ୍ଷା ନିର୍ବାଚିତ ହେବା ପରେ ତାଙ୍କ ‘ପଲିଟିକାଲ୍‌ ଗଡଫାଦର’ ବ୍ଲକ୍‌ ପରିଚାଳନା ଦାୟିତ୍ବ ସମ୍ଭାଳି ଥିଲେ। ଗତ ପାଞ୍ଚ ବର୍ଷରେ କୋଟିକୋଟି ଟଙ୍କାର ଫାଇଲ୍‌ ଓ ବିଲ୍‌ ସମ୍ପର୍କିତ କାଗଜାତ ଦସ୍ତଖତ କରିଥିବା ଅଧ୍ୟକ୍ଷା ମାଳତୀ ଏବେ କପର୍ଦକ ଶୂନ୍ୟ।

ଗତ ପ୍ରାୟ ୭ ମାସ ତଳେ ବ୍ଲକ୍‌ ଅଧ୍ୟକ୍ଷା ଏକ ଭଙ୍ଗା ଚାଳିଆରେ ରହୁଥିବା ଓ ନଡ଼ା ଜାଳି ରୋଷେଇ କରୁଥିବା ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ସେତେବେଳେ ଏହା ଆଲୋଡ଼ନ ସୃଷ୍ଟି କରିଥିଲା। ଅତି ଗରିବ ତଥା ଶ୍ରମିକ ଶ୍ରେଣୀର ହୋଇଥିଲେ ମଧ୍ୟ ତାଙ୍କ ପରିବାରକୁ ସରକାରୀ ଆବାସ ଖଣ୍ଡିଏ ବି ମିଳିନଥିଲା। ପଲିଟିକାଲ ଗଡଫାଦରଙ୍କ ଦୟାରେ ଏବେ ତାଙ୍କ ପରିବାର ପାଇଁ ଦୁଇବଖରା ଘର ତିଆରି ଚାଲିଛି। ସ୍ବାମୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି ବର୍ଷେ ହେଲା ହୃଦ୍‌ରୋଗରେ ପୀଡ଼ିତ। କୌଣସି କାମ କରିପାରୁନାହାନ୍ତି। ସ୍ବାମୀଙ୍କ ଚିକିତ୍ସା କରାଇବାକୁ ତାଙ୍କ ନିକଟରେ ସମ୍ବଳ ନାହିଁ। ବଡ଼ପୁଅ ରତ୍ନାକର ବାଲେଶ୍ବର ଫକୀର ମୋହନ କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିବା ବେଳେ ସାନପୁଅ ଭାଗବତ ବୈତରଣୀରୋଡ ହାଇସ୍କୁଲ୍‌ରେ ନବମ ଶ୍ରେଣୀରେ ପଢ଼ୁଛି। ଅର୍ଥାଭାବ ପାଇଁ ସ୍ବାମୀଙ୍କ ଚିକିତ୍ସା ଓ ପିଲାମାନଙ୍କ ପାଠପଢ଼ାରେ ଅସୁବିଧା ହେଉଛି। ତାଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ପଚାରିବା ବେଳେ ସେ କହିଲେ, ମାସକ ଚଳିବା ପାଇଁ (ପଲିଟିକାଲ ଗଡଫାଦର) ମାସକୁ ୬/୭ ହଜାର ଟଙ୍କା ଦେଉଛନ୍ତି। ବ୍ଲକ୍‌ ଅଧ୍ୟକ୍ଷା ପରି ଏକ ବଡ଼ ପଦବିରେ ଥିବା ଜଣେ ମହିଳାଙ୍କ କାର୍ଯ୍ୟକାଳ ନପୂରୁଣୁ ଏପରି ଅସହାୟତା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe