ବୈତରଣୀ ନଦୀରେ ଅଘଟଣ: ପୁଅ ଆଗରେ ବାପାଙ୍କୁ ଭସାଇ ନେଲା ପାଣି

Advertisment
ବୈତରଣୀ ନଦୀରେ ଅଘଟଣ: ପୁଅ ଆଗରେ ବାପାଙ୍କୁ ଭସାଇ ନେଲା ପାଣି

କେନ୍ଦୁଝର/ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଫୁଲଝର ପଞ୍ଚାୟତ କେନ୍ଦୁଘାଟି ନିକଟରେ ବୈତରଣୀ ନଦୀରେ ପୁଅ ଆଗରେ ଭାସିଯାଇ ବାପା ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କେନ୍ଦୁଘାଟି ଗ୍ରାମ ଗମ୍ଭାରିଡିହି ସାହିର ପୂର୍ଣ୍ଣଚନ୍ଦ୍ର ଦେହୁରୀ (୬୦)।

ପ୍ରାପ୍ତ ସୂଚନା ଅନୁଯାୟୀ, ଗମ୍ଭାରିଡିହି ସାହିର ପୂର୍ଣ୍ଣଚନ୍ଦ୍ର ଦେହୁରୀ, ପୁଅ ସୁରେନ୍ଦ୍ର ଦେହୁରୀ ଏବଂ ସେହି ଗ୍ରାମର ମନ୍ତ୍ରୀବର ଦେହୁରୀ ବାଂଶପାଳସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାକୁ ବାଇକ୍‌ରେ ଯାଇଥିଲେ। ଅପରାହ୍‌ଣ ସାଢ଼େ ୫ଟାରେ ଫେରିବା ବେଳେ ବୈତରଣୀ ନଦୀରେ ହୋଇଥିବା ହ୍ୟୁମ୍‌ପାଇପ୍‌ ପୋଲ ଉପରେ ପାଣି ପ୍ରବାହିତ ହେଉଥିଲା। ପୁଅ ସୁରେନ୍ଦ୍ର ବାଇକ୍‌ ନେଇ ଆଗରେ ଯାଉଥିବା ବେଳେ ପଛରେ ବାପା ପୂର୍ଣ୍ଣଚନ୍ଦ୍ର ଏବଂ ମନ୍ତ୍ରୀବର ଯାଉଥିଲେ। ନଦୀ ମଝିରେ ପୂର୍ଣ୍ଣଚନ୍ଦ୍ର ହ୍ୟୁମ୍‌ପାଇପ୍‌ ପୋଲରୁ ତଳକୁ ଖସି ପଡ଼ିଥିଲେ। ସେଠାରେ ଗାଧଉଥିବା ଲୋକେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହୋଇଥିଲେ।

publive-image

ପୂର୍ଣ୍ଣଚନ୍ଦ୍ର ହ୍ୟୁମ୍‌ପାଇପ୍‌ ମଝିରେ ଫସି ଯାଇଥିଲେ। ଦୀର୍ଘ ଏକଘଣ୍ଟାର କସରତ ପରେ ଲୋକେ ପୂର୍ଣ୍ଣଚନ୍ଦ୍ରଙ୍କ ଶରୀରକୁ ‌କାଠ ସାହାଯ୍ୟରେ ଖେଞ୍ଚିଖେଞ୍ଚି ବାହାର କରିଥିଲେ। ମାତ୍ର ନଦୀର ସ୍ରୋତ ପ୍ରଖର ଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା। ସେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରୁଛନ୍ତି।

ଏହା ପୂର୍ବରୁ ୨୦୨୧ ମସିହାରେ ମଧ୍ୟ ଏଠାରେ ସମାନ ଘଟଣା ଘଟିଥିଲା। ଜଣେ ମହିଳା ପୋଲ ଉପ‌ର ଦେଇ ଯାଉଥିବା ସମୟରେ ପଡ଼ିଯାଇ ହ୍ୟୁମ୍‌ପାଇପ୍‌ ଭିତରେ ଫସିଯିବାକୁ ତାଙ୍କର ମୃତ୍ୟୁ ଘଟିଥିଲା। ବହୁବର୍ଷ ହେବ କେନ୍ଦୁଘାଟିବାସୀ ‌ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇ ଦାବି କରିଆସୁଛନ୍ତି। ଏଠାରେ ପୋଲ ନିର୍ମାଣ ପାଇଁ ଗତ ଜାନୁଆରି ମାସରେ ତତ୍କାଳୀନ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଶିଳାନ୍ୟାସ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲ କାମ ଆରମ୍ଭ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe