ଚାଉଳ ନେବାରେ ଏଫ୍‌ସିଆଇର ବିଳମ୍ବ: ଅଭାବୀ ବିକ୍ରି ରାସ୍ତା ଖୋଲିଲେ

ଏଫ୍‌ସିଆଇ ନେଇ ପାରୁନାହିଁ ନା ମିଲ ମାଲିକ ଦେଇ ପାରୁନାହାନ୍ତି? କାହା ଯୋଗୁଁ ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ମିଲ୍‌ଗୁଡ଼ିକରେ ଚାଉଳ ଜମା ହୋଇ ରହିଛି? ଯେଉଁ କାରଣରୁ ମଣ୍ଡି ଖୋଲିଥିଲେ ମଧ୍ୟ ଠିକ ଭାବରେ ଧାନ ସଂଗ୍ରହ ଆରମ୍ଭ ହୋଇ ପାରୁନାହିଁ ଓ କଟ୍‌ନି ଛଟ୍‌ନି ବଢୁଛି।

କୃଷି ବିଲ୍ ସମ୍ପର୍କିତ ଆଲୋଚନା ‘ପିଡିଏସ୍‌, ସରକାରୀ ଶସ୍ୟ ସଂଗ୍ରହ ବ୍ୟବସ୍ଥା ଜରୁରୀ’

ସମ୍ବଲପୁର: ଏଫ୍‌ସିଆଇ ନେଇ ପାରୁନାହିଁ ନା ମିଲ ମାଲିକ ଦେଇ ପାରୁନାହାନ୍ତି? କାହା ଯୋଗୁଁ ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ମିଲ୍‌ଗୁଡ଼ିକରେ ଚାଉଳ ଜମା ହୋଇ ରହିଛି? ଯେଉଁ କାରଣରୁ ମଣ୍ଡି ଖୋଲିଥିଲେ ମଧ୍ୟ ଠିକ ଭାବରେ ଧାନ ସଂଗ୍ରହ ଆରମ୍ଭ ହୋଇ ପାରୁନାହିଁ ଓ କଟ୍‌ନି ଛଟ୍‌ନି ବଢୁଛି। ଧାନ ଅଭାବୀ ବିକ୍ରି ଏବଂ ଚାଉଳ ଦୁର୍ନୀତିର ନୂଆ ରାସ୍ତା ତିଆରି ହେଉଛି। ସୂଚନା ଅନୁସାରେ, ଗତବର୍ଷ ୮୫ ଲକ୍ଷ କ୍ବିଣ୍ଟାଲ ଚାଉଳ ଏଫ୍‌ସିଆଇ ଗ୍ରହଣ କରିଥିବା ବେଳେ ଚଳିତ ବର୍ଷ ଏହା ମାତ୍ର ୭୬.୨୯ ଲକ୍ଷ କ୍ବିଣ୍ଟାଲ।  

ଖାଦ୍ୟ ନୀତି ଅନୁଯାୟୀ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟର ସବୁ ମିଲ୍‌ର କଷ୍ଟମ ମିଲିଂ ଚାଉଳ ଯୋଗାଣ ନିଗମ ଏବଂ ଏଫ୍‌ସିଆଇରେ ଜମା ହୋଇଯିବା ଉଚିତ। ଅକ୍ଟୋବର ମାସରେ ମାଲିକମାନେ ନିଜ ମିଲ୍‌, ଗୋଦାମ ମରାମତି ଏବଂ ରକ୍ଷଣାବେକ୍ଷଣ କରିବେ। ଯେପରି ନଭେମ୍ବର ମାସରେ ଧାନ ସଂଗ୍ରହ ବ୍ୟବସ୍ଥିତ ଭାବରେ ହେବ। କୌଣସି ବର୍ଷ ଏହି ନିୟମର ପାଳନ ହୁଏ ନାହିଁ। ଆବଶ୍ୟକ ଗୋଦାମର ଅଭାବ ଯୋଗୁଁ କେତେବେଳେ ସରକାର ଚାଉଳ ରଖି ପାରନ୍ତି ନାହିଁ ତ ଅଧିକାଂଶ ସମୟରେ ସରକାରଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ମିଲ ମାଲିକମାନେ ଚାଉଳ ଦିଅନ୍ତି ନାହିଁ। ଯାହାର ସିଧାସଳଖ ପ୍ରଭାବ ଧାନ ସଂଗ୍ରହ ଉପରେ ପଡ଼ିଥାଏ। କିନ୍ତୁ ଚଳିତ ବର୍ଷ ଏହି ସମସ୍ୟା ଜଟିଳ ରୂପ ନେଲାଣି। ଚାଉଳ ଜମା ଅନ୍ତିମ ଅବଧିର ଅଢ଼େଇ ମାସ ଏବଂ ଧାନ ସଂଗ୍ରହ ଆରମ୍ଭର ଏକ ମାସ ପରେ ମଧ୍ୟ ଚାଉଳ ଜମା ସରୁନାହିଁ। ଫଳରେ ପଶ୍ଚିମ ଓଡ଼ିଶାର ସବୁ ମିଲରେ ଚାଉଳ ପଡ଼ିରହିବା ସହ ଧାନ ସଂଗ୍ରହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଯାହା ପୁରୁଣା ବର୍ଷମାନଙ୍କର ସମସ୍ୟାଠାରୁ ଟପି ଯାଇଛି। ବିଶେଷକରି ବରଗଡ଼ରେ ଏହା ତୀବ୍ର ରୂପ ଧାରଣ କରିଛି। ଏଠାରେ ମିଲରମାନେ ମାତ୍ର ୩୫ ଭାଗ ଚାଉଳ ହିଁ ଜମା କରିଛନ୍ତି। ଚାଉଳ ଜମାର ଅନ୍ତିମ ଅବଧି ଜାନୁଆରି କରି ଦିଆଯାଇଥିବାରୁ ଧାନ ସଂଗ୍ରହର ଅଚଳାବସ୍ଥା ଅନ୍ୟୂନ ଜାନୁଆରି ମାସ ପର୍ଯ୍ୟନ୍ତ ଦୂର ହେବ ନାହିଁ, ଏହା ସ୍ପଷ୍ଟ।  

