ହତ୍ୟା ଅଭିଯୋଗରେ ବାପାମା ଜେଲରେ, ଆଈମା ସହ ୩ ଅସହାୟ ଶିଶୁ ଗାଁରୁ ବିତାଡ଼ିତ !

ଢାବାରେ ନେଇଛନ୍ତି  ଆଶ୍ରୟ

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ସୁନ୍ଦରଗଡ଼: ବାସ୍ତରୀ ବର୍ଷିୟ ବୃଦ୍ଧଙ୍କ ହତ୍ୟା ଅଭିଯୋଗରେ ବାପା,ମା’ ଜେଲରେ। ସେ ଦିନଠାରୁ ବେସାହାରା ତିନି ଶିଶୁ କନ୍ୟା ବୁଢ଼ୀ ଆଈମା ସହ ଘର ଛାଡ଼ି ଦେଇଛନ୍ତି। ହତ୍ୟାକାଣ୍ଡକୁ ନେଇ ମୃତକଙ୍କ ପରିବାର ଓ ଗାଁରେ ଲାଗି ରହିଛି ଉତ୍ତେଜନା। କୌଣସି ପରିସ୍ଥିତିରେ ହତ୍ୟାକାରୀ ପରିବାରକୁ ଗାଁରେ ରହିବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିବା ପରେ ଶଙ୍କାଗ୍ରସ୍ତ ତିନି ଶିଶୁ ଓ ଆଈମା ଏବେ ଏକ ଢାବାରେ ଆଶ୍ରୟ ନେଇଛନ୍ତି।

ବାପାମାଙ୍କ ନାଁରେ ଲାଗିଥିବା ରକ୍ତର ଛିଟା କୁନି ପିଲାଙ୍କୁ କୋମଳ ଜୀବନକୁ କଲବଲ କରି ଦେଇଥିବା ବେଳେ ସେମାନେ ଏବେ କୁଆଡ଼େ ଯିବେ, କେଉଁଠି ରହିବେ ତାହା ବୁଢ଼ୀ ଆଈଙ୍କୁ ଚିନ୍ତାରେ ପକାଇଛି। ଅକ୍ଟୋବର ୨୫ରେ ହେମଗିର ଥାନା ସୀମାନ୍ତ ଟପରିଆରେ ଘଟିଥିବା କାମଦେବ ଧାନଗୁଣ୍ଡି  ହତ୍ୟାକାଣ୍ଡ ପରବର୍ତ୍ତୀ ଘଟଣା ଥିଲା ଏପରି  ଅଭାବନୀୟ, ହୃଦୟବିଦାରକ। ଯାହା ସାଧାରଣରେ  ଆଲୋଡ଼ନ ସୃଷ୍ଟି କରିଛି। ବଲିଙ୍ଗା ଫାଣ୍ଡି ସୀମାନ୍ତ ଟପରିଆରେ ୨୫ ତାରିଖ ରାତି ୯ଟାରେ ଘର ଜ୍ବାଇଁ ହୋଇ ରହିଥିବା ଗଡ଼ତୁମଲିଆର କାମଦେବଙ୍କ ଜଘନ୍ୟ  ହତ୍ୟା ହୋଇଥିଲା। ସେ ଟପରିଆ ବଜାରଦାଣ୍ଡ ପଡ଼ାରେ ସ୍ତ୍ରୀ, ପୁଅ ସହ ରହୁଥିବା ବେଳେ ୨୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ। ୨୬ ସକାଳେ ତାଙ୍କ କ୍ଷତବିକ୍ଷତ ମୃତଦେହ ଗାଁ ମୁଣ୍ଡ ପୋଖରୀ ହୁଡ଼ାରୁ ମିଳିଥିଲା। ଏହା ପରେ ବହୁଦିନର ପାରିବାରିକ ଶତ୍ରୁତା କାରଣରୁ ପଡ଼ୋଶୀ ସଂଜୟ ବନଛୋର ଓ ତାଙ୍କ ପତ୍ନୀ ଓ ଭାଇ ସଂଘବଦ୍ଧ ଭାବେ ହତ୍ୟା କରିଥିବା ମୃତ କାମଦେବଙ୍କ ପୁଅ ଏତଲା ଦେଇଥିଲେ। ଏହା  ପରେ ପୁଲିସ ସଂଜୟ ଓ ତାଙ୍କ ପତ୍ନୀଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଥିଲା ଓ  ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏବେ ସେମାନେ ଜେଲରେ। ଆଉ ଏପଟେ ଉତ୍ତ୍ୟକ୍ତ ଗାଁ ଲୋକେ  ହତ୍ୟାକାରୀ ପରିବାରକୁ ଗାଁରେ ରଖାଇ ଦେବୁ ନାହିଁ କହିବା ପରେ  ତିନି ଅସହାୟ ଶିଶୁ କନ୍ୟା ବୁଢ଼ୀ ଆଈ କାମ କରୁଥିବା ଟପରିଆସ୍ଥିତ ପ୍ରଧାନ ଢାବାରେ ଆଶ୍ରୟ ନେଇଛନ୍ତି। ଏହା ମଧ୍ୟରେ ଗାଁ ଲୋକେ ଢାବା ମାଲିକଙ୍କୁ ମଧ୍ୟ ତାଗିଦ୍ କରିସାରିଛନ୍ତି। ଶେଷ ଖବର ଅନୁସାରେ,  ଶ୍ମଶାନବନ୍ଧୁ ସିଦ୍ଧାନ୍ତ ପଣ୍ଡା ଓ ସାନଘୁମୁଡ଼ା ସରପଞ୍ଚ ରେବତୀ ଛତ୍ରିଆ ଟପରିଆ ଯାଇ ବେସାହାରା ଶିଶୁକନ୍ୟା ଓ  ଆଈମାଙ୍କୁ ଭେଟିବା ପରେ ପ୍ରଶାସନର ସହାୟତା ଲୋଡ଼ିଛନ୍ତି। ଶ୍ମଶାନବନ୍ଧୁ ଶ୍ରୀ ପଣ୍ଡା ବୁଧବାର ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ ଜଣାଇବା ପରେ ସେମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଏହା ପରେ ବଲିଙ୍ଗା ଫାଣ୍ଡି ଅଧିକାରୀ ମଧ୍ୟ ଶିଶୁ କନ୍ୟା ଓ ଆଈମାଙ୍କ ସୁରକ୍ଷା ନେଇ ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe