ଗାଡ଼ି ଚାଳକଙ୍କୁ ଚାଲାଣ ଡର: ସାତମାସରେ କଟିଲାଣି ୪୦ ହଜାର ଇ-ଚାଲାଣ

Advertisment
ଗାଡ଼ି ଚାଳକଙ୍କୁ ଚାଲାଣ ଡର: ସାତମାସରେ କଟିଲାଣି  ୪୦ ହଜାର ଇ-ଚାଲାଣ

କେନ୍ଦୁଝର: ଗାଡ଼ି ଚାଳକଙ୍କୁ ଡର ଇ-ଚାଲାଣ। ରାସ୍ତାରେ ଟିକେ ଏପଟସେପଟ ହେଲେ କଟୁଛି ଚାଲାଣ। ପ୍ରତିମାସରେ ହଜାରହଜାର ଇ-ଚାଲାଣ କଟୁଥିଲେ ମଧ୍ୟ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ସାତମାସ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୩୯ ହଜାର ୩୩୯ଟି ଚାଲାଣ କଟିଛି। ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲା ଦୁର୍ଘଟଣାପ୍ରବଣ ପାଲଟିଛି। ଜିଲ୍ଲାରେ ୨୦୨୨ରେ ମୋଟ ୬୫୬ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୩୮୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୯୨ଜଣ ଆହତ ହୋଇଥିଲେ। ପୂର୍ବରୁ ୨୦୨୧ରେ ୬୭୫ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୫୦୯ଜଣ ଆହତ ହୋଇଥିବା ବେଳେ ୩୪୧ଜଣ ପ୍ରାଣ ହରାଇଥିଲେ। ସେହିପରି ଚଳିତ ବର୍ଷ ଅର୍ଥାତ ୨୦୨୩ ଜାନୁଆରିରୁ ମେ ମାସ ମଧ୍ୟରେ ମୋଟ ୩୫୦ଟି ଦୁର୍ଘଟଣା ଘଟିଥିବାବେଳେ ୧୬୯ଜଣଙ୍କ ମୃତ୍ୟୁ ଘଟିଛି। ୨୮୩ଜଣ ଆହତ ହୋଇଛନ୍ତି।

ବେପରୁଆ ଗାଡ଼ି ଚାଳନା ଓ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ରୋକିବା ପାଇଁ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଟ୍ରାଫିକ ନିୟମ ମାନୁ ନଥିବା, ହେଲମେଟ୍‌ ଓ ସିଟ୍‌ବେଲ୍ଟ ବ୍ୟବହାର କରୁନଥିବା, ମଦ ପିଇ ଗାଡ଼ି ଚଳାଉଥିବା ଓ ଦ୍ରୁତଗତିରେ ଯାଉଥିବା ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ଚାଲାଣ କଟାଯାଉଛି। ପ୍ରତି ମାସରେ ୫ ହଜାରରୁ ଊର୍ଦ୍ଧ୍ବ ଚାଲାଣ କଟାଯାଉଛି। ଚଳିତ ବର୍ଷ ଜାନୁଆରିରେ କେନ୍ଦୁଝର ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧୪୯୫ଟି ଚାଲାଣ କଟା ଯାଇଥିବାବେଳେ ବଡ଼ବିଲ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୭୪୦ଟି ଓ ବିଭିନ୍ନ ଥାନାର ପୁଲିସ ପକ୍ଷରୁ ୩୦୧୩ଟି ଚାଲାଣ କଟାଯାଇଛି। ଏହାଛଡ଼ା ଜିଲ୍ଲାରେ ଥିବା ବିଭିନ୍ନ ଟୋଲ୍‌ପ୍ଲାଜା‌ରେ ମଧ୍ୟ ୬୧୨ଟି ଚାଲାଣ କଟିଛି। ଅର୍ଥାତ ଜାନୁଆରି ମାସରେ ମୋଟ ୫୮୬୦ ଚାଲାଣ କଟାଯାଇଛି। ଫେବ୍ରୁଆରିରେ କେନ୍ଦୁଝର ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧୨୬୦ଟି ଚାଲାଣ କଟା ଯାଇଥିବାବେଳେ ବଡ଼ବିଲ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୮୯୧ଟି, ପୁଲିସ ପକ୍ଷରୁ ୨୧୯୧ଟି ମୋଟ ୪୩୪୨ଟି ଚାଲାଣ କଟାଯାଇଛି।

ମାର୍ଚ୍ଚ ମାସରେ ୪୬୭୩ଟି ଚାଲାଣ କଟାଯାଇଥିବାବେଳେ ଏପ୍ରିଲରେ ୬୦୩୩ଟି, ମେ ମାସରେ ୫୮୮୩ଟି, ଜୁନ୍‌ରେ ୫୫୩୩ଟି ଓ ଜୁଲାଇ ମାସରେ ୬୯୩୯ଟି ଚାଲାଣ କଟାଯାଇଥିବା ସୂଚନା ମିଳିଛି। ଏଥିରୁ ଅଧିକାଂଶ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍‌ରେ କଥା ହେବା, ସିଟ୍‌ ବେଲ୍‌ଟ ନ ବାନ୍ଧିବା, ହେଲମେଟ୍‌ ନ ପିନ୍ଧିବା, ଡ୍ରାଇଭିଂ ଲାଇସେନ୍ସ ନଥିବା ଓ ମଦପିଇ ଗାଡ଼ି ଚଳାଉଥିବାରୁ ସମ୍ପୃକ୍ତ ଚାଳକମାନଙ୍କର ଚାଲାଣ କଟାଯାଇଥିବା ସୂଚନା ମିଳିଛି। ପ୍ରତି ଚାଲାଣ ବାବଦକୁ ସର୍ବନିମ୍ନ ୧ ହଜାର ଟଙ୍କା ଧରାଗଲେ, ୩୯ ହଜାର ୩୩୯ଟି ଚାଲାଣ ବାବଦକୁ ପରିବହନ ବିଭାଗ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ‌ଜରିମାନା ଆଦ‌ାୟ କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe