Loksatta
ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଫତେଗଡ଼ ପଞ୍ଚାୟତରେ ମିସନ ଶକ୍ତି ଗୃହ ନିର୍ମାଣ ନ କରି ୪ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜନେତାଙ୍କ ହାତବାରିସି ସାଜିଥିବା ୩ ଜଣ ସରକାରୀ ଅଧିକାରୀଙ୍କଠାରୁ ଏହି ୪ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଫତେଗଡ଼ ପଞ୍ଚାୟତର ମିସନ ଶକ୍ତି ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ମିସନ ଶକ୍ତି ବିଭାଗ ପକ୍ଷରୁ ୪ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। କିନ୍ତୁ, ପଞ୍ଚାୟତର ତୋଫାନ କୁମାର ପ୍ରଧାନ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଓ କିଛି ଅସାଧୁ କର୍ମଚାରୀ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ଏହି ଟଙ୍କା ଆତ୍ମସାତ୍ କରିଥିବା ନେଇ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମିସନ ଶକ୍ତି ବିଭାଗର କମିସନର ତଥା ସଚିବ ସୁଜାତା ଆର୍ କାର୍ତ୍ତିକେୟନଙ୍କ ନିକଟରେ ଗତ ୨୦୨୧ ମସିହା ଅଗଷ୍ଟ ୨୩ ତାରିଖରେ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ମିସନ ଶକ୍ତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ନୟାଗଡ଼ ଜିଲ୍ଲାପାଳଙ୍କୁ ୨୦୨୧ ମସିହା ସେପ୍ଟେମ୍ବର ୨୧ ତାରିଖରେ ଚିଠି କରିଥିଲେ। ଏହି ଆଧାରରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତରେ ଭାପୁର ବ୍ଲକ୍ର ପୂର୍ବତନ ବିଡିଓ ସତ୍ୟସୁନ୍ଦର ରାଉତ, ଆସିଷ୍ଟାଣ୍ଟ୍ ଇଞ୍ଜିନିୟର ବୃନ୍ଦାବନ ବରିହା ଓ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀଙ୍କୁ ଏହି ଆର୍ଥିକ ଅନିୟମିତତା ଓ ଟଙ୍କା ଆତ୍ମସାତ୍ ଘଟଣାରେ ଦାୟୀ କରାଯାଇଥିଲା। ତେଣୁ ଏହି ତିନିଜଣ ଅଧିକାରୀଙ୍କଠାରୁ ମିସନ ଶକ୍ତି ଗୃହ ବାବଦ ଯେଉଁ ୪ ଲକ୍ଷ ଟଙ୍କା ହଡ଼ପ ହୋଇଛି, ତାକୁ ଆଦାୟ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ରାୟ ଭାପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨ ତାରିଖରେ ଏହି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
Follow Us