ବନ୍ୟା ପରେ ରୋଗ ଭୟ, ସଜାଗ ରହିବାକୁ ଡାକ୍ତରୀ ଟିମ୍‌କୁ ନିର୍ଦ୍ଦେଶ

ବନ୍ୟା ପରେ ରୋଗ ଭୟ, ସଜାଗ ରହିବାକୁ ଡାକ୍ତରୀ ଟିମ୍‌କୁ ନିର୍ଦ୍ଦେଶ

ଧାମନଗର: ଦୁଇ ଦୁଇ ଥର ବନ୍ୟା ଦ୍ୱାରା ଧାମନଗର ବ୍ଳକର ପ୍ରାୟ ୨୬ ପଞ୍ଚାୟତର ୧୦ହଜାର ହେକ୍ଟରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ ହୋଇଯାଇଥିଲା। ଏବେ ଚାଷଜମିରୁ ବନ୍ୟାଜଳ କମିଛି ମାତ୍ର ଚାଷଜମି ନଷ୍ଟ ହୋଇଯାଇଛି। ଅନେକ ଚାଷଜମିରେ ପଟୁ ପଡ଼ି ଆଉ ଚାଷ ହେବା ଅବସ୍ଥାରେ ନାହିଁ। ବନ୍ୟା ଛାଡ଼ିବା ପରେ ଚାଷୀଙ୍କୁ ଚାଷ ଚିନ୍ତା ଘାରିଥିବା ବେଳେ ଆକାଶଛୁଆଁ ମଜୁରିକୁ ନେଇ ଚାଷୀ ଚିନ୍ତାରେ। କିଛି କିଛି ସ୍ଥାନରେ ବନ୍ୟାରେ ଧାନ ତଳି ନଷ୍ଟ ହୋଇଥିବାରୁ ଚାଷୀ ରୁଆପୋତା କରିବାକୁ ଧାନତଳି ପାଉନାହିଁ। ସେହିପରି ବନ୍ୟା ପରେ ଏବେ ବିଭିନ୍ନ ପଞ୍ଚାୟତର ଲୋକମାନଙ୍କୁ କାଶ, ଜ୍ବର ଆଦି ହେବାରେ ଲାଗିଛି। ଅନେକ ଅଞ୍ଚଳରେ ଡ଼େଙ୍ଗୁ ଭୟ ଥିବାବେଳେ ଭଦ୍ରକରୁ ଏକ ମେଡ଼ିକାଲ ଟିମ୍ ଧାମନଗର ବନ୍ୟାଞ୍ଚଳରେ ବିଭିନ୍ନ ଗ୍ରାମକୁ ଯାଇ ପରୀକ୍ଷା ନିରୀକ୍ଷା କରୁଛନ୍ତି। ବିଶେଷ କରି ସୋହଡ଼ା, ଆନନ୍ଦପୁର, ଖଡ଼ିପଦା, କରଦା, ପଧାନୀ, ଅର୍ଜୁନପୁର, ଭଟ୍ଟସାହି, ନଦୀଗାଁ, ହସନାବାଦ ଆଦି ପଞ୍ଚାୟତରେ ଡେଙ୍ଗୁ ଭୟ ଥିବାରୁ ସେଠାରେ ମେଡ଼ିକାଲ ଟିମ୍‌ ପରୀକ୍ଷା ନିରୀକ୍ଷା କରୁଛନ୍ତି।

ବନ୍ୟାଞ୍ଚଳରେ ରୋଗ ଭୟ ଥିବାରୁ ଏଥିପ୍ରତି ସଜାଗ ରହିବାକୁ ଡାକ୍ତରୀ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ହସନାବାଦ ପଞ୍ଚାୟତର ଗୋପବନ୍ଧୁନଗର ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ମାସ ହେବ ଡ଼ାକ୍ତର ନିଯୁକ୍ତି ହୋଇନଥିବା ବେଳେ ଜଣେ ଫାର୍ମାସିଷ୍ଟକୁ ନେଇ ଚାଲିଛି ଡାକ୍ତରଖାନା। ଅର୍ଜୁନପୁର ପଞ୍ଚାୟତର ବାଲିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ରୋଗୀସେବା ବିପର୍ଯ୍ୟସ୍ତ। କ୍ରମାଗତ ବର୍ଷା ଓ ବନ୍ୟା ଦ୍ୱାରା ଡେଙ୍ଗୁ ଭୂତାଣୁ ନ’ ବ୍ୟାପିବା ପାଇଁ ଆଜି ଧାମନଗର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀମାନେ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମିତାଲି ଶ୍ରୀବାସ୍ତଙ୍କ ସଂଯୋଜନାରେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଧାମନଗର ଏନ୍‌ଏସି ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲା ଲୋକସ୍ୱାସ୍ଥ୍ୟ ଅଧିକାରୀ ଭାରତୀ ରାଉତ, ବିପିଏମ୍ ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସେହିପରି ବୈତରଣୀ, କୋଚିଳା ଓ ଗେଙ୍ଗୁଟି ନଦୀବନ୍ଧର ବିଭିନ୍ନ ସ୍ଥାନରେ ଧସିବା ଓ ଫାଟ ସୃଷ୍ଟି ହୋଇଥିବାରୁ ଜଳସେଚନ ବିଭାଗ ପକ୍ଷରୁ ମରାମତି କରିବାକୁ ଅଣ୍ଟା ଭିଡିଛି। ଠିକାଦାରମାନଙ୍କ ମଧ୍ୟରେ କିଏ କାର୍ଯ୍ୟ କରିବ ସେ ନେଇ ଭିଡ଼ାଭିଡ଼ି ଚାଲିଛି। ବନ୍ୟା ସମୟରେ କୋଚିଳା, ବୈତରଣୀ ଓ ଗେଙ୍ଗୁଟି ନଦୀବନ୍ଧ ଉପରେ ବାଲିବସ୍ତା ରଖି ବିଲ୍ କରିବା ପାଇଁ ମସୁଧା ମଧ୍ୟ ଚଳାଇଛନ୍ତି। ନିକଟରେ ନଦୀବନ୍ଧ ସୁଦୃଢୀକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲା। ମାତ୍ର ବର୍ଷା ଓ ବନ୍ୟାରେ ସବୁ ଧୋଇ ଯାଇଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe