ଝିଅର ଚିକିତ୍ସା ପାଇଁ ବାପାଙ୍କ ଆକୁଳ ନିବେଦନ

Advertisment
ଝିଅର ଚିକିତ୍ସା ପାଇଁ ବାପାଙ୍କ ଆକୁଳ ନିବେଦନ

ବେତନଟୀ: ବେତନଟୀ ବ୍ଲକ୍‌ ପାଟଳୀପୁରା ପଞ୍ଚାୟତ ଦାରିହା ଗ୍ରାମର ବାଉଁଶ କାରିଗର ପ୍ରତାପଚନ୍ଦ୍ର ଡୁଲି ପତ୍ନୀ ରମାମଣୀ ଓ ୪ ଝିଅଙ୍କୁ ନେଇ ରୁହନ୍ତି। ସବୁଦିନେ ବାଉଁଶ କିଣି ସେଥିରୁ ଝୁଡ଼ି, ପାଛିଆ, ଡାଲା ଆଦି ଘରକରଣା ସାମଗ୍ରୀ ତିଆରି କରି ତାକୁ ବିକ୍ରି କଲେ ଯାହା ଉପାର୍ଜନ ହୁଏ ସେଥିରେ ପରିବାର ଚଳାଇବା କାଠିକର ପାଠ। ବୁଢ଼ାବଳଙ୍ଗର ବନ୍ୟାପ୍ଲାବିତ ଅଞ୍ଚଳରେ ଏକ ତମ୍ବୁ ତଳେ ଏମାନେ ବର୍ଷ ବର୍ଷ ହେଲା ପଡ଼ିଥିଲେ ବି ସରକାରୀ ଯୋଜନାରେ ଘରଖଣ୍ଡେ ମିଳିପାରିନି।

ତେବେ ପେଟକୁ ଦାନା ଯୋଗାଡ଼ କରିବାକୁ ନିଇତି ସଂଘର୍ଷ କରୁଥିଲେ ବି ଝିଅ ଗଙ୍ଗା, ଯମୁନା, ସରସ୍ବତୀ ଓ ପୂଜାଙ୍କ ପାଠପଢ଼ାକୁ କେବେ ଅଣଦେଖା କରିନାହାନ୍ତି ପ୍ରତାପ। ବଡ଼ଝିଅ ଯମୁନା ବଡ଼ସାହି କଲେଜରୁ ଯୁକ୍ତ ୩ ସାରିବା ପରେ ସରକାରୀ ନର୍ସିଂ ତାଲିମ ପାଇଁ ମଧ୍ୟ ଚୟନ ହୋଇଥିଲେ। ଝିଅ ପାଠପଢ଼ି ଚାକିରି କଲେ ଦୁଃଖ ଘୁଞ୍ଚିବ ବୋଲି ଆଶା ରଖିଥିଲା ପରିବାର। ହେଲେ ୩ ବର୍ଷ ତଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଯମୁନା। ଧାରଉଧାର କରି ପରିବାର ଲୋକେ ଝିଅକୁ ଡାକ୍ତରଖାନା ନେଇଥିଲେ। ସେଠାରେ ପରୀକ୍ଷାରୁ ଜଣାପଡ଼ିଲା, ଯମୁନା ମୁତ୍ରାଶୟ ଜନିତ ରୋଗରେ ପୀଡ଼ିତା। ଉନ୍ନତ ଚିକିତ୍ସା ଦ୍ବାରା ରୋଗ ଭଲ ହୋଇପାରିବ। ହେଲେ ଏଥିପାଇଁ ଅନ୍ୟୁନ ୫ ଲକ୍ଷ ଟଙ୍କାର ଲାଗିବ ବୋଲି ଡାକ୍ତର କହିଥିଲେ। ପାଖରେ ସମ୍ବଳ ନଥିବାରୁ ଝିଅକୁ ଘରକୁ ନେଇଆସିଛନ୍ତି ପ୍ରତାପ। ଏକ ପାଇପ୍‌ ସହାଯ୍ୟରେ ପରିସ୍ରା ବ୍ୟବସ୍ଥା କରାଯାଇଛି। ଅଧିକ ଚିକିତ୍ସା ଅଭାବରୁ ଦୁଇଟି ଯାକ ଯକୃତ ନଷ୍ଟ ହେବାକୁ ବସିଲାଣି। ଏମିତି ସମୟରେ ଉନ୍ନତ ଚିକିତ୍ସା ତ’ ଦୂର ଝିଅର ମାସିକିଆ ଔଷଧ କିଣିବାକୁ ବି ଅସହାୟ ପ୍ରତାପ।

ଏ ସମ୍ପର୍କରେ ଜାଣିବା ପରେ ବିଜେଡିର ଯୁବନେତା ଲଲାଟେନ୍ଦୁ ବେହେରା, ପାଟଳିପୁରା ସରପ‌ଞ୍ଚ ମମତା ନାଏକ, ଜଗନ୍ନାଥ ଦାଶ, ଚନ୍ଦ୍ରକାନ୍ତ ପ୍ରଧାନ, ପୂର୍ବତନ ନାଏବ ସରପ‌ଞ୍ଚ ଅଶୋକ ପ୍ରଧାନ, ଈଶ୍ବରଚନ୍ଦ୍ର ମହାପାତ୍ର, ସଞ୍ଜୟ ଜେନା, ବାବୁଲି ବାରିକ, ଯୋଗେଶ ଚନ୍ଦ୍ର କବାଟ, ଚନ୍ଦ୍ରକାନ୍ତ ପ୍ରଧାନ, ଗଣେଶ୍ବର ସାମଲ, ଆଶିଷ ଗିରି ପ୍ରମୁଖ ଯମୁନାଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଡା. ଆଲଫା ମିଶ୍ରଙ୍କ ସହଯୋଗରେ ତାଙ୍କ ମସିକିଆ ଔଷଧ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ଲଲାଟେନ୍ଦୁ। ଏଥିସହ ଯମୁନାଙ୍କ ଚିକିତ୍ସା ପାଇଁ ବେତନଟୀ ବ୍ଲକ୍‌ ସାମ୍ବାଦିକ ସଂଘର ପକ୍ଷରୁ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତିଙ୍କ ସହିତ ଯୋଗାଯୋଗ କରିବା ପରେ ତାଙ୍କ ଚିକିତ୍ସା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe