Telegraph India
ବାଉଁଶୁଣି : ମୃତ୍ୟୁ ପରେବି ପୁଅର ଶବକୁ ଛୁଇଁଲେନି ବାପା,ଏଭଳି ଅଭାବନୀୟ ଘଟଣା ବାଉଁଶୁଣି ଥାନା ଅଞ୍ଚଳରେ ସୋମବାର ଦିନ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ବାଉଁଶୁଣି ଥାନା ବଡ଼ଝାରକଟା ଗ୍ରାମର ମୃତ୍ୟୁଞ୍ଜୟ ପ୍ରଧାନ (୨୭) ଗଣେଶ୍ୱର ପ୍ରଧାନଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ଅଟନ୍ତି। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଗଣେଶ୍ୱର ଦ୍ୱିତୀୟ ସ୍ତ୍ରୀ ବିବାହ କରିଥିଲେ। ଦ୍ୱିତୀୟ ବିବାହ ପରେ କୁଆଡ଼େ ଗଣେଶ୍ୱର ପ୍ରଥମ ସ୍ତ୍ରୀଙ୍କ ପିଲାମାନଙ୍କୁ ହତାଦର କରି ଆସୁଥିଲେ। ପାରିବାରିକ ସମ୍ପର୍କ ଭଲ ନଥିଲା। ୪ ମାସ ହେଲା ମୃତ୍ୟୁଞ୍ଜୟ ଅଜଣା ରୋଗରେ ପୀଡିତ ହୋଇ ଶ୍ବଶୁର ଘରେ ରହି ଚିକିତ୍ସିତ ହେଉଥିଲେ। ଗତ ରବିବାର ତାଙ୍କ ଦେହ ଅତ୍ୟଧିକ ଖରାପ ହେବାରୁ ଶ୍ବଶୁର ଘର ଲୋକେ ମୃତ୍ୟଞ୍ଜୟଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା।
ସୋମବାର ମହାପ୍ରୟାଣ ଗାଡ଼ିରେ ମୃତ୍ୟୁଞ୍ଜୟଙ୍କ ଶବକୁ ବଡଝାରକଟା ଗ୍ରାମକୁ ଆଣିବା ପରେ ପୁଅର ଶବକୁ ବାପା ଗଣେଶ୍ୱର ନେବା ପାଇଁ ମନା କରିବା ସହ ଦାହ ସଂସ୍କାର ପାଇଁ ମଧ୍ୟ ଅରାଜି ହୋଇଥିଲେ। ଫଳରେ ଦୀର୍ଘ ୧୦ଘଣ୍ଟା ଧରି ମୃତ୍ୟୁଞ୍ଜୟଙ୍କ ଶବ ଘର ସାମନାରେ ପଡ଼ି ରହିଥିଲା। ଏନେଇ ମୃତ୍ୟୁଞ୍ଜୟଙ୍କ ସ୍ତ୍ରୀ ରଶ୍ମିତା ବାଉଁଶୁଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବାଉଁଶୁଣି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ଓ ଅନ୍ୟ ପୁଲିସ ଅଧିକାରୀ ଗାଁକୁ ଯାଇ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଜାତିଭାଇଙ୍କ ସହାୟତାରେ ଦୀର୍ଘ ୧୦ ଘଣ୍ଟା ପରେ ମୃତ୍ୟୁଞ୍ଜୟଙ୍କ ଶବକୁ ଦାହ ସଂସ୍କାର ପାଇଁ ନିଆ ଯାଇଥିବା ଜଣାପଡ଼ିଛି।
Follow Us