ଝିଅକୁ ମାରି ପୋଡ଼ିଦେଲେ ବାପା, ସାବତ ମା’!

ସାଇଣ୍ଟିଫିକ୍ ଟିମ୍ ଓ ପୋଲିସର ତଦନ୍ତ ଜାରି

ଝିଅକୁ ମାରି ପୋଡ଼ିଦେଲେ ବାପା, ସାବତ ମା’!

ଗୋପ : ନିଜ ଜନ୍ମିତ କଲେଜ ପଢୁଆ ଝିଅକୁ ସାବତ ମାଆ କଥାରେ ପଡ଼ି ନିଜ ବାପା ପିଟିପିଟି ମାରିଦେଇଛି। କେବଳ ମାରି ଦେଇନାହିଁ, ପ୍ରମାଣ ନଷ୍ଟ କରିବା ପାଇଁ ରାତାରାତି ମୃତଦେହକୁ ପୋଡ଼ିଦେବା ସହ ପାଉଁଶକୁ ମଧ୍ୟ ଗାଏବ କରିଦେଇଛନ୍ତି। ଏନେଇ ଗତକାଲି ବିଳମ୍ବିତ ରାତିରେ ଗୋପ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଆଜି ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଅଭିଯୁକ୍ତ ବାପା ଦୁର୍ଗାଚରଣ ମହାରଣାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ମୃତକ ହେଲେ, ସୋନାଲି ମହାରଣା(୧୭)। ମୃତକଙ୍କ ବଡ଼ଭଉଣୀ ଅର୍ଥାତ୍‌ ଦୁର୍ଗାଚରଣଙ୍କ ବଡ଼ଝିଅ ରଞ୍ଜିତା ମହାରଣାଙ୍କ ଅଭିଯୋଗ ଅନୁସାରେ, ୨୦୧୮ ମସିହାରେ ତାଙ୍କ ମା’ଙ୍କ ମୃତ୍ୟୁପରେ ସେ ଗଁା ଛାଡ଼ି ରୋଜଗାର ପାଇଁ ବାହାରକୁ ଚାଲିଯାଇଥିଲେ। ୨୦୨୦ ମସିହାରେ ତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ। ଏହାପରେ ତାଙ୍କ ଭଉଣୀ ସୋନାଲି ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ପୂର୍ବରୁ ଅନେକଥର ସୋନାଲି ତାଙ୍କୁ ବାପା, ସାବତ ମାଆ ମମତା ଓଝା ଓ ତାଙ୍କର ଭାଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା କହିଥିଲେ। ସେ ବି ବାରମ୍ବାର ଘରକୁ ଆସି ସମାଧାନ କରିବା ସହିତ ନିଜ ରୋଜଗାର ଅର୍ଥରେ ଭଉଣୀକୁ ନିଜ ଗୋପ କଲେଜରେ +୩ ରେ ପାଠ ପଢ଼ାଉଥିଲେ।

ଗତକାଲି ସୋନାଲିଙ୍କ ମୃତ୍ୟୁ ଖବର ପାଇଥିଲେ ରଞ୍ଜିତା। ବିଳମ୍ବିତ ରାତିରେ ବାପା ଓ ସାବତ ମାଆ ମମତା ଓଝା, ସାବତ ମାଆଙ୍କ ଭାଇ ଜୀବନ ଓଝା, ତାଙ୍କ ଜେଜୀମା’ ଶଶି ମହାରଣା ମିଶି ଭଉଣୀ ସୋନାଲିଙ୍କୁ ମାରି ଦେଇଥିବା ସେ ଗୋପ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ଗୋପ ପୁଲିସ ଦୁର୍ଗାଚରଣଙ୍କୁ ଥାନାରେ ଅଟକ ରଖିବା ସହିତ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି।
ଦୁର୍ଗାଚରଣ ଓ ଅନ୍ୟମାନେ ମିଶି ରାତିଅଧରେ ମୃତ ସୋନାଲିଙ୍କ ଶବକୁ ଲୁଚାଇ ଗ୍ରାମ ଶ୍ମଶାନରେ ପୋଡ଼ିଦେବା ସହିତ ପ୍ରମାଣ ନଷ୍ଟ କରିବାକୁ ପାଉଁଶ ଓ ଅସ୍ଥିକୁ ମଧ୍ୟ ସେଠାରୁ ଗାଏବ କରିଦେଇଥିବା ଜଣାପଡ଼ିଛି। ସାଇଣ୍ଟିଫିକ୍ ଟିମ୍ ଶ୍ମଶାନରୁ କିଛି ହାଡ଼, ପାଉଁଶ ଜବତ କରିଥିବା ବେଳେ ଅତିରିକ୍ତ ଏସ୍‌ପି ପୂର୍ଣଚନ୍ଦ୍ର ପ୍ରଧାନ, ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର ଓ ଗୋପ ଥାନାଧିକାରୀ ସୁନିଲ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଗୋପ ପୁଲିସ ପକ୍ଷରୁ ୧୩/୨୨ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe