୫ ଟଙ୍କା ପାଇଁ ଯୁବକଙ୍କୁ ପିଟିଲେ ବାପପୁଅ

୫ ଟଙ୍କା ପାଇଁ ଯୁବକଙ୍କୁ ପିଟିଲେ ବାପପୁଅ

DNA India

କେନ୍ଦୁଝର : ସୀମା ଟପିଲା ହୋଟେଲ ମାଲିକଙ୍କ ବର୍ବରତା। ମାତ୍ର ୫ ଟଙ୍କା ପାଇଁ ଭୁଲିଗଲେ ମାନବିକତା। ଜଣେ ଯୁବକଙ୍କୁ ତଳେ ପକାଇ ଗଡ଼େଇତଡ଼େଇ ପିଟିଲେ ହୋଟେଲ ମାଲିକ ଏବଂ ତାଙ୍କ ପୁଅ। ଯୁବକ ଜଣକ ଗୋଡ଼ହାତ ଧରି ଯେତେ ନେହୁରା ହେଲେ ମଧ୍ୟ କିଛି ଶୁଣି ନ ଥିଲେ ନିଷ୍ଠୁର ବାପପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଘସିପୁରା ଲକ୍ଷ୍ମୀବଜାରରେ।

ଘସିପୁରା ଲକ୍ଷ୍ମୀବଜାରରେ ଥିବା ମା ହୋଟେଲକୁ ଶନିବାାର ଅପରାହ୍ଣ ୩ଟାବେଳେ ପୋଡ଼ାଖମଣ ଗ୍ରାମର ଜିତେନ୍ଦ୍ର ଦେହୁରୀ ଖାଇବାକୁ ଯାଇଥିଲେ। ଜିତେନ୍ଦ୍ର ଭାତ, ଡାଲି, ତରକାରି ଏବଂ ଖଟା ଖାଇଥିଲେ। ହୋଟେଲ ମାଲିକ ମଧୁ ସାହୁ ତାଙ୍କୁ ୪୫ଟଙ୍କା ମାଗିଥିଲେ। ଜିତେନ୍ଦ୍ର ୪୦ ଟଙ୍କା ଦେଇଥିଲେ। ବାକି ୫ ଟଙ୍କା ସନ୍ଧ୍ୟାରେ ଦେବେ ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମଧୁ ଓ ତାଙ୍କ ପୁଅ ଜିତେନ୍ଦ୍ରଙ୍କୁ ରାସ୍ତା ଉପରେ ଅତି ଅମାନୁଷିକ ଭାବେ ପିଟିଥିଲେ। ତାଙ୍କ ସାର୍ଟ ଚିରିଦେବା ସହ ଗଡ଼େଇତଡ଼େଇ ପିଟିଥିଲେ। ବାପପୁଅ ମାଡ଼ ମାରୁଥିବାବେଳେ ପାଖରେ ଉପସ୍ଥିତ ଥିବା କିଛି ଲୋକ ନିରବଦ୍ରଷ୍ଟା ସାଜିଥିଲେ। ଛଡ଼ାଇବା ପାଇଁ କେହି ଆସି ନ ଥିଲେ।

ଏହି ସମୟର ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ଜିତେନ୍ଦ୍ର ଏ ନେଇ ସନ୍ଧ୍ୟାରେ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ଏସ୍‌ଆଇ ମାନସ ରଞ୍ଜନ ପଣ୍ଡା ଘଟଣାର ତଦନ୍ତ କରୁଛନ୍ତି। ସନ୍ଧ୍ୟାରେ ପୁଲିସ ହୋଟେଲ ମାଲିକଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଏସ୍‌ଆଇ ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ, ହୋଟେଲ ମାଲିକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ଓ ମାମଲା ରୁଜୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe