ମଦ ନିଶାରେ ନାବାଳକ ପୁତ୍ରକୁ ହତ୍ୟା

Advertisment
ମଦ ନିଶାରେ ପୁଅକୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଛାଡ଼ିଦେଲା ପୁଲିସ

ଭୁବନେଶ୍ବର: ମଦ ପିଇ ନିଶାରେ ଜଣେ ଯୁବକ ନିଜ ନାବାଳକ ପୁତ୍ରକୁ ହତ୍ୟା କରିଛି। କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ ବରଂ ଖୋଦ ରାଜଧାନୀରେ ଘଟିଛି ଏଭଳି ଏକ ଲୋମଟାଙ୍କୁରା ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ମଞ୍ଚେଶ୍ୱର ଷ୍ଟେସନ୍‌ ଲାଇନ୍‌ରେ ରହୁଥିବା ଦାଶରଥି ଟୁଡୁ ଓରଫ ଷଣ୍ଢ ଆଜି ଭୋର୍‌ରେ ତା’ ୫ ବର୍ଷର ସାବତ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ମୃତ ଶିଶୁର ନାମ ମୁନା ଟୁଡୁ। ଦାଶରଥି ଏକ ଢାଳରେ ମୁନାର ମୁହଁ ଓ ମୁଣ୍ଡକୁ ବାରମ୍ବାର ପିଟିବାରୁ ଘଟଣାସ୍ଥଳରେ ତା’ର ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ ଏହା ଦେଖି ତା’ ତୃତୀୟ ସ୍ତ୍ରୀ ଲକ୍ଷ୍ମୀ ବିରୋଧ କରିବାରୁ ସେ ତାକୁ ମଧ୍ୟ ହତ୍ୟା କରିବାକୁ ଚେଷ୍ଟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବସ୍ତିବାସିନ୍ଦାଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରୁ ମୁନାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଅଭିଯୁକ୍ତ ଦାଶରଥିକୁ ଗିରଫ କରିଛି। ମଞ୍ଚେଶ୍ବର ଥାନା ଆଇଆଇସି ଯତୀନ୍ଦ୍ର ନାଥ ସେଠୀ ମୃତ ମୁନାର ବାପା ଦାଶରଥିକୁ ପଚରାଉଚରାକରି ଘଟଣାର ତଦନ୍ତ ଚଳାଇଛନ୍ତି। ମୟୂରଭଞ୍ଜ ବାସିନ୍ଦା ଦାଶରଥି ପେସାରେ ଜଣେ ଟ୍ରାକ୍ଟର ଚାଳକ। ସେ ଏହି ବସ୍ତିରେ ଭଡ଼ାରେ ରହି ଆସୁଥିଲା। ଏହା ପୂର୍ବରୁ ସେ ୨ଟି ବିବାହ କରିଥିଲା। କିନ୍ତୁ ତା’ ଅତ୍ୟାଚାର ସହି ନପାରି ଗତବର୍ଷ ତା’ ଦ୍ୱିତୀୟ ସ୍ତ୍ରୀ ତାକୁ ଛାଡ଼ି ପଳାଇବା ପରେ ସେ ଲକ୍ଷ୍ମୀଙ୍କୁ ତୃତୀୟ ବିବାହ କରିଥିଲା। ଲକ୍ଷ୍ମୀଙ୍କ ପୂର୍ବରୁ ଗୋଟିଏ ପୁଅ ଥିବାରୁ ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା। ଆଜି ଭୋର୍‌ ପ୍ରାୟ ୪ଟାରେ ଦାଶରଥି ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସାବତ ପୁଅ ମୁନାକୁ ଟେକି କଚାଡ଼ି ଦେଇଥିଲା। ପରେ ଏକ ଢାଳରେ ତା’ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲା। ଏହା ଦେଖି ଲକ୍ଷ୍ମୀ ଚିତ୍କାର କରିବା ସହ ଆଖପାଖ ଲୋକଙ୍କୁ ଘଟଣା ସଂପର୍କରେ ଜଣାଇବାର ସେ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା। ଏ ସଂପର୍କରେ ବସ୍ତିବାସିନ୍ଦା ମଞ୍ଚେଶ୍ବର ଥାନାକୁ ସୂଚନା ଦେବା ପରେ ସକାଳେ ପୁଲିସ ବସ୍ତିରେ ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ, ଦାଶରଥି ଏହା ପୂର୍ବରୁ ବସ୍ତିରେ ରହୁଥିବା ଝିଅ ଓ ମହିଳାମାନଙ୍କୁ ଅସଦାଚରଣ କରି ଦୁଇଥର ଜେଲ୍ ଯାଇଛି। ଗତ ସପ୍ତାହରେ ସେ ଜେଲ୍‌ରୁ ମୁକୁଳିଥିଲା। ତେବେ ଏ ସମ୍ପର୍କରେ ମଞ୍ଚେଶ୍ବର ଥାନା ଇନ୍ସପେକ୍ଟର ଶ୍ରୀ ସେଠୀ କହିଛନ୍ତି, ମୁନାର ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି। ଢାଳ ମାଡ଼ରେ କେହି କ’ଣ ମରନ୍ତି , ଯଦି ଢାଳ ମାଡ଼ ହେଲା ଦେହରେ କେମିତି କୌଣସି କ୍ଷତ ଚିହ୍ନ ରହିଲା ନାହିଁ ବୋଲି ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ବୋଲି ଇନ୍ସପେକ୍ଟର ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe