ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ, ଅସରାଏ ବର୍ଷାରେ ଜମୁଛି ଆଣ୍ଠୁଏ ପାଣି

Advertisment
ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ, ଅସରାଏ ବର୍ଷାରେ ଜମୁଛି ଆଣ୍ଠୁଏ ପାଣି

Orissa Post

ଘୁ.ଉଦୟଗିରି : କାହାର ଭୁଲ, ଦୁର୍ଦ୍ଦଶା ଭୋଗୁଛି କିଏ। ଏନଏସି କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଇଲେକ୍ଟ୍ରି ଅଫିସ ଛକ ବାସିନ୍ଦା ସାମାନ୍ୟ ବର୍ଷା ହେଲେ ଜଳବନ୍ଦୀ ଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ରାସ୍ତାରେ ଆଣ୍ଠୁଏ ପାଣି ଭରି ରହୁଛି। କହିବାକୁ ଗଲେ ରାସ୍ତା ଉପରେ ଡ୍ରେନ ପାଣି ଲହଡ଼ି ଭାଙ୍ଗୁଛି। ଘର ଭିତରକୁ ବି ପଶିଯାଉଛି ଡ୍ରେନ ପାଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗତକାଲିର ବର୍ଷା ପରେ। କିଛି ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏନ୍‌ଏସି ପକ୍ଷରୁ ଇଲେକ୍ଟ୍ରି ଅଫିସ ଛକରୁ ଏନ୍‌ଏସି ଅଫିସ ପାଖ ପର୍ଯ୍ୟନ୍ତ ଏକ ଡ୍ରେନ ନିର୍ମାଣ କରାଯାଇଥିଲା।

ହେଲେ ଉକ୍ତ ଡ୍ରେନ ନିର୍ମାଣ ପରଠାରୁ ଏଥିରେ ପାଣି ନଯାଇ ଜମି ରହୁଛି। ସାମାନ୍ୟ ବର୍ଷା ହେଲେ ଡ୍ରେନର ମଇଳା ପାଣି ଅଳିଆ ଆବର୍ଜନା ରାସ୍ତା ଉପରକୁ ଆସି ଏକ ଆବର୍ଜନା କୁଣ୍ଡରେ ପରିଣତ ହେବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଗତକାଲି ବର୍ଷାରେ ଲୋକ ଘରେ ଶୋଇଥିବା ବେଳେ ଡ୍ରେନ ପାଣି ଘରେ ପଶିଯାଇଥିଲା। କାହାକୁ କହିବେ ନିଜ ଭାଗ୍ୟକୁ ଆଦରି ଘରୁ ଜଳ ନିଷ୍କାସନ କଲେ। ଏନ୍‌ଏସି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଡ୍ରେନ ନିର୍ମାଣ କରିବା ସତ୍ୱେ ଲୋକଙ୍କ କାମରେ ଆସିବା ବଦଳରେ ଅଧିକ ସମସ୍ୟା ସୃଷ୍ଟି ହେଉଛି। ତୁରନ୍ତ ଏହି ଡ୍ରେନ ନିର୍ମାଣ କରି ସମସ୍ୟାର ସମାଧାନ କରିବାକୁ ଇଲେକ୍ଟ୍ରି ଅଫିସ ସାହି ବାସିନ୍ଦା ଦାବି କରିଛନ୍ତି। ଏନ୍‌ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କୁ ଏ ବିଷୟରେ ଅବଗତ କରିବା ପରେ ସେ କହିଛନ୍ତି ଏହା ଏକ ଗୁରୁତର ସମସ୍ୟା ଏହି ସମସ୍ୟାର ସମାଧାନ ନିମନ୍ତେ ସେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ଅତିଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe