Times of India
ଛେଣ୍ଡିପଦା : ଛେଣ୍ଡିପଦା ଥାନା ପାତ୍ରପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅକୁ ଗୁଳିକରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୁଲିସ ବାପାକୁ ଗିରଫ କରିବା ସହ ମାଉଜରକୁ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ପାତ୍ରପଡ଼ାର ନଗେନ କୁମାର ନାଏକ(୫୦)ଙ୍କ ୩ ଜଣ ପତ୍ନୀ ଅଛନ୍ତି। ପ୍ରାୟ ୨୦ ବର୍ଷ ତଳେ ନଗେନ ତାଙ୍କ ଘରପାଖର ଅଞ୍ଜଳି(୪୫)ଙ୍କୁ ଭଲପାଇ ବିବାହ କରିଥିଲେ। ଅଞ୍ଜଳିଙ୍କ ଗର୍ଭରୁ ତାଙ୍କର ଦୁଇ ପୁଅ ଅଛନ୍ତି। ଏହାପରେ ନଗେନ ୧୦ ବର୍ଷ ତଳେ ୩ଟି ସନ୍ତାନ ଥିବା ଗାଁର ଜଣେ ବିଧବା ମହିଳାଙ୍କୁ ବିବାହ କରିଥିଲେ। ଏହାପରେ ମାସକ ପୂର୍ବରୁ ୨ଟି ସନ୍ତାନ ଥିବା ଗାଁର ଆଉଜଣେ ମହିଳାଙ୍କୁ ସେ ବିବାହ କରିଛନ୍ତି। ନଗେନ ପ୍ରଥମ ପତ୍ନୀ ଓ ତାଙ୍କର ଦୁଇପୁଅଙ୍କୁ ଛାଡ଼ି ଅନ୍ୟ ଦୁଇପତ୍ନୀ ସହ ଗାଁରେ ଅନ୍ୟତ୍ର ରହୁଛନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ନଗେନ ବାଇକ୍ରେ ପ୍ରଥମ ପତ୍ନୀଙ୍କ ଘରକୁ ଯାଇ ତାଙ୍କ ଆଧାର କାର୍ଡ ଓ କିଛି କାଗଜପତ୍ର ଆଣିବାକୁ ଉଦ୍ୟମ କରିଥିଲେ। କିନ୍ତୁ ନଗେନଙ୍କୁ ତାଙ୍କ ପ୍ରଥମ ପତ୍ନୀ ଓ ଦୁଇପୁଅ ଘର ଭିତରକୁ ପୂରାଇ ଦେଇ ନଥିଲେ। ଏହାକୁ ନେଇ ନଗେନଙ୍କ ସହିତ ସେମାନଙ୍କର ଝଗଡ଼ା ଓ ମାରପିଟ ହୋଇଥିଲା। ନଗେନ ଉତ୍ତ୍ୟକ୍ତହୋଇ ଧରିଥିବା ମାଉଜରରେ ପୁଅ ମାନସ(୨୦)ଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅଞ୍ଜଳି ଓ ତାଙ୍କର ଦୁଇପୁଅ ସଂଘବଦ୍ଧ ଭାବେ ନଗେନଙ୍କୁ କାବୁକରି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ମାନସଙ୍କ ଅଭିଯୋଗ କ୍ରମେ ବାଗେଡ଼ିଆ ଫାଣ୍ଡି ଅଧିକାରୀ ଆଶିଷ ଦାସ ନଗେନଙ୍କୁ ଗିରଫ କରିବା ସହ ଉକ୍ତ ମାଉଜର୍ ଜବତ କରିଛନ୍ତି। ଏ ସଂପର୍କରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।
Follow Us