Photo Credit: Representative Image
ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଚମ୍ପାଦେଇପୁର ପଞ୍ଚାୟତ ଅଞ୍ଚଳର ଜଣେ ସାଢ଼େ ଛଅ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୁଲିସ୍ ଅଭିଯୁକ୍ତ ଗୋପୀନାଥପୁର ଗ୍ରାମର ସାଧନ ହରିଜନଙ୍କ ପୁଅ ନୀଳାମ୍ବର ହରିଜନ (୨୨)କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏହା ସହ ନାବାଳିକାର ମା’କୁ ମାଡ଼ ମାରିବା ଅଭିଯୋଗରେ ସାଧନ ହରିଜନ ମଧ୍ୟ ଗିରଫ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଲାଞ୍ଜିଗଡ଼ ଥାନା ଅଞ୍ଚଳର ନାବାଳିକାର ମା’ ଓ ବାପା ରବିବାର ଗାଁ ଠାରୁ ପ୍ରାୟ ୩ କିମି ଦୂର ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଝିଅ ଉକ୍ତ ସ୍ଥାନକୁ ଯିବା ସମୟରେ ଗୋପୀନାଥପୁର ଗ୍ରାମର ସାଧନ ହରିଜନଙ୍କ ପୁଅ ନୀଳାମ୍ବର ଝିଅକୁ ଦେଖି କୁଆଡ଼େ ଯାଉଛୁ ବୋଲି ପଚାରିଥିଲା। ଝିଅଟି ବାପା ମା’ଙ୍କ ପାଖକୁ ଯାଉଛି ବୋଲି କହିବାରୁ, ମୁଁ ମଧ୍ୟ ସେହି ବାଟ ଦେଇ ଯିବି ବୋଲି କହି ଅଭିଯୁକ୍ତ ନୀଳାମ୍ବର ନାବାଳିକାଙ୍କୁ ସାଙ୍ଗରେ ଆସିଥିଲା। ଏହାପରେ ଛୋଟ ଜଙ୍ଗଲ ମଧ୍ୟରେ ପିଜୁଳି ଖାଇବା ବାହାନା କରି ଝିଅକୁ ଦୁଷ୍କର୍ମ କରିଥିଲା। ଝିଅଟି କାନ୍ଦି କାନ୍ଦି ପାଟି କରିବାରୁ ଘଟଣା ସ୍ଥଳରୁ ନୀଳାମ୍ବର ପଳାଇଥିଲା। ପରେ ଝିଅଟି ରକ୍ତାକ୍ତ ଅବସ୍ଥାରେ ମା’ ବାପାଙ୍କ ପାଖକୁ ଯାଇ ଘଟଣା ବିଷୟରେ ସବୁ କହିଥିଲା। ମା’ ଏକଥା ଶୁଣିବାପରେ ନିକଟ ଜମିରେ କାମ କରୁଥିବା ନୀଳାମ୍ବରର ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ। ଅଭିଯୁକ୍ତର ବାପା ସାଧନ କଣ ପାଇଁ ବଦନାମ କରୁଛୁ କହି ନାବାଳିକାର ମା’କୁ ଅସଦାଚରଣ କରି ମାଡ଼ ମାରିଥିଲେ। ଝିଅର ମା’ ରବିବାର ସକାଳେ ଏ ନେଇ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲାଞ୍ଜିଗଡ଼ ପୁଲିସ୍ କେସ୍ ନଂ ୪୬/୩୭୬ ଏ/୩୭୬ ବି/୩୪୧/୨୯୪/୩୨୩/୫୦୬/୩୪ ଦଫାରେ ଅଭିଯୁକ୍ତ ନୀଳାମ୍ବର ଓ ତାର ବାପା ସାଧନଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଯାଇଥିବା ଲାଞ୍ଜିଗଡ଼ ଥାନାଧିକାରୀ ପ୍ରକାଶ କରିଛନ୍ତି।
Follow Us