 ଅଭାବୀ ବିକ୍ରି ରାସ୍ତା ଖୋଲିଲେ
ଚାଉଳ ଜମାର ଅବଧି ଜାନୁଆରି ପର୍ଯ୍ୟନ୍ତ ବଢ଼ିଲା

ddaadda

ଏଫ୍‌ସିଆଇର ସୂଚନା ଅନୁଯାୟୀ, ଧାନ ସଂଗ୍ରହ କେନ୍ଦ୍ର ସରକାରଙ୍କ ଦାୟିତ୍ବ ଅଟେ। କଷ୍ଟମ୍‌ ମିଲିଂରେ ଯେଉଁ ଚାଉଳ ଉତ୍ପାଦିତ ହୁଏ ତାର କିଛି ଭାଗ ଯୋଗାଣ ନିଗମ ଓଡ଼ିଶାର ଆବଶ୍ୟକତା ପୂରଣ ପାଇଁ ନେଇଥାଏ। ବାକି ସିଂହ ଭାଗ ଏଫ୍‌ସିଆଇ ଗ୍ରହଣ କରେ। ପଶ୍ଚିମଓଡ଼ିଶାର ୫ ଜିଲ୍ଲା ବରଗଡ଼, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ୧୯୪ ମିଲରୁ ଉତ୍ପାଦିତ ଚାଉଳ ସମ୍ବଲପୁର ଏଫ୍‌ସିଆଇ କାର୍ଯ୍ୟାଳୟ ଅନ୍ତର୍ଗତ ୨୨ ଗୋଦାମରେ ସଂରକ୍ଷିତ କରାଯାଏ। ସୂତ୍ର ଅନୁସାରେ, ନଭେମ୍ବର ତୃତୀୟ ସପ୍ତାହରେ ସର୍ବାଧିକ ଧାନ ସଂଗ୍ରହକାରୀ ବରଗଡ଼ ଏବଂ ସମ୍ବଲପୁରରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ଏଫ୍‌ସିଆଇ ମିଲର୍ସଙ୍କଠାରୁ ଚାଉଳ ନେଉନଥିଲେ। ଏଫ୍‌ସିଆଇ ପ୍ରତିନିଧି ଦଳ ଚାଉଳ ଗୋଦାମଗୁଡ଼ିକ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରଦାନରେ ବିଳମ୍ବ କରିଥିଲେ। ଏହାର କାରଣ ସମ୍ପର୍କରେ ଏଫସିଆଇ ଅଧିକାରୀ କୌଣସି ମତ ଦେଇନାହାନ୍ତି। ମିଲମାନଙ୍କ ଚାଉଳର ଗୁଣାତ୍ମକମାନକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା।

ଯାହାର ଉତ୍ତର ମଧ୍ୟ ମିଲ୍‌ ମାଲିକମାନେ ଦେଇ ପାରିନାହାନ୍ତି। ଏଫସିଆଇ ପକ୍ଷରୁ ଓଡ଼ିଶାର ବଳକା ଚାଉଳକୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ରପ୍ତାନି କରାଯାଏ। କିନ୍ତୁ ଚଳିତବର୍ଷ ଏଫସିଆଇ ଏହା କରି ପାରିନାହିଁ। ସେଥିରେ ଅନ୍ୟ ରାଜ୍ୟର ଗହମ ଏଠାରେ ପହଞ୍ଚି ଯାଇଛି। ଏଫସିଆଇ ଗୋଦାମରେ ସ୍ଥାନାଭାବ ଦେଖାଯାଇଛି। ତେଣୁ ସେପ୍ଟେମ୍ବର ୩୦ ତାରିଖ ଚାଉଳ ଗ୍ରହଣର ଅବଧିକୁ ପ୍ରଥମେ ଅକ୍ଟୋବର ପରେ ନଭେମ୍ବର ଏବଂ ତୃତୀୟ ଥର ପାଇଁ ଜାନୁଆରି ପର୍ଯ୍ୟନ୍ତ ସଂପ୍ରସାରିତ କରିଛି। ମିଲ୍‌ ମାଲିକଙ୍କ ଅନୁସାରେ, ଓଡ଼ିଶାରେ ଉତ୍ପାଦିତ ଚାଉଳ ସବୁ ରଖିବାକୁ ଏଫ୍‌ସିଆଇରେ ପର୍ଯ୍ୟାପ୍ତ ଗୋଦାମର ଅଭାବ ରହିଛି। ତେଣୁ ସେମାନେ ଚାଉଳ ଦେବା ପାଇଁ ଚାହୁଥିଲେ ମଧ୍ୟ ଏଫସିଆଇ ନେଇ ପାରୁନାହିଁ। ଏଫ୍‌ସିଆଇ ଏବଂ ମିଲ୍‌ ମାଲିକଙ୍କ ମଧ୍ୟରେ ସୃଷ୍ଟି ସମସ୍ୟା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ସମାଧାନ ନ ହେଲେ ଖୋଲା ବଜାରରେ ଧାନ ବିକ୍ରି ହେବ ଏବଂ ପ୍ରକୃତ ଚାଷୀ ବୋନସ୍‌ ତ ଦୂର କଥା, ଏମ୍‌ଏସ୍‌ପିରୁ ବି ବଞ୍ଚିତ ହେବେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe