NDTV.com
ଭୁବନେଶ୍ବର : ଦେଶରେ ବର୍ତମାନସୁଦ୍ଧା ମଙ୍କିପକ୍ସ ୪ଟି ମାମଲା ଚିହ୍ନଟ ହୋଇଛି। ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ପକ୍ଷରୁ ମଙ୍କିପକ୍ସକୁ ନେଇ ସତର୍କ ରହିବାକୁ କୁହାଯାଇଛି। ଏହାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ୨ଟି ଶଯ୍ୟା ସଂରକ୍ଷିତ ରଖିବା ଲାଗି ନିର୍ଦେଶ ଦିଆଯାଇଛି।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି, ସମସ୍ତ ମେଡିକାଲ କଲେଜ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ବିଶେଷଜ୍ଞ ଡାକ୍ତରମାନଙ୍କୁ ମଙ୍କିପକ୍ସ ବାବଦରେ ସଚେତନ ଓ ଗାଇଡଲାଇନ ବିଷୟରେ ଅବଗତ କରାଯାଇଛି। ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖାଯାଇଛି। ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ ପରୀକ୍ଷା କିଭଳି କରାଯିବ ଏନେଇ ଆରଏମଆରସି ସହିତ ବିଭାଗର ଆଲୋଚନା ହୋଇଛି। ଆରଏମଆରସି ନମୁନା ପରୀକ୍ଷା କରିବାର ଦାୟିତ୍ବ ନେଇଛି। ମଙ୍କିପକ୍ସ ସନ୍ଦିଗ୍ଧଙ୍କ ପରୀକ୍ଷା ପାଇଁ ଏବେ ଦେଶରେ ୧୫ଟି ପରୀକ୍ଷାଗାର ରହିଛି। ଆଗକୁ ମଙ୍କିପକ୍ସକୁ ନେଇ ସର୍ଭେଲାନ୍ସ ବଢ଼ାଯିବ। ମଙ୍କିପକ୍ସ ରୋଗୀଙ୍କଠାରେ ବସନ୍ତ ରୋଗ ଭଳି ଲକ୍ଷଣ ଦେଖାଯାଉଛି। ଯେଉଁମାନେ ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସିଥିବେ ସେମାନଙ୍କଠାରେ ଏହା ବ୍ୟାପିବାର ଅଧିକ ଆଶଙ୍କା ରହିଛି। ଯଦି ଏଭଳି ଲକ୍ଷଣ ଆସୁଛି ତେବେ ଟେଷ୍ଟ କରାଇନେବା ଉଚିତ୍ ବୋଲି ଡା.ମିଶ୍ର କହିଛନ୍ତି।
Follow Us